ପୁରୀ,୧୬/୦୫; ଦୁଇ ପୁଅ ଜନ୍ମ ହେବା ପରେ କେତେ ଖୁସିଥିଲେ ବାପା ମା’ । ଦୁଇ ପୁଅଙ୍କ ସବୁ ଅଳି, ଅଝଟ ସହି ଲାଳନପାଳନ କରି ବଡ଼ କରିଥିଲେ । ଆଶା କରିଥିଲେ ବଳ ବୟସ ଯିବା ପରେ ବୃଦ୍ଧା ଅବସ୍ଥାରେ ଦୁଇ ପୁଅ ସାହା ହେବେ । ତାଙ୍କ ଭରସାରେ ବାକି ଜୀବନ କାଟିଦେବେ । ହେଲେ ପୁଅ ବଡ଼ ହେବା ପରେ ସବୁ କିଛି ଭୁଲିଗଲେ । ବୃଦ୍ଧ ବାପାମା’ଙ୍କ ସାହା ଭରସା ହେବେ କ’ଣ ଓଲଟା ନିର୍ଯାତନା ଦେବା ଆରମ୍ଭ କରିଦେଲେ । ପ୍ରଥମେ ପ୍ରଥମେ ଆମ ପିଲା ତ କାହାକୁ କହିବା ଭାବି ଚୁପ୍ ରହିଗଲେ ବାପା ମା’ । ହେଲେ ଦୀର୍ଘ ବର୍ଷ ଧରି ଦୁଇ ପୁଅଙ୍କ ମାନସିକ ଓ ଶାରିରୀକ ନିର୍ଯାତନା ଅସହ୍ୟ ହେଲା । ଏପରିକି ଠିକ୍‌ରେ ଖାଇବାକୁ ମଧ୍ୟ ଦେଲେନାହିଁ । ଶେଷରେ ପୁଅ ଓ ବୋହୂଙ୍କ ଆକ୍ରୋଶରୁ ବର୍ତ୍ତିବା ଲାଗି ବୃଦ୍ଧ ପିତା ଉପଜିଲ୍ଲାପାଳଙ୍କ କୋର୍ଟରେ ନ୍ୟାୟ ଭିକ୍ଷା କରିଥିଲେ । ଉପଜିଲ୍ଲାପାଳ ବୃଦ୍ଧ ବାପା ମା’ଙ୍କ ଗୁହାରି ଶୁଣି ଦୁଇ ପୁଅ ଓ ବଡ଼ ବୋହୂକୁ ଘରୁ ବିଦା କରିବାକୁ ନିର୍ଦ୍ଦେଶ ଦେଲେ । ନିର୍ଦ୍ଦେଶ ମୁତାବକ ଶୁକ୍ରବାର ଦୁଇ ପୁଅ, ବଡ଼ ବୋହୂ ଓ ନାତିକୁ ଘରୁ ବାହାର କରି ଦିଆଯାଇଛି । ସେମାନଙ୍କ ଆସବାବପତ୍ର ମଧ୍ୟ ସେମାନଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାଟି ପୁରୀ ସହରରେ ଚର୍ଚ୍ଚାର ହୋଇଛି ।

ପ୍ରଶାସନର ପଦକ୍ଷେପକୁ ସହରବାସୀ ପ୍ରଶଂସା କରୁଥିବା ବେଳେ ପୁଅ, ବୋହୂଙ୍କୁ ଯାବତୀୟ ଛିଛାକର କରୁଛନ୍ତି । କୁମ୍ଭାରପଡ଼ା ଥାନା ଅଧୀନ ନରେନ୍ଦ୍ରକୋଣ ବାୟାବାବା ମଠଲେନ୍ର ଦୟାନିଧି ବେହେରା (୮୦) । ସ୍ତ୍ରୀ ପ୍ରମିଳା ବେହେରା, ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ଓ ଚିନ୍ତାମଣି ଏବଂ ଦୁଇ ଝିଅଙ୍କୁ ନେଇ ତାଙ୍କର ପରିବାର । ଦୁଇ ପୁଅ ଓ ଝିଅ ସମସ୍ତେ ବିବାହିତ । ଦୟାନିଧି ବଡ଼ଦାଣ୍ଡରେ ଚପଲ ବେପାର କରି ପରିବାର