ଭିଡିଓକୋନ୍ ଲୋନ୍ ମାମଲା: ଚନ୍ଦା କୋଚର, ବେଣୁଗୋପାଳ ଧୂତଙ୍କ ଘରେ ଓ କାର୍ଯ୍ୟାଳୟରେ ଇଡିର ଚଢାଉ

ନୂଆଦିଲ୍ଲୀ,୧।୩: ଭିଡିଓକୋନ୍ ଲୋନ୍ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଚନ୍ଦା କୋଚର ଓ ବେଣୁଗୋପାଳ ଧୁତଙ୍କ ୫ଟି ସ୍ଥାନରେ ଚଢାଉ କରିଛି। ଦୁହିଁଙ୍କ କାର୍ଯ୍ୟାଳୟ ଓ ଘର ଉପରେ ଚଢାଉ ହୋଇଛି। ମୁମ୍ବାଇ ବ୍ୟତୀତ କିଛି ଅନ୍ୟ ସ୍ଥାନରେ ମଧ୍ୟ ଏହି ଚଢାଉ ହୋଇଛି। ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକୋନକୁ ଦିଆଯାଇଥିବା ଲୋନ୍ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି କିଛି ଦିନ ପୂର୍ବରୁ ଚନ୍ଦା କୋଚର, ତାଙ୍କର ସ୍ବାମୀ ଦୀପକ କୋଚର ଓ ଭିଡିଓକୋନର ପ୍ରମୋଟର ବେଣୁଗୋପାଳ ଧୁତଙ୍କ ବିରୋଧରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅନୁଯାୟୀ ମାମଲା ରୁଜୁ କରିଥିଲା।
ଜାନୁଆରୀରେ ସିବିଆଇ ମଧ୍ୟ ଏହି ମାମଲାରେ ଚନ୍ଦା କୋଚର, ଦୀପକ କୋଚର ଓ ବେଣୁଗୋପାଳ ଧୁତଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରିଥିଲା। ଏଜେନ୍ସି ଭିଡିଓକୋନ୍ କମ୍ପାନୀର ମୁମ୍ବାଇ,ଔରଙ୍ଗାବାଦ ସ୍ଥିତ କାର୍ଯ୍ୟାଳୟ ଓ ଦୀପିକ କୋଚରଙ୍କ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି। କିଛି ଦିନ ପୂର୍ବରୁ ସିବିଆଇ ଚନ୍ଦା କୋଚରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଯାହାଫଳରେ ଚନ୍ଦା ବିନା ଅନୁମତିରେ ବିଦେଶ ଯାଇପାରିବେ ନାହିଁ। ଭିଡିଓକୋନ୍ ଗ୍ରୁପକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୨୦୧୨ରେ ଦିଆଯାଇଥିବା ୧,୮୭୫ କୋଟି ଟଙ୍କାର ଲୋନ୍ ମାମଲାରେ ଅନିୟମିତା ଯୋଗୁଁ ପ୍ରବର୍ତ୍ତନ ନିର୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।