ନୂଆଦିଲ୍ଲୀ: ବର୍ତମାନ ସମୟରେ ଏକ ବଡ ଖବର ଏବେ କୋଲକାତାରୁ ଆସୁଛି ତୃଣମୂଳ କଂଗ୍ରେସ (TMC) ଭିତରେ ଆଭ୍ୟନ୍ତରୀଣ ଦ୍ୱନ୍ଦର ଆଉ ଏକ ସଙ୍କେତ ଦେଖିବାକୁ ମିଳୁଛି। ସୋମବାର ବିଦ୍ରୋହୀ ବିଧାୟକ ରୀତାବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ଏକ ନୂତନ କମିଟି ଗଠନ କରି ଦଳର ଦ୍ୱିତୀୟ ସର୍ବୋଚ୍ଚ ନେତା ଅଭିଷେକ ବାନାର୍ଜୀଙ୍କୁ ନିଲମ୍ବିତ କରିଥିବା ସୂଚନା ଆସୁଛି। ରିପୋର୍ଟ ଅନୁଯାୟୀ, ବିଦ୍ରୋହୀ ଟିଏମସି ବିଧାୟକ ମାନେ ତୃଣମୂଳ କଂଗ୍ରେସ କାଉନସିଲର ମାନଙ୍କ ସହିତ ଏକ ଗୁପ୍ତ ବୈଠକ କରିଥିଲେ। ସୂତ୍ର ଅନୁଯାୟୀ ବୈଠକରେ ତୃଣମୂଳ କଂଗ୍ରେସର ନାମ ଏବଂ ଲୋଗୋ ବ୍ୟବହାର କରାଯାଇଥିଲା, କିନ୍ତୁ ମମତା ବାନାର୍ଜୀଙ୍କ ଫଟୋ ନଥିଲା। ସୂତ୍ର ଗୁଡ଼ିକ ଏହା ମଧ୍ୟ କହୁଛି ଯେ, ଏହି ଗୁପ୍ତ ବୈଠକରେ ଆଗାମୀ ଦିନରେ ଅଭିଷେକ ବାନାର୍ଜୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିଷ୍ପତ୍ତି ନିଆଯାଇଛି।
କୋଲକାତାରେ ଗୁପ୍ତ ବୈଠକ ଅନୁଷ୍ଠିତ...
ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଏବଂ ବିଦ୍ରୋହୀ ବିଧାୟକ ରୀତାବ୍ରତ ବାନାର୍ଜୀ ଆଜି ଅପରାହ୍ନରେ ନ୍ୟୁ ଟାଉନର ଏକ ହୋଟେଲରେ ପୂର୍ବତନ ଏବଂ ବର୍ତ୍ତମାନର ତୃଣମୂଳ କାଉନସିଲରଙ୍କ ଏକ ଗୋଷ୍ଠୀ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ବୈଠକ କରିଥିବା ଜଣାପଡ଼ିଛି। ପ୍ରାୟ ୬୦ ରୁ ୭୦ ଜଣ କାଉନସିଲର ଏବଂ ବରିଷ୍ଠ ନେତା ଏହି ଗୁପ୍ତ ବୈଠକରେ ଯୋଗ ଦେଇଥିଲେ। ପୂର୍ବତନ ରାଜ୍ୟ ମନ୍ତ୍ରୀ ତଥା ବିଧାୟକ ଜାଭେଦ ଖାନ, ଅରୂପ ରାୟ ଏବଂ କୋଲକାତା ମ୍ୟୁନିସିପାଲ୍ କର୍ପୋରେସନର ଅନେକ କାଉନସିଲର ଉପସ୍ଥିତ ଥିଲେ।
ଅଭିଷେକ ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...
ସୂତ୍ର ଅନୁସାରେ ଏହି ବୈଠକରେ ଏକ ୧୧ ଜଣିଆ କମିଟି ଗଠନ କରାଯାଇଥିଲା। ଅରୂପ ରାୟଙ୍କୁ ଏହି ଜାତୀୟ କାର୍ଯ୍ୟକାରିଣୀ କମିଟିର ସଭାପତି ନିଯୁକ୍ତ କରାଯାଇଛି। ସୂତ୍ର ଅନୁସାରେ ଏକ ପ୍ରସ୍ତାବ ପାରିତ କରି ଅଭିଷେକ ବାନାର୍ଜୀଙ୍କୁ ନିଲମ୍ବିତ କରାଯାଇଛି। ଉଲ୍ଲେଖନୀୟ ଯେ ଏହି ଗୁପ୍ତ ବୈଠକରେ ତୃଣମୂଳ କଂଗ୍ରେସ ଦଳର ନାମ ଏବଂ ଲୋଗୋ ବ୍ୟବହାର କରାଯାଇଥିଲେ ମଧ୍ୟ, ମମତା ବାନାର୍ଜୀଙ୍କ କୌଣସି ଫଟୋ ବ୍ୟବହାର କରାଯାଇ ନଥିଲା।
ଏହା ସହ ପଢନ୍ତୁ : Brahmos-missile : ପାକିସ୍ତାନକୁ ଘାଇଲା କରିଥିବା ଘାତକ ଭାରତୀୟ କ୍ଷେପଣାସ୍ତ୍ରକୁ କିଣିବାକୁ ଆଗ୍ରହୀ ଏହି ମୁସଲିମ୍ ଦେଶ, ଆଲୋଚନା କରୁଛନ୍ତି ଆଉ ୪ ଦେଶ…