ଚଣ୍ଡିଖୋଲ, ୨୬/୦୮: ଶୌଚ ହେବାକୁ ଯାଇଥିବା ବେଳେ କେନାଲରେ ଭାସିଗଲେ ବୃଦ୍ଧ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବାଲିଚନ୍ଦ୍ରପୁର ଅଞ୍ଚଳର ଭିକାରୀ ମହାରଣା।
ସୂଚନାନୁଯାୟୀ, ଭିକାରୀ ମଙ୍ଗଳବାର ସକାଳେ କେନାଲକୁ ଶୌଚ ହେବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ପାଣିରେ ଭାସି ଯାଇଥିଲେ। କେନାଲରେ ଭାସି ଭାସି କିଛି ଦୂରରେ ଥିବା ଏକ ପୋଲ ନିକଟରେ ଲାଖି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ କେନାଲରୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।