ଭୁବନେଶ୍ୱର/ରାୟଗଡ଼ ।/ କଲ୍ୟାଣସିଂପୁର,୨୩/୦୬: ପିଲା ଚୋର ସନ୍ଦେହରେ ରାୟଗଡ଼ା କଲ୍ୟାଣସିଂହପୁର ବର୍ବର କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲୁ) । ନିଜ ଆଡ଼ୁ ମାମଲା ଦାୟର କରି ପୁଲିସ ମହାନିର୍ଦ୍ଦେଶକଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର୍) ତଲବ କରାଯାଇଛି ।

ମାମଲାରେ ଏଫ୍ଆଇଆର୍ କପି, ତଦନ୍ତର ସ୍ଥିତି, ଅଭିଯୁକ୍ତ ଓ ଗୁଜବକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସବିଶେଷ ତଥ୍ୟ ଦେବାକୁ ଡିଜିପି ଆଦେଶିତ ହୋଇଛନ୍ତି । ଏହାସହ ଅଣଓଡି଼ଆ ଯୁବତୀଙ୍କୁ ଦିଆଯାଇଥିବା ଚିକିତ୍ସା, କାଉନ୍‌ସେଲିଂ ସହ ବିଭିନ୍ନ ଏନ୍‌ଜିଓରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଓ ଇନ୍‌ଟର୍ଣ୍ଣଙ୍କ ସୁରକ୍ଷା ପ୍ରତି ନିଆଯାଇଥିବା ପଦକ୍ଷେପକୁ ନେଇ ସବିଶେଷ ତଥ୍ୟ ମାଗିଛନ୍ତି ଏନ୍‌ସିଡବ୍ଲୁ ।

ଏହି ଘୃଣ୍ୟ ମାମଲାଟି ଏବେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍‌ସି)ଙ୍କ ନିକଟରେ ପହଞ୍ଚିଛି । ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ଓ ସୁବ୍ରତ ଦାସ ଏନ୍ଏଚ୍ଆର୍‌ସିରେ ୨ଟି ପୃଥକ୍ ଅଭିଯୋଗ କରିଛନ୍ତି । ଗୁଜବ ରୋକିବାରେ ଏବଂ ୨ ପୀଡି଼ତଙ୍କୁ ସୁରକ୍ଷା ଦେବାରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପିଟିସନରେ ଦର୍ଶାଯାଇଛି । ଏହି ପିଟିସନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ, ରାୟଗଡ଼ା ଏସପି, ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ପୀଡ଼ିତାଙ୍କୁ ଉପଯୁକ୍ତ ଚିକିତ୍ସା, କ୍ଷତିପୂରଣ ଏବଂ ମାନସିକ ପରାମର୍ଶ ଯୋଗାଇ ଦେବାକୁ ଆୟୋଗଙ୍କଠାରେ ଆବେଦନ କରାଯାଇଛି ।

 

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଏହି ଲୋମହର୍ଷଣକାରୀ ଘଟଣାକୁ ଅତି ନିନ୍ଦା କରିଛନ୍ତି । କହିଛନ୍ତି, ଦିଲ୍ଲୀ ଫେରିଥିବା ପୀଡି଼ତାଙ୍କ ସହ ଭିଡିଓ ରେକର୍ଡିଂରେ ବୟାନ ରେକର୍ଡ କରାଯାଇଛି । ୬୦ ଦିନ ଭିତରେ ଫାଷ୍ଟଟ୍ରାକ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଗୁରୁତ୍ୱ ଦିଆଯାଉଛି । କାହିଁକି କେଉଁ ପରିସ୍ଥିତିରେ ଏତେ ବଡ଼ ଘୃଣ୍ୟ କାଣ୍ଡ ଘଟିଗଲା, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଜିଲ୍ଲା ଏସ୍‌ପିଙ୍କ ସହ ଆଲୋଚନା କରିଛି ।

