ଭୁବନେଶ୍ୱର, ୧୫/୦୪ : ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟି ଠାରେ ଥିବା କୁମ୍କୀ ହାତୀ ‘ଶଙ୍କର’ ପିଠିରେ ସଂକ୍ରମଣ ହୋଇଛି । ପିଠିରେ ଘା’ ହୋଇଯିବାରୁ ତା’ର ଚିକିତ୍ସା ଜାରି ରହିଛି । ଧୀରେଧୀରେ ସେ ସୁସ୍ଥ ହେଉଥିବା ଚନ୍ଦକା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ଚନ୍ଦକା ବନବିଭାଗ ସୂଚନା ଅନୁଯାୟୀ, କୁମାରଖୁଣ୍ଟିଠାରେ ବନ୍ଦୀ ଅବସ୍ଥାରେ ରହୁଥିବା ଶଙ୍କର ପିଠିରେ ଗତ କିଛିଦିନ ଧରି ଘା’ ହୋଇ ଯାଇଥିଲା । ଫଳରେ ସେ ଭଲରେ ଖିଆପିଆ କରୁ ନଥିଲା । ମାହୁନ୍ତମାନେ ଜଣାଇବା ପରେ ଚନ୍ଦକା ବନବିଭାଗ ପକ୍ଷରୁ ଓୟୁଏଟି ପ୍ରାଣୀଚିକିତ୍ସକଙ୍କୁ ଡକା ଯାଇଥିଲା । ଶଙ୍କର ଭଲରେ ଗାଧୁଆପାଧୁଆ କରୁ ନଥିବା ଯୋଗୁଁ ପିଠିରେ ସଂକ୍ରମଣ ହୋଇ ଥିବା ଜଣାପଡ଼ିଥିଲା । ନିୟମିତ ଚିକିତ୍ସା ପରେ ଏବେ ଶଙ୍କର ପିଠିର ଘା’ ଧୀରେଧୀରେ ଶୁଖି ଆସିଲାଣି ଏବଂ ସେ ଖିଆପିଆ ମଧ୍ୟ କଲାଣି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଥାଉକି, କୁମ୍କୀ ପ୍ରଶିକ୍ଷଣରେ ସାମିଲ ପାଇଁ ୨୦୧୦ରେ ସାତକୋଶିଆରୁ ଶଙ୍କରକୁ ଚନ୍ଦକାକୁ ଅଣା ଯାଇଥିଲା । କୁମ୍କୀ ପ୍ରଶିକ୍ଷଣ ଚାଲିଥିବା ବେଳେ ୨୦୧୨ ଜୁଲାଇରେ ଶଙ୍କର ଆସାମୀ ମାହୁନ୍ତ ଦିଲ୍ଲୀପ ରାଭାଙ୍କୁ କଚାଡ଼ି ମାରି ଦେଇଥିଲ । ସେବେଠାରୁ ସେ କୁମାରଖୁଣ୍ଟିରେ ବନ୍ଦୀ ଜୀବନ ବିତାଉଛି । ୪୦ ବର୍ଷୀୟ ଶଙ୍କର ୧୪ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିବା ବେଳେ ଅଧିକାଂଶ ସମୟରେ ଗୋଡ଼ କଡ଼ିରେ ଘଷି ହୋଇ ସଂକ୍ରମଣ ହୋଇଯାଉଛି । ଚିକିତ୍ସା ପରେ ପୁଣି ସୁସ୍ଥ ହେଉଛି । ଅଧିକାଂଶ ସମୟରେ ସେ ମସ୍ତ ଅବସ୍ଥାରେ ରହୁଥିବାରୁ ତାକୁ କୁମ୍କୀ ପ୍ରଶିକ୍ଷଣରେ ସାମିଲ କରିବାକୁ ମାହୁନ୍ତମାନେ ଉଚିତ ମଣୁନାହାନ୍ତି ।
ଏହି ଖବରଟିକୁ ପଢନ୍ତୁ- ଡ଼ରାଇଲାଣି ପାଞ୍ଜି ପୂର୍ବାନୁମାନ : ଏଥର ରାଜ୍ୟକୁ କମ୍ ବର୍ଷା, ଅଧିକ ତାତି... ବିଶ୍ୱକୁ ଘାଣ୍ଟିବ ଯୁଦ୍ଧ, ବର୍ଷସାରା ରକ୍ତପାତ