ନୂଆଦିଲ୍ଲୀ,୨୬/୦୭: ପଶ୍ଚିମବଙ୍ଗ କଟୱା ଗାଁର ନୀଲୁଫା ୟାସ୍ମିନ । ନିଜର କଠୋର ପରିଶ୍ରମ ଓ ଏକାଗ୍ରତା ବଳରେ ପରୀକ୍ଷାରେ ହାସଲ କରିଛନ୍ତି ସଫଳତା।ନୀଲୁଫା ୟୁଜିସି ନେଟ୍ ୨୦୨୫ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ତେବେ ନୀଲୁଫା ପୂର୍ବରୁ ଦୁଇଥର ଏହି ପରୀକ୍ଷା ଦେଇଥିଲେ, କିନ୍ତୁ ସେ ଯେତିକି ଭଲ ନମ୍ବର ଚାହୁଁଥିଲେ ସେତେ ଭଲ ନମ୍ବର ପାଇ ନଥିଲେ। ତେଣୁ ସେ ହାର ନ ମାନି ପ୍ରତ୍ୟେକ ଥର ନୂତନ ଭାବରେ ପ୍ରସ୍ତୁତି କରି ପୁଣି ଥରେ ପରୀକ୍ଷା ଦେଇଥିଲେ। ଏନେଇ ନୀଲୁଫା ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି, "ଦୁଇଥର ବିଫଳ ହେବା ପରେ ମଧ୍ୟ, ମୁଁ ଜାଣିଥିଲି ଯେ ମୁଁ ଏହା କରିପାରିବି। ଏଥର ମୋର ସ୍ୱପ୍ନ କେବଳ ପାସ୍ କରିବା ନୁହେଁ, ବରଂ ଶ୍ରେଷ୍ଠ ହେବା ଥିଲା।" ଫଳାଫଳ ଆସିବା ଦିନ ତାଙ୍କ ଘରେ ଏକ ଉତ୍ସବର ପରିବେଶ ଥିଲା। ପ୍ରଥମେ ନୀଲୁଫା ବିଶ୍ୱାସ କରିପାରିଲେ ନାହିଁ ଯେ ସେ ୧ ନମ୍ବରରେ ଅଛନ୍ତି । ଯେତେବେଳେ ଏହା ନିଶ୍ଚିତ ହେଲା, ପରିବାର ଖୁସିରେ କାନ୍ଦିବାକୁ ଲାଗିଲେ।
ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନୀଲୁଫାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, "ଜୁନ୍ ୨୦୨୫ ରେ ପଶ୍ଚିମବଙ୍ଗରେ ୧୦୦ ପ୍ରତିଶତ ଏବଂ ୟୁଜିସି-ନେଟ୍ରେ ସାରା ଭାରତରେ ପ୍ରଥମ ସ୍ଥାନ ହାସଲ କରିବା ପାଇଁ କଟୱାର ନୀଲୁଫା ୟାସମିନଙ୍କୁ ଅଭିନନ୍ଦନ। ସେହିପରି ଜୁନ୍ ୨୦୨୫ରେ ୟୁଜିସି-ନେଟ୍ରେ ଗଣ ଯୋଗାଯୋଗ ଏବଂ ସାମ୍ବାଦିକତାରେ ଦ୍ୱିତୀୟ ସ୍ଥାନ ହାସଲ କରିବା ପାଇଁ କୋଲକାତାର ରିକ୍ତା ଚକ୍ରବର୍ତ୍ତୀଙ୍କୁ ଅଭିନନ୍ଦନ।" ତେବେ ନୀଲୁଫା ଆରମ୍ଭରୁ ପାଠପଢ଼ାରେ ବହୁତ ଭଲ ଥିଲେ। ସେ ସ୍କୁଲ, କଲେଜ ଏବଂ ସ୍ନାତକୋତ୍ତରରେ ସବୁବେଳେ ଭଲ ନମ୍ବର ରଖୁଥିଲେ। ଶିକ୍ଷକତାକୁ ସେ ଭଲ ପାଉଥିଲେ, ତେଣୁ ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ। ଏହି ସ୍ୱପ୍ନ ପୂରଣ କରିବା ପାଇଁ, ସେ UGC NET ଏବଂ JRF ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ।ନୀଲୁଫାଙ୍କ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ତାଙ୍କର ଦୁଇଟି ଭଉଣୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ବଡ଼ ଭଉଣୀ ସଂଗୀତ ଶିକ୍ଷା କରିଛନ୍ତି।