ପ୍ରତିପୋଷଣ କରନ୍ତି । ସୀମିତ ସ୍ୱଳ୍ପ ରୋଜଗାରରେ ପିଲାମାନଙ୍କୁ ପାଠ ପଢ଼ାଇବା ସହ ବିବାହ ମଧ୍ୟ କରାଇଛନ୍ତି । ବଡ଼ପୁଅ ପୂର୍ଣ୍ଣଚନ୍ଦ୍ର ଓ ବୋହୂ ପଦ୍ମିନୀଙ୍କର କୌଣସି ସନ୍ତାନ ନାହାନ୍ତି । ସାନପୁଅ ଚିନ୍ତାମଣି ବିବାହ ପରେ ସୁରଟରେ ରହୁଥିଲା । ସେଠାରେ ସ୍ତ୍ରୀର ମୃତ୍ୟୁ ହେବା ପରେ ସେ ତା’ ପୁଅକୁ ସାଥୀରେ ଧରି ପୁରୀକୁ ଫେରି ଆସିଥିଲା । ସମସ୍ତେ ଘରେ ଏକାଠି ରହୁଥିଲେ । କିଛି ଦିନ ଧରି ଖୁସିରେ ଚଳିଥିଲେ । ପରେ ବୋହୂ ଓ ପୁଅ ମିଳିତ ଭାବେ ବାପାମା’ଙ୍କୁ ନିର୍ଯାତନା ଦେବା ଆରମ୍ଭ କଲେ । ନିର୍ଯାତନା ଅସହ୍ୟ ହେବାରୁ ଦୟାନିଧି ଓ ପ୍ରମିଳା ଉପଜିଲ୍ଲାପାଳଙ୍କ କୋର୍ଟରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ...Cuttack Fire: ମାଛୁଆ ବଜାର LIC ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

ଉପଜିଲ୍ଲାପାଳ ଅଭିଯୋଗକୁ ଗ୍ରହଣ କରି ଏକ ମିସ୍ କେସ୍ (୬/୨୦୨୩) କରିଥିଲେ । ଉକ୍ତ ମାମଲାର ବିଚାର କରି ଉପଜିଲ୍ଲାପାଳ ୨୦୨୩ ମସିହା ଏପ୍ରିଲ ୨୫ ତାରିଖରେ ଦୁଇ ପୁଅ ଓ ବୋହୂଙ୍କୁ ବାପା ଓ ମା’ଙ୍କୁ ମାସିକ ଖର୍ଚ୍ଚ ଲାଗି ୧୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ ପୁଅ । ଓଲଟି ବାପା ଓ ମା’ଙ୍କୁ ଖାଇବା ପିଇବା ବନ୍ଦ କରିବା ସହ ଅଧିକ ନିର୍ଯାତନା ଆରମ୍ଭ କରିଥିଲେ । ଏସମ୍ପର୍କରେ ଦୟାନିଧି ପୁଣି ଥରେ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଉପଜିଲ୍ଲାପାଳ ଗତ ୨୦୨୬ ମସିହା ଫେବ୍ରୁଆରୀ ୭ ତାରିଖରେ ଦୟାନିଧିଙ୍କ ଘରୁ ଦୁଇପୁଅ, ବୋହୂ ଓ ନାତିକୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ ଦୁଇ ପୁଅ, ବୋହୂ ଓ ନାତିକୁ ଘରୁ ବାହାର କରାଯାଇଛି । ପ୍ରଶାସନର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ ଜଣାଇଛନ୍ତି ।