ଆଠମଲ୍ଲିକ,୧୨/୦୯: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଲୁହାସିଙ୍ଗା ପଞ୍ଚାୟତ କୁସୁମକୁହୁରୀ ଗାଁ ପାଖ କେନାଲରୁ ଗୁରୁବାର ସକାଳେ ଏକ ମାଈ ହାତୀଛୁଆ ଉଦ୍ଧାର ହୋଇଛି । ଆନୁମାନିକ ୨୦ ଦିନର ଏହି ହାତୀଛୁଆକୁ ବନ କର୍ମଚାରୀ ଉଦ୍ଧାର କରିଛନ୍ତି । ଦିନତମାମ୍ ବନ କର୍ମଚାରୀ ଜଗି ରହିଥିଲେ ମଧ୍ୟ ମା’ ହାତୀ ଛୁଆକୁ ନେବାକୁ ଆସିନାହିଁ । କୁସୁମକୁହୁରୀ ଗାଁ ନିକଟରେ ବୁଧବାର ରାତିରେ ଡେରା ପକାଇଥିବା ହାତୀପଲ ସକାଳୁ ଚାଲିଯାଇଥିଲା । କ୍ଷୁଦ୍ର ଜଳସେଚନ ବିଭାଗ କେନାଲ୍ରେ ହାତୀ ଛୁଆ ଫସିଯାଇଥିଲା । ଗ୍ରାମବାସୀଙ୍କଠାରୁ ଖବର ପାଇ ବନ କର୍ମଚାରୀ ପହଞ୍ଚିଥିଲେ। ବାଲିବସ୍ତା ପକାଇବାରୁ ହାତୀଛୁଆ କେନାଲରୁ ବାହାରିଥିଲା ।
ସକାଳେ ମା’ ହାତୀ ଛୁଆକୁ ଜଙ୍ଗଲରେ ରହି ନଜର ରଖିଥିଲା । ତେବେ ପରବର୍ତ୍ତୀ ସମୟରେ ଘଞ୍ଚ ଜଙ୍ଗଲକୁ ଚାଲି ଯାଇଥିଲା । ସାମାନ୍ୟ ଆହତ ହାତୀଛୁଆଟିର ପ୍ରାଥମିକ ଚିକିତ୍ସା କରାଯାଇଛି । ଏକ ଖୁଆଡ଼ କରି ଏହାକୁ ରଖାଯାଇଛି ।