ପୁରୀ,୧୫/୦୪ : ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣାସଂକ୍ରାନ୍ତି ସହ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡ଼ିଆ ପଞ୍ଜିକା । ପଞ୍ଜିକା ମୁତାବକ ଚଳିତ ବର୍ଷ ରାଜ୍ୟକୁ ବର୍ଷା କମ୍ ଓ ପ୍ରଚଣ୍ଡ ରୌଦ୍ରତାପ ଅଛି । ଲାଗି ରହିବ ହିଂସାକାଣ୍ଡ, ରକ୍ତପାତ ଓ କଳହ । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ମୂଲ୍ୟ ବୃଦ୍ଧି ପାଇବ । ଆମ ଦେଶର ଅର୍ଥନୈତିକ ବିକାଶ ହେବ । ପଞ୍ଜିକା ଆକଳନ ଅନୁଯାୟୀ ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବ । ଏବର୍ଷ ରାଜା ରବି ଓ ମନ୍ତ୍ରୀ ବୁଧ ହୋଇଥିବାରୁ ଆମେରିକା ଭଳି ପ୍ରଭାବଶାଳୀ ରାଷ୍ଟ୍ରମାନେ ପ୍ରଭାବ ବିସ୍ତାର କରିବେ । ବିଶ୍ୱରେ ଯୁଦ୍ଧ ବିଭୀଷିକା ଲାଗି ରହିବ । ମୁସଲିମ୍ ରାଷ୍ଟ୍ର ଭିତରେ କନ୍ଦଳ ଓ ଯୁଦ୍ଧ ଜାରି ରହିବ । ସେୟାର ମାର୍କେଟରେ ଉତ୍ଥାନ ଓ ପତନ ଦେଖାଦେବ । ଆମେରିକା ଓ ରୁଷ ଭଳି ଦେଶରେ ଆର୍ଥିକ ଉନ୍ନତି ବାଧାପ୍ରାପ୍ତ ହେବ ।
ବୃହସ୍ପତି ଜ୍ୟେଷ୍ଠ ମାସରେ କର୍କଟ ରାଶିକୁ ସଞ୍ଚାର, କାର୍ତ୍ତିକ ମାସରେ ସିଂହ ରାଶିକୁ ଅତିଚାର, ମକର ମାସରେ କର୍କଟ ରାଶିକୁ ଅତିଚାର ଗମନ ହେତୁ ୟୁରୋପ ଓ ଆରବ ମହାଦେଶଗୁଡିକର ଅର୍ଥନୈତିକ ଉନ୍ନତିରେ ବାଧା ସୃଷ୍ଟି ହେବ । ପୃଥିବୀକୁ ଦୁଇଟି ଚନ୍ଦ୍ରଗ୍ରହଣ ଓ ଦୁଇଟି ସୂର୍ଯ୍ୟପରାଗ ଦେଖାଦେବ । କିନ୍ତୁ ଭାରତକୁ ଗ୍ରହଣ ଦୃଶ୍ୟମାନ ବା ପାଳନୀୟ ହେବନାହିଁ । ସେପଟେ ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ଫଳରେ ଭାରତର ଅର୍ଥନୀତି ଶିଖର ଛୁଇଁବ । ବିକାଶଶୀଳ ରାଷ୍ଟ୍ରଙ୍କ ମଧ୍ୟରେ ନିଜର ପ୍ରାଧାନ୍ୟତା ବଜାୟ ରଖିବ ଭାରତ । ବିରୋଧୀ ଛତ୍ରଭଙ୍ଗ ଦେବେ । ଶିଳ୍ପ, ଶ୍ରମ ଜନ କଲ୍ୟାଣ, ପ୍ରତିରକ୍ଷାରେ ବି ଭାରତ ଅଗ୍ରଗଣ୍ୟ ହେବ ।
ଚଳିତ ବର୍ଷ ଆଦ୍ୟପାଳାଧିପତିଙ୍କ ପ୍ରଭାବରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ, ଅଗ୍ନିଭୟ, କଳହ ଲାଗି ରହିବ । ପଶ୍ଚିମବଙ୍ଗ, ମାଳବ, ମହାରାଷ୍ଟ୍ର, ଦାକ୍ଷିଣାତ୍ୟରେ ରୋଗ, ଦୁର୍ଭିକ୍ଷ, ହିଂସା, ବନ୍ୟା, ବାତ୍ୟା ଲାଗି ରହିବ । ପୁରୋହିତ ଶନିଙ୍କ କାରଣରୁ ଦେଶରେ ସର୍ପାଘାତ, ବାତ ରୋଗ, ତୁଷାରପାତ ପ୍ରଭୃତି ଲାଗି ରହିବ । ରବିଙ୍କ ପ୍ରଭାବରୁ ସାରା ଓଡ଼ିଶାରେ ମାରୀ ରୋଗର ଆଶଙ୍କା ବୃଦ୍ଧି ପାଇବ । ସେପଟେ ୬ଟି ରାଶି ପାଇବେ ଶୁଭଫଳ । ବୃହସ୍ପତି ଓ ଶନିଙ୍କ ପ୍ରଭାବରୁ ମେଷ, ମିଥୁନ, କନ୍ୟା, ତୁଳା, ମକର, କୁମ୍ଭ ରାଶିରେ ଭଲ ପ୍ରଭାବ ରହିବ ବୋଲି ପଞ୍ଜିକାମାନଙ୍କରେ ଜ୍ୟୋତିର୍ବିଦମାନେ ମତ ରଖିଛନ୍ତି ।
ଆହୁରି ପଢନ୍ତୁ- ନୂଆ ପାଞ୍ଜିରେ ଏବର୍ଷ ୪ଟି ପରାଗ ଓ ଗ୍ରହଣ, ଜାଣନ୍ତୁ କେବେ ପଡ଼ିବ...