ଟ୍ରେନ ଧକ୍କାରେ ହାତୀ ଗୁରୁତର, ଜଗି ରହିଛନ୍ତି ସାଥୀ ହାତୀ

ବଡବିଲ, ୧୯।୫ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଗୁରୁବାର ସନ୍ଧ୍ୟାରେ ଟ୍ରେନ ଧକ୍କାରେ ଗୋଟିଏ ମାଈ ହାତୀ ସହ ୨ ଛୁଆ ହାତୀ ଗୁରୁତର ହୋଇଛନ୍ତି। ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ବାଂଶପାଣୀ – ଜୁରୁଡ଼ି ରେଳପଥର ୪୦୪ ନଂ ପିଲ୍ଲାର ନିକଟରେ ଏକ ମାଲ ବୋଝେଇ ଟ୍ରେନ ହାତୀପଲକୁ ଧକ୍କା ଦେଇଥିବା ଜଣାପଡିଛି।
ଏକ ୧୯ ଟିକିଆ ହାତୀପଲ ସନ୍ଧ୍ୟାରେ ବୈତରଣୀ ସଂରକ୍ଷିତ ଜଙ୍ଗଲ (କ) ଦେଇ ଯାଉଥିବା ବେଳେ ରେଳ ଧାରଣା ପାର ହେଉଥିଲେ । ଏହି ସମୟରେ ବାଂଶପାଣୀ – ଜୁରୁଡ଼ି ରୁଟ୍ରେ ଯାଉଥିବା ଏକ ଖାଲି ଗୁଡ୍ସ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା । ଏଥିରେ ଗୋଟିଏ ମାଈ ହାତୀ ସହ ଦୁଇଟି ହାତୀଛୁଆ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଳ ବାଇର ରେସକ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତେବେ ଅନ୍ୟ ହାତୀମାନେ ସେମାନଙ୍କୁ ଜଗି ରହିଛନ୍ତି । ଯାହାଫଳରେ ଉଦ୍ଧାର କାର୍ଯ୍ୟ ହୋଇପାରୁନାହିଁ । ସେହିଁ ରୁଟ ଦେଇ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି । ବନ କର୍ମଚାରୀ ଘଟଣା ଉପରେ ନଜର ରଖିବା ଛଡା ଆଉକିଛି କରିବା ସମ୍ଭବ ହୋଇପାରୁନାହିଁ ।