କଲ୍ୟାଣସିଂହପୁର,୨୨/୦୬: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧୀନ ସାଇନଗରରେ ୨ ସ୍ୱେଚ୍ଛାସେବୀଙ୍କୁ ଆକ୍ରମଣ ଓ ଭିଡ଼ ହିଂସା ମାମଲରେ ପୁଲିସ ଆଉ ୩ ଜଣଙ୍କୁ ଗିରଫ କରିଛି । ଏହାପରେ ଏହି ମାମଲାରେ ଗିରଫ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ତଦନ୍ତ ଚାଲିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି । ଶାନ୍ତି ବଜାୟ ରଖିବା, ଗୁଜବରେ ବିଶ୍ୱାସ ନକରିବାକୁ ସ୍ଥାନୀୟ ପୁଲିସ୍ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରି ଅନୁରୋଧ କରାଯାଇଛି । ଏହି ଘଟଣାରେ ପୁଲିସ୍ ମାମଲା ରୁଜୁ କରି ପ୍ରଥମେ ୧୬ଜଣଙ୍କୁ ଗିରଫ କରିଥିଲା । ପରେ ୫ ଜଣ ଏବଂ ଏବେ ଆଉ ୩ଜଣଙ୍କୁ ଗିରଫ କରାଯାଇଛି । ଭିଡିଓ ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ କହିଛି ।

 

ଏ ନେଇ ଏସ୍‌ପି ରାଜ ପ୍ରସାଦ କହିଛନ୍ତି, ଘଟଣାରେ ଜଡ଼ିତ କାହାକୁ ବି ଛଡ଼ାଯିବ ନାହିଁ । ମାମଲାରେ ଗିରଫଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି । ଏହି ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପୁଲିସ୍ "ରେଡ୍ ଫ୍ଲାଗ୍ କେସ୍' ଭାବେ ଚିହ୍ନଟ କରିଛି । ତଦନ୍ତରେ କ୍ରାଇମ୍ ବ୍ରାଞ୍ଚର ସହଯୋଗ ନିଆଯାଇଛି । ଘଟଣାର ଭିଡିଓ ଉତ୍ତୋଳନ କରିବା ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇଟି ଆଇନ୍ ଅନୁଯାୟୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତମାନେ ଏ ପର୍ଯ୍ୟନ୍ତ ଧରାପଡ଼ିନଥିବା ବେଳେ ନିର୍ଦ୍ଦୋଷଙ୍କୁ ଗିରଫ କରାଯାଉଥିବା କେତେକ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ପୁଲିସ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଅଧିକ ପଢ଼ନ୍ତୁ :- Odisha Assembly: ଶୀଘ୍ର ଗଢ଼ାହେଉ ବିଧାନସଭା ଷ୍ଟାଣ୍ଡିଂ କମିଟି, ରାଜ୍ୟପାଳଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର, ଗଣେଶ୍ୱର, ରାମଚନ୍ଦ୍ର କାଡାମ