ନୂଆଦିଲ୍ଲୀ ୩୧/୧୦: ପରିବାର ପରମ୍ପରାକୁ ବଦଳାଇବାକୁ ଯାଉଛନ୍ତି ବିଶ୍ୱର ଅନ୍ୟତମ ସବୁଠୁ  ଧନୀ ବ୍ୟକ୍ତି ଏଲନ ମସ୍କ । ନିଜର ୧୧ ଜଣ ସନ୍ତାନ ଓ ସେମାନଙ୍କ ମା’ଙ୍କୁ ସେ ଗୋଟିଏ ଛାତ ତଳେ ରଖିବେ । ଏଥିପାଇଁ ସେ ଟେକ୍ସାସର ଅଷ୍ଟିନ୍‌ରେ  ୧୪,୪୦୦ ବର୍ଗଫୁଟର ଏକ ପ୍ରାସାଦ ସହିତ ଆଉ ଏକ ୬ ଶୟନକକ୍ଷବିଶିଷ୍ଟ  ଜାଗା କିଣିଛନ୍ତି । ଏହାର ମୂଲ୍ୟ ୩.୫  କୋଟି ଡଲାର । ଏହି ଭବ୍ୟ ପ୍ରାସାଦର ନିର୍ମାଣଶୈଳୀ ଟସ୍କାନ୍‌ ଡିଜାଇନ୍‌ ଦ୍ୱାରା ପ୍ରେରିତ । ମସ୍କଙ୍କ ଟେକ୍ସାସ ସ୍ଥିତ ଘରଠୁ  ଏହା ମାତ୍ର ୧୦ ମିନିଟ୍‌ ଦୂରରେ ଅବସ୍ଥିତ । 

ମସ୍କଙ୍କ ବିଶ୍ୱାସ, ଏହି ଅଣପାରମ୍ପରିକ ପ୍ରବନ୍ଧନ ତାଙ୍କ ସନ୍ତାନଙ୍କୁ  ପରସ୍ପରର ଜୀବନର ଅଂଶ ହେବାରେ ସାହାଯ୍ୟ କରିବ ।  ସେମାନଙ୍କୁ ସେ ସମୟ ମଧ୍ୟ ଦେଇପାରିବେ । ୨୦୦୨ ମସିହାରୁ  ମସ୍କ ୧୨ ସନ୍ତାନଙ୍କ ବାପା ହୋଇଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହ  ତାଙ୍କ ପ୍ରଥମ ସନ୍ତାନର ଜନ୍ମର ମାତ୍ର ୧୦ ସପ୍ତାହରେ ମୃତ୍ୟୁ ହୋଇଥିଲା ।  ଦମ୍ପତିଙ୍କ ବିବାହ ବିଚ୍ଛେଦ ପୂର୍ବରୁ ୨୦୦୮ ମସିହାରେ ଦୁହେଁ ଆଇଭିଏଫ୍‌  ଜରିଆରେ ୫ ସନ୍ତାନଙ୍କ ମାତାପିତା ହୋଇଥିଲେ । 

ଏହା ପରେ ବ୍ରିଟିଶ ଅଭିନେତ୍ରୀ ତଲୁଲାହ ରିଲେଙ୍କ  ସହ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା । ତାଙ୍କୁ  ମସ୍କ ଦୁଇଥର ବିବାହ ଓ ଛାଡ଼ପତ୍ର ଦେଇଥିଲେ । ସେମାନଙ୍କର କୌଣସି ସନ୍ତାନ ନ ଥିଲେ । ୨୦୨୦- ୨୦୨୨ ମସିହା ମଧ୍ୟରେ ମସ୍କ ଓ ମ୍ୟୁଜିସିଆନ୍‌ ଗ୍ରାଇମ୍ସ  ୩ ସନ୍ତାନଙ୍କର ଅଭିଭାବକ ହେଲେ । ଏବେ ଗ୍ରାଇମ୍ସ  ଓ ମସ୍କଙ୍କ ମଧ୍ୟରେ ସନ୍ତାନଙ୍କ ହେପାଜତକୁ ନେଇ  ନ୍ୟାୟିକ ଲଢ଼େଇ ଚାଲିଛି । ୨୦୨୧ ମସିହାରେ ଶିଭୋନ ଜିଲିସ୍‌  ଓ ମସ୍କ ଯମଜ ସନ୍ତାନଙ୍କର ମାତାପିତା ହୋଇଥିଲେ । ଶିଭୋନ୍‌  ମସ୍କଙ୍କ ବ୍ରେନ୍‌ ଟେକ୍ନୋଲୋଜି ଷ୍ଟାର୍ଟ-ଅପ୍‌ ନ୍ୟୁରାଲିଙ୍କ୍‌ରେ ଜଣେ  କାର୍ଯ୍ୟନିର୍ବାହୀ ଅଛନ୍ତି । ଉଭୟଙ୍କର ୩ୟ ସନ୍ତାନ ଥିବା କଥା ମସ୍କ  ଚଳିତ ବର୍ଷ ସ୍ପଷ୍ଟ କରିଥିଲେ ।