ପାଟଣା, ୧୩/୧୦: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୩୪ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ବିଳମ୍ବିତ ରାତିରେ ହାତୀପଲ ପାଟଣା ରେଞ୍ଜର କେନ୍ଦୁଆପଡା, ବାଲିବନ୍ଧ, ଝାଲିଆପଡା ଏବଂ ଟାଙ୍ଗରପଡ଼ା ଆଦି ଗାଁରେ ଆତଙ୍କ ଖେଳାଇବା ସହ ଏକ ଗୋଠଛଡ଼ା ଦନ୍ତା ୪ ଟି ଘର ଭାଙ୍ଗି ଦେଇଛି । ପରିବାର ଲୋକେ ଘର ଭିତରେ ଶୋଇଥିବା ସମୟରେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏବେ ହାତୀପଲ ଭିମାପଡା ଶିବମନ୍ଦିର ନିକଟରେ ଡେରା ପକାଇଛନ୍ତି। ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ କଡା ନଜର ରଖିଛି।