ଏଡିଜି (ସିଏଡବ୍ଲୁ ଆଣ୍ଡ ସିଡବ୍ଲୁ) ଏସ୍. ସାଇନିଙ୍କ କହିବା ମୁତାବକ, ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛୁ । ସର୍ବୋଚ୍ଚ ପ୍ରାଥମିକତା ମାମଲା ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଅଧୀନରେ ଶୁଣାଣି କରାଯିବ । ମାମଲା ତଦନ୍ତକୁ ନିରନ୍ତର ଅନ୍ତରାଳରେ ମନିଟରିଂ କରାଯିବ। ଘଟଣାଦିନ ପୀଡିତା ଯାହାକୁ ବାଟ ପଚାରିଥିଲେ, ସେହି ବ୍ୟକ୍ତି ହିଁ ‘ପିଲା ଚୋର’ ଗୁଜବ ରଚିଥିଲା । ଏହି କଦର୍ଯ୍ୟ କାଣ୍ଡର କାର୍ପଟଦାରକୁ କଲ୍ୟାଣସିଂପୁର ଥାନା ପୁଲିସ ଗିରଫ କରିସାରିଛି । ପୁଲିସ ପାଖରେ ୧୦ରୁ ଅଧିକ ଭିଡିଓ ରହିଛି । ଅଭିଯୁକ୍ତଙ୍କୁ ଚିହ୍ନଟ ଚାଲିଛି । ଆଗକୁ ଟିଆଇ ପରେଡ୍ ହୋଇପାରେ ।

 

ରାୟଗଡ଼ା ଏସ୍‌ପି ରାଜପ୍ରସାଦ ସୋମବାର ସନ୍ଧ୍ୟା ୫ଟାରେ କଲ୍ୟାଣସିଂପୁର ଇନ୍ତାଲିଗୁଡ଼ା ଛକରେ ପହଞ୍ଚି ସରଜମିନ୍ ତଦନ୍ତ କରିଛନ୍ତି । ଭିଡ଼ ହିଂସାରୁ ଅଣଓଡି଼ଆ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକ ବଳରାମ ବାଗ, ପୁରୁଷୁ ଶିକକା ଓ ବିଶ୍ୱନାଥ କୁନାକାଙ୍କୁ ଭେଟି ସାବାସୀ ଜଣାଇଛନ୍ତି । ଘଟଣାଦିନ ଉପସ୍ଥିତ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ତଦନ୍ତର ଅଗ୍ରଗତି ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସମଗ୍ର ଅଞ୍ଚଳରେ ଅଧିକ ପୁଲିସ୍ ଫୋର୍ସ ମୁତୟନ ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ଏସ୍‌ପି କହିଛନ୍ତି ।

ଏହି ମାମଲାରେ ପୁଲିସ୍ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ଗିରଫ ୨୪ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।  ଗିରଫଦାରି ଭୟରେ ଇନ୍ତାଲିଗୁଡ଼ା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ପିଲାଚୋରି ଗୁଜବ ଉଡ଼ାଇଥିବା ଅଭିଯୁକ୍ତ ଧରାପଡ଼ିନାହାନ୍ତି । ସେମାନଙ୍କ ଉପରେ ପୁଲିସର ସନ୍ଧାନୀ ଆଖି ଘୂରି ବୁଲୁଛି ।ପୁଲିସ ପାଖରେ ୧୦ରୁ ଅଧିକ ଭିଡିଓ ରହିଛି। ଅଭିଯୁକ୍ତଙ୍କୁ ଚିହ୍ନଟ ଚାଲିଛି। ଆଗକୁ ଟିଆଇ ପରେଡ୍ ହୋଇପାରେ। ଅନ୍ୟପଟେ କୌଣସି ପ୍ରକାରର ଗୁଜବ କିମ୍ବା ଅପପ୍ରଚାରକୁ ବିଶ୍ୱାସ ନ କରିବାକୁ ସାଧାରଣ ଲୋକଙ୍କୁ ପୁଲିସ ପରାମର୍ଶ ଦେଇଛି ।