ରାୟଗଡ଼ା, ୨୧/୦୬: ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ ହିଂସା ମାମଲା । ପିଲା ଚୋରି ସନ୍ଦେହରେ ଭିଡ଼ ହିଂସା ଘଟଣାକୁ ଜିଲ୍ଲା ପୁଲିସ ଗୁରୁତ୍ବ ଅନୁଭବ କରି କେସକୁ ରେଡ୍ ଫ୍ଳାଗ ଅନ୍ତର୍ଭୁକ୍ତ କରିବାକୁ ବିଭାଗକୁ ଅନୁରୋଧ କରିଛି। ଘଟଣାର ତଦନ୍ତରେ କ୍ରାଇମବ୍ରାଞ୍ଚକୁ ରାୟଗଡା ପୁଲିସ ସହାୟତା କରୁଛି ବୋଲି ରାୟଗଡା ଏସ୍ ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।
ଏହି ଭିଡ଼ି ହିଂସା ଘଟଣାରେ ବର୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ଅନେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତରଫରୁ ଏକାଧିକ ଟିମ୍ ଗଠନ କରାଯାଇଛି। ଘଟଣାରେ ଯେଉଁମାନେ ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି ଏବଂ ପରବର୍ତ୍ତି ସମୟରେ ଏହାକୁ ଭାଇରଲ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ଏସପି କହିଛନ୍ତି ।
ଏହାଛଡ଼ା ପୁଲିସର ସାଇବର ଟିମ ଏବଂ ଦକ୍ଷିଣ ପୂ୍ର୍ବାଞ୍ଚଳ ଡିଆଇଜି ଅଖିଳେଶ୍ବର ସିଂଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଥିଲେ। ସମସ୍ତ ଘଟଣା ସେ ନିଜେ ତଦାରଖ କରୁଥିବା ପ୍ରକାଶ କରିଥିଲେ। ଘଟଣାକୁ ନେଇ ବର୍ତମାନ ସୁଦ୍ଧା ୩ଟି କେସ ହୋଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ୨ ସ୍ବେଚ୍ଛୋସେବୀ ଏଫଆଇଆର ଦାଖଲ କରିନାହାନ୍ତି ବୋଲି ଜଣାପଡିଛି। ଆକ୍ରମଣର ଶିକାର ହୋଇଥିବା ୨ଜଣ କିଭଳି ଶୀଘ୍ର ସୁସ୍ଥ ହେବେ ସେ ନେଇ ପୁଲିସ ପ୍ରୟାସ ଜାରି ରଖିଛି ବୋଲି ଏସପି କହିଛନ୍ତି।
ସୂଚନା ଅନୁଯାୟୀ, ଘଟଣା ଦିନ ଦିଲ୍ଲୀର ସୁମନ ଝା ଏବଂ ଗୁଜରାଟର ଜଣେ ସାଥୀ ଯୁବତୀ ଏକ ସ୍କୁଟିରେ କନ୍ଧମାଳର ଦାରିଙ୍ଗବାଡ଼ିରୁ କଳାହାଣ୍ଡିର ଥୁଆମୂଳରାମପୁରକୁ ଫେରୁଥିଲେ । କଲ୍ୟାଣସିଂହପୁର ଅଞ୍ଚଳରେ ପହଞ୍ଚିବା ବେଳକୁ ପ୍ରାୟ ସନ୍ଧ୍ୟା ୭ ହୋଇ ସାରିଥିଲା । ଗୁଗଲ୍ ମ୍ୟାପ୍ ସହାୟତାରେ ସର୍ଟକଟ୍ ଦେଇ ଯିବାକୁ ଉଭୟେ ଉଦ୍ୟମ କରି ନାଗାବଳୀ ନଦୀ କୂଳରେ ପହଞ୍ଚିଥିଲେ । ସେଠାରେ ଜଣେ ବୟସ୍କ ଲୋକ ସେମାନଙ୍କୁ କହିଲେ, ନକ୍ସଲ ପ୍ରଭାବିତ ଅଞ୍ଚଳ । ରାସ୍ତା ଭଲ ନାହିଁ । ଆପଣମାନେ ବାହାର ଲୋକ । ଓଡ଼ିଆ ଜାଣନ୍ତି ନାହିଁ । ରାତିରେ ସେ ବାଟ ଦେଇ ଯାଆନ୍ତୁ ନାହିଁ । ତେଣୁ ଉଭୟେ ପଛକୁ ଫେରିଥିଲେ । କିଛି ବାଟ ଫେରିବା ପରେ ସିଲେଟ ପଞ୍ଚାୟତର ଡାଣ୍ଡପଦର ନିକଟରେ କୌଣସି କାରଣରୁ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଏହି ସମୟରେ ୫/୬ ଜଣ ଯୁବକ ସେଠାରେ ସେମାନଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଥିଲେ । ଉଭୟେ ହିନ୍ଦୀରେ ଉତ୍ତର ଦେବା ସହ ନିଜର ଏନଜିଓ ପରିଚୟ ପତ୍ର ଦେଖାଇଥିଲେ । ତଥାପି ଯୁବକମାନେ ସ୍କୁଟି ଚାବି ଛଡ଼ାଇ ନେବାକୁ ଏବଂ କାବୁ କରିବାକୁ ଉଦ୍ୟମ କରିଥିଲେ । କୌଣସି ପ୍ରକାରେ ଉଭୟ ସେମାନଙ୍କଠାରୁ ଖସି ଦ୍ରୁତ ଗତିରେ ସ୍କୁଟି ଚଳାଇ ପଳାଇ ଆସିଥିଲେ । କିନ୍ତୁ ଯୁବକମାନେ ସେମାନଙ୍କୁ ବିଭିନ୍ନ ଗାଡ଼ିରେ ପିଛା କରିଥିଲେ । ଏହି ସମୟରେ ପାଖଆଖ ଗାଁର କିଛି ଲୋକଙ୍କୁ ସେମାନେ ମୋବାଇଲ ଫୋନ ଯୋଗେ ସୂଚନା ଦେଇଥିଲେ ଯେ ଦୁଇ ଜଣ ପିଲା ଚୋର ଖସି ପଳାଉଛନ୍ତି । ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ ଯୁବକମାନେ ପିଛା କରିଥିଲେ ।
ଲାଞ୍ଜିଗଡ଼ ବ୍ଲକ୍ ସିଲେଟ ପଞ୍ଚାୟତର ଡାଣ୍ଡପଦର, କାନ୍ଦୁଲଗୁଡ଼ା, ସାନକୁଆଙ୍ଗ, କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ପେଡ଼ିପଦର, ଧାମୁଣିପଙ୍ଗା, କଟିକିନାଲ, କଦଭଟା ପରେ ସଦର ପଞ୍ଚାୟତର ଇନ୍ତାଳୀଗୁଡ଼ା ଆଦି ଅଞ୍ଚଳ ପାର ହୋଇ ସାଇନଗରରେ ସ୍କୁଟି ପହଞ୍ଚିଥିଲା । ସେମାନଙ୍କ ଉପରକୁ କେତେକ ଲୋକ ପଥର ମଧ୍ୟ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ଅଚାନକ ସ୍କୁଟିର ଚକା ଖସି ଯାଇଥିଲା । ପାଖଆଖ ଲୋକମାନେ ଘେରି ଯାଇ ବାଡ଼େଇବା ଆରମ୍ଭ କରିଥିଲେ । ହିନ୍ଦୀରେ ଯେତେ ବୁଝାଇଲେ କିମ୍ବା ପରିଚୟପତ୍ର ଦେଖାଇଲେ ମଧ୍ୟ ସେମାନେ ମାନିବାକୁ ନାରାଜ ଥିଲେ । ଗୋଟିଏ ଆକ୍ଷେପ ଥିଲା, ତୁମେ ଦୁଇଜଣ ପିଲାଚୋର । ଲୋକଙ୍କ କବଳରୁ ବହୁ କଷ୍ଟରେ ସୁମନ ଖସିଯାଇ ୩ ଶହ ମିଟର ଦୂର ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ତତ୍କ୍ଷଣାତ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସାଥୀ ଯୁବତୀଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଯୁବତୀ ଜଣଙ୍କ ଅକଥନୀୟ ନିର୍ଯାତନା ଭୋଗି ସାରିଥିଲେ । ତାଙ୍କର କରୁଣ ଚିତ୍କାର ଜହ୍ଲାଦମାନଙ୍କ ଉପରେ ତିଳେ ମାତ୍ର ପ୍ରଭାବ ପକାଇ ନଥିଲା । ଚାରିପଟୁ ଘୋଷାଡ଼ି ତାଙ୍କ ଦେହରୁ ଗୋଟିଏ ପରେ ଗୋଟିଏ କପଡ଼ା ଚିରି ଦେଇଥିଲେ । କିଏ ପଛରୁ ଟାଣୁଥିଲା ତ ଆଉ କିଏ ବାମରୁ, ଡାହାଣରୁ ଘୋଷାଡ଼ୁଥିଲା । ଆତିଥେୟତା ପାଇଁ ଦୁନିଆରେ ନାମ କମାଇଥିବା ଓଡ଼ିଶାର ସବୁ ସମ୍ମାନ ଏହି ଜହ୍ଲାଦମାନଙ୍କ ହାତରେ ଭୂଲୁଙଋିତ ହୋଇଥିଲା ।
ଡାକ୍ତରଖାନାରେ ଏହି ନିର୍ଯାତନାକୁ ଥରଥର କୋହଭରା କଣ୍ଠରେ ଗଣମାଧ୍ୟମକୁ କହିଛନ୍ତି ଯୁବତୀ । ଓଲଟି ପ୍ରଶ୍ନ କରିଛନ୍ତି, ଆମେ କ’ଣ ପିଲା ଚୋର? ଆମେ ଆସିଥିଲୁ ସେବା କରିବାକୁ, ପ୍ରତିଦାନ ଏହା ମିଳିଲା । ଏହା ଶୁଣି ଗଣମାଧ୍ୟମ ପ୍ରତିନିଧିମାନଙ୍କ ମୁଣ୍ଡ ମଧ୍ୟ ତଳକୁ ହୋଇଯାଇଥିଲା । ସେତିକି ନୁହେଁ, ସଭ୍ୟତା ନଥିବା ଭଳି ଜହ୍ଲାଦମାନେ ପରେ ଡାକ୍ତରଖାନା ଓ ଥାନା ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ । ଯେଉଁ ପିସିଆର୍ରେ ପୀଡ଼ିତଙ୍କୁ ନିଆଯାଉଥିଲା ଚଳଚ୍ଚିତ୍ର ଷ୍ଟାଇଲ୍ରେ ଗାଡ଼ି ଝରକାରେ ଓହଳି ଆକ୍ରମଣ କରିଥିଲେ । ଏବେ ପୁଲିସ ପାଇଁ ବଡ଼ ଚାଲେଞ୍ଜ ଘଟଣାର ଅଭିଯୁକ୍ତମାନଙ୍କୁ ଖୋଜିବା । ଉପରୋକ୍ତ ଗ୍ରାମଗୁଡ଼ିକ ସହ ହାତୀମୁଣ୍ଡା ଓ ଖୁଦଭଟ୍ଟା ଗ୍ରାମ ଆଦି ପୁରୁଷ ଶୂନ୍ୟ ହୋଇଯାଇଛି । ଗାଁର ମହିଳାମାନେ କହୁଛନ୍ତି ଆମ ଲୋକମାନେ ଏହି ଘଟଣା ଘଟାଇ ନାହାନ୍ତି । ବାହାର ଲୋକମାନେ ଜଡ଼ିତ । ଅନୁନତ୍ନ ଅଞ୍ଚଳ । ଏତେ ସିସିଟିଭି ନାହିଁ ଯେ ପୁଲସିକୁ ସବୁ ପ୍ରମାଣ ମିଳିଯିବ । ଯାହା କିଛି ଭିଡିଓ ମିଳିଛି ତାହା ଆଧାରରେ ପ୍ରଥମେ ୧୬ ଜଣ ଏବଂ ପରେ ଆଉ ୫ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ଶହେରୁ ଅଧିକ ଲୋକ ସଂପୃକ୍ତ ଥିବା ଭାଇରାଲ ଭିଡିଓରୁ ସ୍ପଷ୍ଟ । ଯେଉଁ ୫/୬ ଜଣ ବାଇକରେ ଗୋଡ଼ାଉଥିଲେ ସେମାନେ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ ।
ଅଧିକ ପଢନ୍ତୁ- Body Found: କୁଳିଅଣା ଥାନା ସମ୍ମୁଖରେ ଯୁବକଙ୍କ ଚରମ ନିଷ୍ପତ୍ତି; ଗଛରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