ନୂଆଦିଲ୍ଲୀ,୨୪/୦୯: ଭୋଟର ତାଲିକାରୁ ନାମ ବାଦ୍ ଦେବା ବିବାଦକୁ ରୋକିବା ପାଇଁ, ନିର୍ବାଚନ କମିଶନ ଏକ ନୂଆ "ଇ-ସାଇନ୍" ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ଭୋଟର ପରିଚୟ ପତ୍ରର ଅପବ୍ୟବହାରକୁ ରୋକିବା । ଏଣିକି ଭୋଟର ତାଲିକାରୁ ନାମ କାଟିବା ଆଉ ସହଜ ହେବ ନାହିଁ । ରାହୁଲ ଗାନ୍ଧୀ କର୍ଣ୍ଣାଟକ ଆଲଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ । ଏହା ପରେ ଭୋଟର ତାଲିକାରୁ ବାଦ୍ ଦେବା ନେଇ ବିବାଦର ସମାଧାନ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି  ନେଇ ଇ-ସାଇନ ସିଷ୍ଟମ୍ ଲଞ୍ଚ୍ କରିଛନ୍ତି । ଏହି ସମସ୍ୟାର ସମାଧାନ ଏବେ ଇ-ସାଇନ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କରାଯିବ । ନିର୍ବାଚନ କମିଶନ ଏହାର ECINET ପୋର୍ଟାଲ୍ ଏବଂ ଆପ୍ ରେ ଏକ ନୂଆ "ଇ-ସାଇନ୍"  ସିଷ୍ଟମ ପ୍ରଚଳନ କରିଛି । 

ଏ ସିଷ୍ଟମରେ ପଞ୍ଜୀକରଣ, ବାଦ୍ ଦେବା କିମ୍ବା ସଂଶୋଧନ ପାଇଁ ଆବେଦନ କରିବା ସମୟରେ ଭୋଟରମାନଙ୍କୁ ସେମାନଙ୍କର ଆଧାର-ଲିଙ୍କ୍ ଫୋନ୍ ନମ୍ବର ବ୍ୟବହାର କରି ସେମାନଙ୍କର ପରିଚୟ ଯାଞ୍ଚ କରିବାକୁ ପଡ଼ିବ । ପୂର୍ବରୁ, ଆବେଦନକାରୀମାନେ କୌଣସି ଯାଞ୍ଚ ବିନା ଫର୍ମ ଦାଖଲ କରୁଥିଲେ ଯାହା ପରିଚୟ ପତ୍ରର ଅପବ୍ୟବହାରର ବିପଦ ସୃଷ୍ଟି କରୁଥିଲା । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ, ଜଣେ ବ୍ୟକ୍ତି ECINET ପୋର୍ଟାଲରେ ଫର୍ମ ୬ (ନୂତନ ପଞ୍ଜୀକରଣ ପାଇଁ), ଫର୍ମ ୭ (ଡିଲିଟ କରିବା ପାଇଁ), କିମ୍ବା ଫର୍ମ ୮ (ସଂଶୋଧନ ପାଇଁ) ପୂରଣ କରିବେ ।

ଓଟିପି ଜରିଆରେ ହେବେ ଭେରିଫିକେସନ- ଆଧାର ନମ୍ବର ଦେବା ପରେ, ସେଥିରେ ଲିଙ୍କ ଥିବା ଫୋନ୍ ନମ୍ବରକୁ ଏକ ଓଟିପି ଆସିବ । ଓଟିପି ନମ୍ବର ଦେଇ ସହମତି ପ୍ରକାଶ କଲେ ତାହା ଭେରିଫିକେସନ ହେବ । ଏହି ପ୍ରକ୍ରିୟା ନକଲି ଆବେଦନ ରୋକିବାରେ ସାହାଯ୍ୟ କରିବ ।

ପରିବର୍ତ୍ତନ କାହିଁକି ? କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୧୮ ତାରିଖରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଭାରତରେ କେହି ଜଣେ ପ୍ରାୟ ୬ ହଜାର ଭୋଟରଙ୍କ ନାମ ହଟାଇବାକୁ ଚେଷ୍ଟା କରିଥିଲେ । ଆବେଦନ କରିବାକୁ ମତଦାତାଙ୍କ ପରିଚୟ ପତ୍ର ଦୂରୁପଯୋଗ କରାଯାଉଥିଲା । ଫର୍ମ ଜମା କରିବାକୁ ବ୍ୟବହୃତ ଫୋନ୍ ନମ୍ବର ବି ଭୋଟରଙ୍କର ନଥିଲା ଯାହାଙ୍କ ନାମରେ ଫର୍ମ ଦାଖଲ ହୋଇଥିଲା ।