PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ସବୁ ଜିଲ୍ଲା ଓ ଉପଖଣ୍ଡରେ ଇଲେକଟ୍ରୋନିକ୍‌ ଟ୍ରାଫିକ ସିଗନାଲ୍‌

ଭୁବନେଶ୍ୱର,୧୧ ।୨(ବ୍ୟୁରୋ): ରାଜ୍ୟର ସବୁ ଜିଲ୍ଲା ଓ ସବ୍‌ ଡିଭିଜନ୍‌ରେ ଇଲେକଟ୍ରୋନିକ୍‌ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ଲାଗୁ ହେବ । ଏହାବାଦ୍‌ ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ପୁରୀ, ଅନୁଗୁଳ, ଖୋର୍ଦ୍ଧା, କେନ୍ଦୁଝର, କୋରାପୁଟ୍‌ ଓ କମିଶନରେଟ୍‌ ପୁଲିସ୍‌ରେ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟାରୀ ସ୍କଲାରସିପ ବ୍ୟବସ୍ଥା ଆରମ୍ଭ ହେବ । ଏବେ ଏହି ବ୍ୟବସ୍ଥା ୪ ଜିଲ୍ଲାରେ ଲାଗୁ ହୋଇ ସାରିଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି ।
ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ୩୦ ତମ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଯାପନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡା.ସାହୁ କହିଛନ୍ତି, ପ୍ରତ୍ୟେକ ପରିବହନ ଅଧିକାରୀଙ୍କ ଅଧୀନରେ ଷ୍ଟୁଡେଣ୍ଟ ଟ୍ରାଫକ୍‌ ଭଲ୍ୟୁଣ୍ଟର ନିୟୋଜିତ ହେବେ । ଜନସାଧାରଣଙ୍କ ମଧ୍ୟରେ ଏମାନେ ସଚେତନତା ସୃଷ୍ଟି କରିବେ । ସେହିଭଳି ଗାଡ଼ିର ଗତି ଲିମିଟ୍‌ ସମ୍ପର୍କରେ ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥାନରେ ସୂଚିତ କରାଯିବା ସହ ସିଟିଜେନ୍‌ ରିପୋର୍ଟିଂ ବ୍ୟବସ୍ଥା ଆରମ୍ଭ କରିବା ଉଚିତ୍‌ । ଏହା ହେଲେ ସଚେତନ ନାଗରିକ ଯାନବାହନ ଚଳାଚଳରେ ବ୍ୟତିକ୍ରମ ଦେଖିଲେ, ତୁରନ୍ତ ପୁଲିସ କର୍ତ୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ସାର୍ବଜନୀନ ଫୋନ୍‌ ନମ୍ବରରେ ସୂଚନା ଦେଇ ପାରିବେ ।
ମନ୍ତ୍ରୀ ଡାକ୍ତର ସାହୁ କହିଛନ୍ତି, ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଯାନବାହନ ଚଳାଚଳକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିବା, ନିୟମିତ ତଦାରଖ କରିବା ସହ ସିସିଟିଭି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ରାମେଶ୍ୱରଠୁ ଚଣ୍ଡିଖୋଲ ମଧ୍ୟରେ ୨୪ ଟି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହୋଇଛି । ଏହି କ୍ୟାମେରା ଗାଡ଼ିର ଗତି ଉପରେ ତୀକ୍ଷ୍‌ଣ ନଜର ରଖିବା ସହ ନିୟମ ଭଙ୍ଗକାରୀଙ୍କ ଉପରେ ଇ-ଚାଲାଣ କାଟିପାରିବ । ଦୁର୍ଘଟଣା ରୋକିବାକୁ ସମସ୍ତ ବିଭାଗର ସମ୍ମଳିତ ପ୍ରୟାସ ଆବଶ୍ୟକ । ସଡ଼କ ନିର୍ମାଣ ସଂସ୍ଥାଠୁ ଆରମ୍ଭ କରି ଯାନବାହନ ଚଳାଚଳକୁ ପରିଚାଳନା କରୁଥିବା ପୁଲିସ୍‌, ପରିବହନ ବିଭାଗ, ଜରୁରି ଚିକିତ୍ସା ଯୋଗାଇବାକୁ ଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଦରକାର । ଗୋଲଡେନ୍‌ ଆୱାର୍‌ରେ ଆମେ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଓ ଟ୍ରମାକେୟାର ବ୍ୟବସ୍ଥା ସୁନିଶ୍ଚିତ କରିପାରିଲେ, ଦୁର୍ଘଟଣାକୁ ହ୍ରାସ କରାଯାଇ ପାରିବ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ରାଜ୍ୟରେ ଏବେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ସଡ଼କ ସୁରକ୍ଷା ସମସ୍ତଙ୍କ ପାଇଁ ଏବେ ଏକ ବଡ଼ ଆହ୍ୱାନ । ୨୦୧୭ ମସିହାରେ ଆମେ ଦେଶରେ ଦୁର୍ଘଟଣାରେ ୧.୪୮ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଓଡ଼ିଶାରେ ଏହି ସମୟ ମଧ୍ୟରେ ୫ ହଜାର ଲୋକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୪ ହଜାର ୮୦୦ ଜଣ ପ୍ରାଣ ହରାଇଛନ୍ତି । ସାରାଦେଶରେ ପ୍ରତି ୧୦୦ଟି ଦୁର୍ଘଟଣାରେ ୨୯ ଜଣ ପ୍ରାଣ ହରାଉଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୪୪ରେ ପହଞ୍ଚିଛି । ଏହି ଚିତ୍ର ହିଁ ରାଜ୍ୟରେ ଦୁର୍ଘଟଣାର ଭୟାବହତା ସମ୍ପର୍କରେ ସୂଚନା ଦେଉଛି । ଦୁର୍ଘଟଣା ପର ସମୟରେ ଆଶୁ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଆମର ଦାୟିତ୍ୱହୀନତା ଓ ବିଫଳତା ହିଁ ଦୁର୍ଘଟଣା ମୃତ୍ୟୁ ପାଇଁ ଦାୟୀ ବୋଲି ଶ୍ରୀ ବେହେରା କହିଛନ୍ତି । ଏହି ଅବସରରେ କୃଷି ଉତ୍ପାଦନ କମିଶନର ଡ.ଗଗନ ଧଳ, ବାଣିଜ୍ୟ ପରିବହନ ବିଭାଗ ସଚିବ ଜି ଶ୍ରୀନିବାସ୍‌, ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପରିବହନ କମିଶନର ସଞ୍ଜିବ କୁମାର ପଣ୍ଡା ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରୋଡ୍‌ ସେଫଟି ଆକ୍ସନ ପ୍ଲାନ ଓ ଗୁଡ୍‌ ସମରିଟାନ୍‌ ପଲିସି ଉନ୍ମୋଚିତ କରାଯାଇଛି ।