ୱାଶିଂଟନ ଡିସି, ୦୨/୦୩: ବିଶ୍ୱର ପ୍ରମୁଖ ବ୍ୟବସାୟୀ ଏଲନ ମସ୍କ ୧୪ତମ ସନ୍ତାନର ପିତା ହୋଇଛନ୍ତି । ନିଜ କମ୍ପାନି  ୟୁରାଲିଙ୍କ୍‌ର ଏକ୍‌ଜିକ୍ୟୁଟିଭ୍‌ ଶିୱାନ ଜିଲିସ୍‌ ହେଉଛନ୍ତି ଏହି  ପୁତ୍ର ସନ୍ତାନର ମା । ପିଲାର ନାମ ସେଲ୍‌ଡନ ଲାଇକୁର୍ଗସ  ରଖାଯାଇଛି । ଶିୱାନ ଜିଲିସ ଶୁକ୍ରବାର ସନ୍ତାନ ଜନ୍ମ ସମ୍ପର୍କରେ  ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । 

ସେଥିରେ ସେ ଲେଖିଛନ୍ତି ମସ୍କଙ୍କ ସହ କଥାବାର୍ତ୍ତା କରିବା ପରେ ସନ୍ତାନ ବିଷୟରେ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ  ପୁତ୍ର ସନ୍ତାନର ଜନ୍ମ କେବେ ହୋଇଛି ତାହା ସେ ପ୍ରକାଶ କରିନାହାନ୍ତି । ପୂର୍ବରୁ ଶିୱାନ ଓ ମସ୍କଙ୍କର ୩ ସନ୍ତାନ ଅଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ଯମଜ ସନ୍ତାନ ଷ୍ଟ୍ରାଇଡର ଓ  ଏଜ୍ୟୋର ଏବଂ ଏକ କନ୍ୟା ସନ୍ତାନ ଅର୍କାଡିଆ ଅଛନ୍ତି । ୨୦୨୧  ନଭେମ୍ବରରେ ମସ୍କ ଓ ଶିୱାନ ସେମାନଙ୍କ ଘରେ ଯମଜ ସନ୍ତାନ  ଜନ୍ମ ନେଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । 

ଗତବର୍ଷ  ଅର୍କାଡିଆ ଜନ୍ମ ଗ୍ରହଣ କରିଥିଲେ । ଗତମାସରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ମସ୍କଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମସ୍କ ତାଙ୍କ ସାଥୀରେ ଶିୱାନ  ଓ ପିଲାମାନଙ୍କୁ ଧରି ଆସିଥିଲେ । ସେହିଭଳି ଗତମାସରେ  ଆମେରିକାର ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ଲେଖିକା  ଆସ୍‌ଲେ ସେଣ୍ଟ କ୍ଲେୟାର ଦାବି କରିଥିଲେ କି ତାଙ୍କ ସନ୍ତାନର  ପିତା ହେଉଛନ୍ତି ଟେସ୍‌ଲା କମ୍ପାନିର ମାଲିକ ମସ୍କ । ୫ ମାସ  ପୂର୍ବରୁ ଗୋପନୀୟ ଭାବେ ସେ ଏହି ସନ୍ତାନକୁ ଜନ୍ମ ଦେଇଛନ୍ତି ।