‘ଏକଲବ୍ୟ ପୁରସ୍କାର-୨୦୨୩’ ନିମନ୍ତେ ଦରଖାସ୍ତ ଆହ୍ୱାନ, ଇଚ୍ଛୁକ ପ୍ରାର୍ଥୀ ଏମିତି କରିପାରିବେ ଆବେଦନ

ଭୁବନେଶ୍ୱର ୩୧/୩: ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ ଟ୍ରଷ୍ଟ’(IMPaCT) ତରଫରୁ ସମ୍ମାନଜନକ ୩୧ ତମ ‘ଏକଲବ୍ୟ ପୁରସ୍କାର ୨୦୨୩’ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି । ‘ଏକଲବ୍ୟ ପୁରସ୍କାର’ ହେଉଛି ଓଡିଶାର ଶ୍ରେଷ୍ଠ ଯୁବ କ୍ରୀଡାବିତଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡା ପୁରସ୍କାର, ଯାହାର ନଗଦ ରାଶି ପରିମାଣ ୫ ଲକ୍ଷ ଟଙ୍କା ରହିଛି । ମୁଖ୍ୟ ପୁରସ୍କାର ଛଡା ଦୁଇଗୋଟି ଦୃଷ୍ଟାନ୍ତମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ, ଯାହାର ପୁରସ୍କାର ରାଶି ପରିମାଣ ୫୦ ହଜାର ଟଙ୍କା ଲେଖାଏଁ ରହିଛି ।
ଆଗ୍ରହୀ ପ୍ରାର୍ଥୀମାନେ ଓଡିଶାସ୍ଥିତ କୌଣସି କ୍ରୀଡା ସଙ୍ଗଠନ/ବୋର୍ଡ/ସଂଘ, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ନାମାଙ୍କନ ପତ୍ର ପଠାଇପାରିବେ । ପ୍ରାର୍ଥୀମାନଙ୍କର ବୟସ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ପ୍ରାର୍ଥୀମାନେ ପ୍ରାଞ୍ଜଳ ଭାବେ ନିଜ ବୟସ ପ୍ରମାଣପତ୍ର ସହିତ ଗତ ଦୁଇବର୍ଷ (୧ ଏପ୍ରିଲ ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୩) ମଧ୍ୟରେ ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ୱର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିପାରିବେ ।

କହିରଖୁଛୁ ପ୍ରାର୍ଥୀପତ୍ରଗୁଡିକ ମେ ୩୧ ତାରିଖ ସୁଦ୍ଧା ‘ଏକଲବ୍ୟ ପୁରସ୍କାର, ଇମ୍ପାକ୍ଟ, ଇମ୍ଫା ବିଲ୍ଡିଂ ଭୁବନେଶ୍ୱର ୭୫୧୦୧୦’ ଠିକଣାରେ ପହଞ୍ଚିବା ଆବଶ୍ୟକ । ଅନ୍ୟ ପକ୍ଷରେ ପ୍ରାର୍ଥୀପତ୍ରଗୁଡିକ [email protected] କୁ ଇ-ମେଲ୍ କରିହେବ ଏବଂ ସହାୟକ କାଗଜପତ୍ରଗୁଡିକୁ ସ୍ୱତନ୍ତ୍ର ଭାବେ ଉପରୋକ୍ତ ଠିକଣାକୁ ଡାକ ମାଧ୍ୟମରେ ପଠାଇବାକୁ ହେବ ।