ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୮ ନକ୍ସଲ ନିହତ, ଜାରି ରହିଛି ଅପରେସନ୍‌

Published By : Tapas Panda | February 1, 2025 4:48 PM

ମାଲକାନଗିରି: ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ତୋଡକା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ନକ୍ସଲ ନିହତ ହୋଇଥିବା ନେଇ ଶନିବାର ସୂଚନା ଦେଇଛି ପୋଲିସି । ସେପଟେ ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏସଟିଏଫ୍‌, ଡିଆରଜି ଏବଂ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନ ବେଳେ ବଡ଼ ସଫଳତା ମିଳିଛି । ବିଜାପୁରର ଗାଙ୍ଗାଲୁରରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଗାଙ୍ଗାଲୁର ଥାନା ଅଞ୍ଚଳରେ ଆଜି ସକାଳ ୮.୩୦ରେ ସୁରକ୍ଷାକର୍ମୀଙ୍କ ଦ୍ବାରା ନକ୍ସଲ ବିରୋଧୀ ଅପରେସନ୍‌ ଆରମ୍ଭ ହୋଇଥିଲା । ଏବେ ଯାଏଁ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟମର ଜାରି ରହିଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । 

ଏହା ପୂର୍ବରୁ ଜାନୁଆରୀ ୨୧ରେ ଛତିଶଗଡ଼ ଗରିଆବନ୍ଧରେ ସୁରକ୍ଷାବାହୀକୁ ବଡ଼ ସଫଳତା ମିଳିଥିଲା । ଅପରେସନ୍‌ ବେଳେ ଯବାନଙ୍କ ଗୁଳିରେ ୧୬ ମାଓବାଦୀ ନିହତ ହୋଇଥିଲେ  । ମୃତକଙ୍କ ମଧ୍ୟରେ ଥିଲା ଦୁର୍ଦାନ୍ତ ମାଓବାଦୀ ଜୟରାମ ଓରଫ୍ ଚଲପତି । ଯାହା ଉପରେ ରହିଥିଲା ୧ କୋଟି ଟଙ୍କାର ପୁରସ୍କାର। ସେ ନକ୍ସଲଙ୍କ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲା। ତାକୁ ଦେଶର ସବୁଠାରୁ ଦୁର୍ଦାନ୍ତ ନକ୍ସଲ କମାଣ୍ଡର ଭାବରେ ଗଣାଯାଏ । ଚଲପତି ବହୁବାର ସୁରକ୍ଷାବାହିନୀ ଉପରେ ବଡ଼ ବଡ଼ ହମଲା କରିଥିଲା । ସେ ଓଡିଶା କ୍ୟାଡରର ନକ୍ସଲ ଥିଲା। ଏନକାଉଣ୍ଟରରେ ଚଲପତି ନିହତ ହେବା ନକ୍ସଲ ଅପରେସନ୍ ଇତିହାସରେ ପ୍ରଥମ ଘଟଣା। ଅପରେସନ୍ ବେଳେ  ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଓ IED ଜବତ କରାଯାଇଥିଲା । 

ସୂଚନାଯୋଗ୍ୟ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦେଶକୁ ନକ୍ସଲବାଦରୁ ମୁକ୍ତ କରାଯିବ ବୋଲି ଆହ୍ବାନ ଦେଇସାରିଛନ୍ତି । ସେ କହିଥିଲେ, ଗଣତାନ୍ତ୍ରିକ ଦେଶରେ ନକ୍ସଲବାଦ ଏକ ବଡ଼ ଚ୍ୟାଲେଞ୍ଜ । ଅନ୍ତିମ ଆକ୍ରମଣର ସମୟ ଆସିଯାଇଛି ରାୟପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହା ସହ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶ ନକ୍ସଲମୁକ୍ତ ହୋଇଯିବ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ ଶାହ । ସେ କହିଥିଲେ , ‘ମୁଁ ବିଶ୍ବାସ କରୁଛି ଆମର ଏ ଲଢ଼େଇ ମାର୍ଚ୍ଚ ୨୦୨୬ ସୁଦ୍ଧା ଶେଷ ପର୍ଯ୍ୟାୟରେ ପହଞ୍ଚିଯିବ । ଆମେ ଆମ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବାରେ ସକ୍ଷମ ହେବା ।’ 

ଛତିଶଗଡ଼ ରାଜଧାନୀ ରାୟପୁରରେ ଆୟୋଜିତ ଆନ୍ତଃରାଜ୍ୟ ସମନ୍ୱୟ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଏବଂ ବିକାଶର ସମୀକ୍ଷା ବୈଠକ ପରେ ଏଭଳି କହିଥିଲେ ଗୃହମନ୍ତ୍ରୀ । ସେ କହିଥିଲେ ‘ଗତ ୪୦ ବର୍ଷ ହେଲା ନକ୍ସଲବାଦ ଦେଶର ଗଣତନ୍ତ୍ର ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଏହି ନକ୍ସଲ ଉପଦ୍ରବ ପାଇଁ ଗତ ଦଶନ୍ଧୀରେ ୧୭ ହଜାର ଲୋକଙ୍କ ଜୀବନ ଯାଇଛି। ଯେବେଠାରୁ ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲାଣି ଆମେ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିଛୁ। ଯେଉଁମାନେ ହାତରେ ଅସ୍ତ୍ର ଉଠାଇଛନ୍ତି ସେମାନଙ୍କୁ ମୁଖ୍ୟଧାରାକୁ ଫେରାଇ ଆଣିବାକୁ ଚେଷ୍ଟା କରିଛୁ।’


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.