ଖୋର୍ଦ୍ଧା,୨୦/୧୨ : ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆ ପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ଯାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ବର୍ଷ ପରେ ପ୍ରକାଶ ପାଇଛି । ଏହି ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ରଞ୍ଜୁଲତା ଲେଙ୍କା ଦୁଇ ଜଣ ଅଭିଯୁକ୍ତଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧୦ହଜାର ଟଙ୍କା ଲେଖାଏଁ ଜରିମାନା ଅନାଦେୟ ଏକ ବର୍ଷ ଜେଲ ଦଣ୍ଡାଦେଶ ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତ ଦ୍ବୟ ହେଲେ ଏହି ଥାନା ଅନ୍ତର୍ଗତ କୋଚିଲା ଗ୍ରାମର ମଣି ଅରିସଲ ଓ ହଳଦିଆପାଟଣା ଗ୍ରାମର ପ୍ରଫୁଲ୍ଲ ରାଉତ । ଏହି ହତ୍ଯାକାଣ୍ଡର ଅନ୍ଯତମ ଅଭିଯୁକ୍ତ ହଳଦିଆ ପାଟଣା ଗ୍ରାମର ମନୋଜ ରାଉତ ଏବେ ବି ଫେରାର ଅଛି।

ପ୍ରକାଶ ଯେ, ଗତ ୨୦୧୧ଏପ୍ରିଲ ୧୪ତାରିଖ ମୃତକ ବୋହୁ ପ୍ରତିମା ରାଉତ ତାଙ୍କ ଶଶୁରଙ୍କୁ କେହି ଦୁର୍ବୃତ୍ତ ହତ୍ଯା ପରେ ପ୍ରମାଣ ନଷ୍ଟ ପାଇଁ ରେଳ ଧାରଣାରେ ଫୋଫାଡ଼ି ଚାଲିଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି କେଶ ନଂ୩୦୨, ୨୦୧/ ୩୪ଆଇପିସିରେ ଏକ ହତ୍ଯା ମାମଲା(୬୪/୧୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ମାମଲାରେ ପୁଲିସ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିଲା।

ଆଜି ଏହି ମାମଲାର ଶୁଣାଣି କରି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ୨୭ଜଣ ସାକ୍ଷ୍ଯ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଦ୍ବୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ଓ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ଯୁଟର ରଜନୀକାନ୍ତ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।