ଭୁବନେଶ୍ଵର, ୧୭/୯ : ଓଡ଼ିଶାରେ 'ମା' ପାଇଁ ବୃକ୍ଷଟିଏ' କାର୍ଯ୍ୟକ୍ରମ ସଫଳ। ଦିନ ଗୋଟାଏ ୧୩ ମିନିଟ୍‌ରେ ୭୫ ଲକ୍ଷ ଛୁଇଁଲା ବୃକ୍ଷରୋପଣ ସଂଖ୍ୟା। ସବୁଠୁ ଆଗରେ କୋରାପୁଟ ଜିଲ୍ଲା। ଟାର୍ଗେଟ୍ ହାସଲ ହୋଇଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ, ରାଜ୍ୟରେ ୭୫ ଲକ୍ଷ ଗଛ ଲଗାଇବା ପାଇଁ ଟାର୍ଗେଟ୍ ନିଆଯାଇଥିଲା। ଏଥିରେ ଆମେ ସଫଳ ହୋଇଛୁ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃକ୍ଷରୋପଣ ଚାଲିବ। ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା କୋଟିଏ ପାର୍ କରିପାରେ। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେପ୍ଟେମ୍ଵର ୩୦ ଯାଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆଜି ବୃକ୍ଷରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ ତୃତୀୟ, ସୁନ୍ଦରଗଡ଼ ଚତୁର୍ଥ, କଳାହାଣ୍ଡି ପଞ୍ଚମ ସ୍ଥାନ ଅଧିକାର କରିଛି। ଗତ ଥର 'ମା' ପାଇଁ ଗଛଟିଏ' କାର୍ଯ୍ୟକ୍ରମରେ ସାଢେ ୬ କୋଟି ଗଛ ଲାଗିଥିଲା। ଏଥର ଓଡ଼ିଶାକୁ ଯେଉଁ ସାଢେ ୭ କୋଟି ଲକ୍ଷ୍ୟ ଦିଆଯାଇଛି ତାକୁ ପୂରଣ କରିବ। ପୁଣି ଥରେ ବୃକ୍ଷରୋପଣ କରି ମେରୀ ଲାଇଫ୍ ପୋର୍ଟାଲରେ ସେଲ୍ଫି ଅପାଲୋଡ଼ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ।