ନୂଆଦିଲ୍ଲୀ, ୨୬।୬: ମୌସୁମୀ ଋତୁରେ ଜୁନ୍ ୨୩ ସୁଦ୍ଧା ଭାରତରେ ୪୨% କମ୍ ବର୍ଷା ଏବଂ ଏଲ୍ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ତତ୍ପର ହୋଇଛନ୍ତି । ଖରିଫ୍ ଫସଲକୁ ବଞ୍ଚାଇବା ପାଇଁ ଆପାତକାଳୀନ ଉପାୟ ଉପରେ ବିଚାର କରୁଛନ୍ତି । କମ୍ ବର୍ଷା ଏବଂ ଜଳସେଚନ ଅଭାବଯୁକ୍ତ ୩୧୫ ଜିଲ୍ଲାର ଚିହ୍ନଟ କରିଛନ୍ତି, ଯେଉଁ ଅଞ୍ଚଳରେ ମରୁଡ଼ି ସମ୍ଭାବନା ରହିଛି । ଏଥିମଧ୍ୟରୁ ଅଧିକାଂଶ ଜିଲ୍ଲା ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଆଦି ରାଜ୍ୟରେ ରହିଛି । ଜିଲ୍ଲା ହିସାବରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କୃଷିମନ୍ତ୍ରୀ ଶୀବରାଜ ସିଂହ ଚୌହାନ ମଙ୍ଗଳବାର ଦୁର୍ବଳ ମୌସୁମୀର ମୁକାବିଲା ଦିଗରେ ଦେଶର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ସେ ଫସଲ ଉତ୍ପାଦନ ଉପରେ ପ୍ରଭାବ କମ୍ କରିବା ପାଇଁ ଜଳ ସଂରକ୍ଷଣ, ଫସଲ ବିବିଧକରଣ ଏବଂ ବୈଜ୍ଞାନିକ ଉପାୟରେ ଚାଷକାର୍ଯ୍ୟ ଉପରେ ଜୋର ଦେଇଛନ୍ତି ।
ସରକାର ୨୦୨୬ ଖରିଫ ଋତୁ ପାଇଁ ଶସ୍ୟ ଉତ୍ପାଦନ ଲକ୍ଷ ପାଖାପାଖି ୧୭.୬ କୋଟି ଟନ୍ ଧାର୍ଯ୍ୟ କରିଛନ୍ତି । ଏହା ପୂର୍ବବର୍ଷ ଅମଳ ଋତୁର ଉତ୍ପାଦନ ସହ ସମାନ । ଏଯାବତ କମ୍ ବର୍ଷା ସତ୍ତେ୍ୱ ଜୁନ୍ ୨୨ ସୁଦ୍ଧା ୧.୧୯ କୋଟି ହେକ୍ଟର ଜମିରେ ଫସଲ ବୁଣାଯାଇସାରିଛି । ପୂର୍ବବର୍ଷ ସମାନ ସମୟରେ ଏହା ଥିଲା ୧.୧୭ କୋଟି ହେକ୍ଟର । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୋୟାବିନ ଚାଷ ସାମାନ୍ୟ ପଛୁଆ ରହୁଛି । କୃଷି ମନ୍ତ୍ରାଳୟ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍) ମିଳିତ ହୋଇ ବର୍ଷା ପାଟର୍ଣ୍ଣ, ଜଳସେଚନ ସୁବିଧା ଏବଂ ସ୍ଥାନୀୟ ମୌସୁମୀ ସ୍ଥିତିର ବୈଜ୍ଞାନିକ ତଥ୍ୟ ବ୍ୟବହାର କରି କମ୍ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିଛନ୍ତି । ଚିହ୍ନଟ ହୋଇଥିବା ୩୧୫ ଜିଲ୍ଲା ମଧ୍ୟରୁ ୧୧୧କୁ ଉଚ୍ଚ ପ୍ରାଥମିକତାଯୁକ୍ତ ବର୍ଗରେ ରଖାଯାଇଛି, ଯେଉଁଠାରେ ଜଳସେଚନ ସୁବିଧା ୨୫%ରୁ କମ ରହିଛି । ୭୬ ଜିଲ୍ଲା ‘ମଧ୍ୟମ ପ୍ରାଥମିକତା’ ବର୍ଗରେ ଅଛନ୍ତି, ଯେଉଁଠାରେ ଜଳସେଚନ ସୁବିଧା ୨୫-୫୦% ମଧ୍ୟରେ ରହିଛି ।
ଏହା ବି ପଢ଼ନ୍ତୁ... ଜୁନ୍ ୨୮ ଯାଏଁ ବନ୍ଦ ରହିବ EPFO ପୋର୍ଟାଲ; ଉଠାଇପାରିବେନି PF ଟଙ୍କା, ଜାଣନ୍ତୁ କାରଣ...
ସେହିଭଳି ୧୨୮ ଜିଲ୍ଲାକୁ ଅପେକ୍ଷାକୃତ କମ୍ ରିସ୍କଯୁକ୍ତ ବର୍ଗରେ ରଖାଯାଇଛି । କାରଣ ଏଠାକାର ଜଳାଶ୍ରୟ ଏବଂ ଅନ୍ୟ ଉତ୍ସଗୁଡ଼ିକ ମାଧ୍ୟମରେ ଜଳସେଚନର ଉନ୍ନତ ସୁବିଧା ଉପଲବ୍ଧ ରହିଛି । ଚିହ୍ନଟ ହୋଇଥିବା ଜିଲ୍ଲା ମଧ୍ୟରୁ ଅଧିକାଂଶ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତର ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ରହିଛି । କମ୍ ବର୍ଷା ସ୍ଥିତିର ମୁକାବିଲା ପାଇଁ ଆଇସିଏଆର୍ ଜିଲ୍ଲା ସ୍ତରରେ ଆପାତକାଳୀନ ଯୋଜନା ପ୍ରସ୍ତୁତ କରିଛି । ଏଥିରେ ବର୍ଷା ଉପରେ ନିର୍ଭରଶୀଳ ସ୍ଥାନରେ ଆୟ ହାନିଜନିତ କ୍ଷତିକୁ କମ୍ କରିବା ପାଇଁ ବୈକଳ୍ପିକ ଫସଲଗୁଡ଼ିକର ଚୟନ ଏବଂ ଫସଲ ବୁଣା ସମୟର ସଂଶୋଧନ ଲାଗି ପରାମର୍ଶ ଦିଆଯାଇଛି ।