ଭୁବନେଶ୍ୱର, ୧୮/୦୭ : ରାଜ୍ୟରେ ବଢ଼ିଛି ନାଟକ । ବଢ଼ିଛନ୍ତି ନାଟ୍ୟ ଦଳ ଏବଂ କଳାକାର । କିନ୍ତୁ ବଢ଼ିନି ମଞ୍ଚ କି ପ୍ରୋତ୍ସାହନ ରାଶି । ବିଗତ ୧୦ ବର୍ଷ ଭିତରେ ନାଟକ, ନାଟ୍ୟ ଦଳ ଓ ନାଟୁଆଙ୍କ ସଂଖ୍ୟାରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି । ୨୦୦ରୁ ଅଧିକ ନାଟ୍ୟ ଦଳ, ପେସାଦାର ନହେଲେ ବି ସୌଖୀନ ଭାବରେ ୫୦ ହଜାରରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି । ବର୍ଷରେ ପାଖାପାଖି ୧୫ରୁ ଅଧିକ ରାଜ୍ୟସ୍ତରୀୟ ଉତ୍ସବ ଏବଂ ୧୭ରୁ ଅଧିକ ଜାତୀୟ ନାଟ୍ୟ ଉତ୍ସବ ହେଉଛି । ୨୦୧୨ ମସିହାରୁ ମାସିକ ନାଟକ କାର୍ଯ୍ୟକ୍ରମ ‘ନାଟ୍ୟଧାରା’ରେ ଭୁବନେଶ୍ୱରଠୁ ୨୦୦ କିମି ଭିତରର ନାଟ୍ୟ ଦଳଙ୍କୁ ପ୍ରତି ମାସର ପ୍ରଥମ ୩ ଦିନ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ଏବଂ ୨୦୦ କିମିରୁ ଅଧିକ ଦୂରତାର ନାଟ୍ୟ ଦଳ ମାସର ଦ୍ୱିତୀୟ ରବିବାର ରବୀନ୍ଦ୍ର ମଣ୍ଡପରେ ନାଟକ କରୁଛନ୍ତି । ମାତ୍ର ସେହି ହିସାବରେ ପୂରଣ ହୋଇନି ନାଟକର ଆବଶ୍ୟକତା । ଏଠି ନାଟକ ପ୍ରବଳ, ମଞ୍ଚ ଦୁର୍ବଳ ।
ବିଭିନ୍ନ ନାଟ୍ୟ ସଂଗଠନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ବି ସବୁକିଛି ପ୍ରତିଶ୍ରୁତିରେ ସୀମିତ ରହିଛି । ଫଳରେ ନାଟୁଆମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ କହିବା କଥା, ସରକାର ଆଜି ଅଭିନୟର ଅନ୍ତୁଡ଼ିଶାଳ ମଞ୍ଚକୁ ଛାଡ଼ି ସିନେମା ପଛରେ ମାତିଛନ୍ତି । ସିନେମାର ବିକାଶ ହେଉ ମନା ନାହିଁ, କିନ୍ତୁ ମଞ୍ଚ ଦୃଷ୍ଟି ଆଢ଼ୁଆଳରେ ରହିନଯାଉ ।
ଓଡ଼ିଶା ନାଟ୍ୟସଂଘ ସଭାପତି ମିହିର କୁମାର ମେହେର କହିଛନ୍ତି, ନାଟକ ପାଇଁ ନାଟ୍ୟ ଉପଯୋଗୀ ହଲ୍ଟିଏ ଦରକାର । ସାରା ଓଡ଼ିଶା ବୁଲି ଆସିବେ ରାଜଧାନୀର ରବୀନ୍ଦ୍ର ମଣ୍ଡପର ବିକଳ୍ପ ପାଇବେ ନାହିଁ । ଯଦିଓ ଏହା ପରେ ନବୀକରଣ କରାଯାଇ ନାଟ୍ୟ ଉପଯୋଗୀ କରାଯାଇଛି । ବାକି ଭଞ୍ଜକଳା ମଣ୍ଡପ କାମଚଳା । ଜିଲ୍ଲା ମୁଖ୍ୟାଳୟରେ ‘ସଂସ୍କୃତି ଭବନ’ ହେଇଛି କିନ୍ତୁ ତାହା କେବଳ ସଭା, ସମିତିରେ ସୀମିତ । ଏ ବାବଦରେ ମନ୍ତ୍ରୀ, ସଚିବଙ୍କ ସହିତ ଆଲୋଚନା ହୋଇଛି । ଭୁବନେଶ୍ୱରରେ ‘ନାଟ୍ୟ ଭବନ’ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛୁ । ଏହାଛଡ଼ା ଭୁବନେଶ୍ୱର ‘ସଂସ୍କୃତି ଭବନ’କୁ ବି ମଞ୍ଚ ଉପଯୋଗୀ କରାଯାଉ । ‘ନାଟ୍ୟଧାରା’ର ରାଶି ବୃଦ୍ଧି, ଜୋନସ୍ତରୀୟ ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ର, ନାଟ୍ୟ ଉତ୍ସବ ହେଉ । ବିଭିନ୍ନ ଉତ୍ସବ, ମହୋତ୍ସବକୁ ପ୍ରଦାନ କରାଯାଉଥିବା ସରକାରୀ ପ୍ରୋତ୍ସାହନ ରାଶିକୁ ମଧ୍ୟ ବୃଦ୍ଧି କରାଯାଉ । ଅତୀତର ମୁକସାକ୍ଷୀ ଭାବେ କଟକ, ପୁରୀ ଓ ଅନ୍ୟାନ୍ୟ ସ୍ଥାନରେ ଛିଡ଼ା ହୋଇଥିବା ପୁରୁଣା ରଙ୍ଗମଞ୍ଚର ପୁନରୁଦ୍ଧାର ସାଙ୍ଗକୁ କିମ୍ବଦନ୍ତୀ କଳାକାରଙ୍କ ସ୍ମୃତିରକ୍ଷାର ଆବଶ୍ୟକତା ରହିଛି ।
ଆହୁରି ପଢ଼ନ୍ତୁ...Crow Population Decline: ଦେଶରେ କମୁଛି କାଉ ସଂଖ୍ୟା, ସହରୀକରଣ ପାଇଁ ବିପଦରେ କାଉ ବଂଶ
କଳିଙ୍ଗ ନାଟ୍ୟ ସଂଘ ସଭାପତି ଧୀରେନ୍ଦ୍ର ନାଥ ମଲ୍ଲିକ କହିଛନ୍ତି, ସରକାର ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ଗୋଟିଏ ଲେଖାଏଁ ନାଟ୍ୟ ଉପଯୋଗୀ ମଞ୍ଚ କିମ୍ବା କମ୍ପେ୍ଲେକ୍ସ ଗଢ଼ନ୍ତୁ । ଯେଉଁଠି ପାର୍କିଂଠୁ ନେଇ କଳା, ସଂସ୍କୃତି ପରିବେଷଣ ଲାଗି ମଞ୍ଚ, ଗ୍ୟାଲେରୀ, କ୍ୟାଣ୍ଟିନ୍, ସପିଂ ମଲ୍, ସିନେମା ହଲ୍ ରହିବ । ଜିଲ୍ଲା ଓ ବ୍ଲକ୍ ସ୍ତରରେ ନାଟ୍ୟ ଅଭ୍ୟାସ ମଞ୍ଚ ବା ସ୍ଥାନ ଦିଆଯାଉ । ‘ନାଟ୍ୟଧାରା’ ଭୁବନେଶ୍ୱରରେ ସୀମିତ ନରହି, ଓଡ଼ିଶା ସାରା ହେଉ । ୧୯୮୮ରେ ଯେପରି ‘ନାଟ୍ୟ ଉନ୍ନୟନ ସମିତି’ ହୋଇ ଆଜି ପର୍ଯ୍ୟନ୍ତ ସହାୟତା ଦେଇଆସୁଥିଲା, ଏବେ ସରକାର ତାକୁ ନୂତନ ଭାବେ କରନ୍ତୁ । ଗବେଷଣା ପାଇଁ ଫେଲୋସିପ୍, ରେପର୍ଟୋରୀ ଗଠନ ସାଙ୍ଗକୁ ଏକାଡେମୀ ପୁରସ୍କାରରେ ଶିଶୁ କଳାକାର ଓ ନାଟ୍ୟକାରକୁ ଯୋଡ଼ନ୍ତୁ ଏବଂ ନାଟକ, ନାଟୁଆ ଓ ନାଟ୍ୟକଳାକୁ ବଞ୍ଚାନ୍ତୁ ।