ରିଆମାଳ, ୧୧/୯ : ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ୍ କୁଣ୍ଢେଇଗୋଳା ଥାନା କୁରଡ଼ପସି ଗାଁରେ ହାତୀ ଆତଙ୍କ। ବିଲକୁ ହଳ କରିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କଲା ଦନ୍ତା। ଚାଲିଗଲା ଜୀବନ। ମୃତକ ଜଣଙ୍କ ହେଉଛନ୍ତି କୁରଡ଼ପସି ଗାଁର କୁଲ୍ହ ନାଏକ (୬୫ ବର୍ଷ)।
ସୂଚନାନୁଯାୟୀ, ଗୁରୁବାର ସକାଳ ୮ଟାରେ କୁଲ୍ହ ନାଏକ ବିଲକୁ ହଳ କରିବା ପାଇଁ ଯାଇଥିଲେ। ଏହି ସମୟରେ ବିଲ ପାଖ ବୁଦାରେ ଥିବା ଏକ ହାତୀ ହଠାତ୍ ବାହାରି ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଜଣାପଡିବା ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ରେଞ୍ଜର ନିରଞ୍ଜନ ଧରୁଆ ଓ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।