ପାତ୍ରପୁର,୧୯/୦୮: ପ୍ରାଥମିକ  ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପିଲା ଓଡ଼ିଆ ବହି ପଢ଼ିଲେ, ହେଲେ ଅଷ୍ଟମ ଶ୍ରେଣୀରେ ଇଂରାଜୀ ବହି ପଢ଼ିବା ପାଇଁ କହିବାରୁ କିଛି ପିଲା ଆଦୌ ପଢ଼ି ପାରିଲେ ନାହିଁ ।  ଜଣେ ଝିଅ ଅଳ୍ପ ଅଳ୍ପ ଶବ୍ଦ ଉଚ୍ଚାରଣ ଟିକିଏ ଟିକିଏ ଭୁଲ୍ କରି ପଢ଼ିଲେ । ସୋମବାର ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି  ଭାସନ୍‌ଙ୍କ ପାତ୍ରପୁର ବ୍ଲକ୍‌ ସୁବର୍ଣ୍ଣପୁର  ବିଦ୍ୟାଳୟ ଗସ୍ତ ସମୟରେ ଏଭଳି କିଛି  ଦୃଶ୍ୟ ଦେଖିବାକୁ ମିଳିଥିଲା । ଶିକ୍ଷକ ରମଣିରଞ୍ଜନ ନାୟକଙ୍କୁ ଜିଲ୍ଲାପାଳ ପଚାରିଥିଲେ ଯେ- ଅଷ୍ଟମ ଶ୍ରେଣୀ ପିଲା ବୋର୍ଡ ପରୀକ୍ଷା ଦେବେ, ଅଥଚ ଇଂରାଜୀ ଶବ୍ଦ ସଠିକ୍‌ ଉଚ୍ଚାରଣ କରିପାରୁ ନାହାନ୍ତି । ଯେଉଁ ପିଲା ଦୁର୍ବଳ ସେମାନଙ୍କୁ ଅଧିକ ସମୟ ଦିଅ ନଚେତ୍‌ ପିଲା ବୋର୍ଡ ପରୀକ୍ଷାରେ ପାସ୍‌ ହେବେ କେମିତି କହି ପିଲାଙ୍କ ପାଠପଢ଼ା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । 

ଗଞ୍ଜାମ ଜିଲ୍ଲାପାଳ ସୋମବାର ଅପରାହ୍ଣରେ ପାତ୍ରପୁର  ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା  କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣାଧୀନ କୋଠା ଦେଖି ନିର୍ଦ୍ଧାରିତ ସମୟରେ ଭଲ ଭାବରେ କାମ ସାରିବାକୁ  ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ସୁବର୍ଣ୍ଣପୁର ବିଦ୍ୟାଳୟରେ ପହଞ୍ଚି ପିଲାଙ୍କ ପାଠପଢ଼ା ସହ ସ୍କୁଲ କୋଠା ଓ ନିର୍ମାଣାଧୀନ ଅଙ୍ଗନବାଡ଼ି କୋଠା ଦେଖିଥିଲେ । ବିଦ୍ୟାଳୟ ଶ୍ରେଣୀ ଗୃହରେ ଆଲୋକ ଅଭାବ ନେଇ ପ୍ରଧାନଶିକ୍ଷକ କହିଥିଲେ ।  

ପରେ ଜିଲ୍ଲାପାଳ ଜରଡ଼ା ଜେନାବନ୍ଧ ସ୍କୁଲକୁ ଯାଇ ନୂତନ ଶ୍ରେଣୀଗୃହ ଓ ଅଙ୍ଗନବାଡ଼ି କୋଠା ଦେଖିଥିଲେ । ଛୋଟ ପିଲାମାନେ ଜିଲ୍ଲାପାଳଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ । ପ୍ରଥମ, ଦ୍ୱିତୀୟ  ଓ ଶିଶୁବାଟିକା ପିଲାଙ୍କ ସଂଖ୍ୟା ଜ୍ଞାନ ପରୀକ୍ଷା କରି ପିଲାଙ୍କୁ ଗୋଲାକାର ଭାବେ ରଖି ସଂଖ୍ୟା ଆବୃତ୍ତି  କରିଥିଲେ ସେ । ପରେ ଜିଲ୍ଲାପାଳ ଜରଡ଼ା କଲ୍ୟାଣ ମଣ୍ଡପ କାର୍ଯ୍ୟ  ଦେଖିବା ସହ ପାର୍ଥସାରଥୀ ମନ୍ଦିର ଦର୍ଶନ କରିଥିଲେ। ମନ୍ଦିରର ଆବଶ୍ୟକତା ନେଇ କମିଟି ସଭାପତି ସୁରେଶ ପ୍ରଧାନ ଓ ସନ୍ତୋଷ ପାତ୍ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ଜରଡ଼ା ସାପ୍ତାହିକ ହାଟ ଉନ୍ନତୀକରଣ କାର୍ଯ୍ୟ ଦେଖି ଫେରିଥିଲେ । ଏହି ଗସ୍ତ ସମୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ପ୍ରୋବେସନାରୀ  ଆଇଏଏସ୍‌ ମ୍ରିନାଲିକା ରାଠୋର, ପାତ୍ରପୁର ବିଡିଓ  ଲକ୍ଷ୍ମଣ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ ।