ଭୋପାଳ,୨୩/୧୨: ଦେଶର ୬୮ କୋଟି ଇଣ୍ଟରନେଟ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ, ଇ-ମେଲ ଓ ପାସୱାର୍ଡ ଲିକ୍ ହୋଇଥିବାର ସୂଚନା ମିଳିଛି । ଏହା ସାଇବର ଠକଙ୍କ ହାତକୁ ଚାଲିଯାଇଥିବା ଅନୁମାନ କରାଯାଉଛି । ଏଥିପାଇଁ ସତର୍କ ରହିବାକୁ ମଧ୍ୟପ୍ରଦେଶ ସାଇବର ପୁଲିସ ପକ୍ଷରୁ ଲୋକମାନଙ୍କୁ ଅପିଲ କରାଯାଇଛି ।
ରାଜ୍ୟ ସାଇବର ସେଲ୍ ଅଧିକାରୀଙ୍କ ସୂଚନା ଅନୁସାରେ ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ (ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ) ଠାରୁ ଏହି ତଥ୍ୟ ଲିକ୍ ସମ୍ପର୍କରେ ସୂଚନା ମିଳିଥିଲା । ଏଫବିଆଇ ଅଧିକାରୀମାନେ ଜଣେ ବଡ ସାଇବର ଅପରାଧୀଙ୍କ ଠାରୁ କେତେକ ଡିଭାଇସ୍ ଜବତ କରିଥିଲେ । ସେହି ସବୁ ଡିଭାଇସ୍ରେ ୬୮ କୋଟି ଭାରତୀୟଙ୍କ ପାସ୍ଓ୍ବାର୍ଡ ତଥ୍ୟ ରହିଥିବା ଜଣାପଡିଥିଲା । ଏସବୁ ପାସୱାର୍ଡ ଭିନ୍ନ ଭିନ୍ନ ସ୍ଥାନରୁ ଚୋରି କରାଯାଇଥିଲା । ଡାର୍କୱେବର ମାର୍କେଟପ୍ଲେସ୍, ଟେଲିଗ୍ରାମ ଚ୍ୟାନେଲ ଓ ବିପଜ୍ଜନକ ମାଲୱେର ଆକ୍ରମଣ ମାଧ୍ୟମରେ ଏସବୁ ପାସୱାର୍ଡ ସାଇବର ଠକମାନେ ଚୋରାଇ ନେଇଥିଲେ । ଏତେ ପରିମାଣର ପାସ୍ୱାର୍ଡ ଜଣେ ସାଇବର ଅପରାଧୀଙ୍କ ନିକଟରୁ ମିଳିବା ଏଫବିଆଇ ଅଧିକାରୀଙ୍କୁ ଚକିତ କରିଥିଲା । ଏଫବିଆଇ ଗତ ୪ ବର୍ଷ ହେଲା ଏଭଳି ଚୋରି ହୋଇଥିବା ପାସୱାର୍ଡକୁ ଅଷ୍ଟ୍ରେଲିଆର ସୁରକ୍ଷା ବିଶେଷଜ୍ଞ ଟ୍ରୟ ହଣ୍ଟଙ୍କୁ ପ୍ରଦାନ କରିଥିଲା । ଟ୍ରୟ ହଣ୍ଟ ‘ହାଭ ଆଇ ବିନ ପନ୍ଡ’ ନାମକ ୱେବସାଇଟ୍ ପରିଚାଳନା କରୁଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ନିଜର ୱେବସାଇଟ୍ ହ୍ୟାକ୍ କିମ୍ବା ପାସୱାର୍ଡ ଚୋରି ହୋଇଛି କି ନାହିଁ ସହଜରେ ଜାଣିପାରିବେ ।
ସାଇବର ପୁଲିସ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଛି ଯେ ଇ-ମେଲ ଆକାଉଣ୍ଟ ହ୍ୟାକ ହୋଇଗଲେ ସାଇବର ଠକମାନେ ଏହାକୁ ବ୍ୟବହାର କରି ସୋସିଆଲ ମିଡିଆ ଆକାଉଣ୍ଟ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ଡିଜିଟାଲ ୱାଲେଟ ଓ ଅନ୍ୟାନ୍ୟ ଆପ୍ ପର୍ଯ୍ୟନ୍ତ ପହଞ୍ଚିପାରନ୍ତି । ତେଣୁ ଏଥିରୁ ବର୍ତ୍ତିବା ଲାଗି ତୁରନ୍ତ ପାସ୍ୱାର୍ଡକୁ ରି-ସେଟ କରିବାକୁ ହେବ । ସମୟ ପୂର୍ବରୁ ପାସ୍ୱାର୍ଡ ବଦଳାଇବା, ଟୁ-ଫ୍ୟାକ୍ଟର ଅଥଣ୍ଟିକେସନ ଚାଲୁ କରିବା, ସନ୍ଦିଗ୍ଧ ଇ-ମେଲ, ଏସ୍ଏମ୍ଏସ୍ କିମ୍ବା ଲିଙ୍କ୍ରେ କ୍ଲିକ୍ ନ କରିବା, ଅଜଣା ଆପ୍ କିମ୍ବା ୱେବସାଇଟ୍କୁ ଲଗ୍ଇନ୍ ଠାରୁ ଦୂରେଇ ରହିବା ଏବଂ ଭିନ୍ନ ଭିନ୍ନ ୱେବସାଇଟ୍ ଓ ଆପର ସେବା ପାଇଁ ପୃଥକ ପାସ୍ୱାର୍ଡ ରଖିବା ବୁଦ୍ଧିମାନର ପରିଚୟ ହେବ । ସମ୍ଭାବ୍ୟ ସାଇବର ଠକଙ୍କ ଠାରୁ ବିପଦକୁ ଦୃଷ୍ଟିରେ ରଖି ଏହି ଲୋକମାନଙ୍କୁ ସଚେତନ କରିବା ଲାଗି ଏହି ଆଡଭାଇଜରି ଜାରି କରାଯାଇଛି ।
ମଧ୍ୟପ୍ରଦେଶ ସାଇବର ସେଲ୍ ଏସ୍ପି ପ୍ରଣୟ ନାଗବଂଶୀଙ୍କ ସୂଚନା ଅନୁସାରେ ଆଗୁଆ ସତର୍କ ହିଁ ସାଇବର ଠକେଇ କିମ୍ବା ତଥ୍ୟ ଚୋରିରୁ ସୁରକ୍ଷା ମଳିପାରିବ । ଅନେକ ଲୋକଙ୍କ ତଥ୍ୟ କୌଣସି ନା କୌଣସି ଡାର୍କ କିମ୍ବା ଡିପ୍ ୱେବରେ ଲିକ୍ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଅପିଲ କରାଯାଉଛି କି ସେମାନେ ସମୟ ସମୟରେ ନିଜର ଇ-ମେଲ ଆଇଡି ଓ ସୋସିଆଲ ମିଡିଆ ଆକାଉଣ୍ଟକୁ ନିୟମିତ ଯାଞ୍ଚ କରନ୍ତୁ ଏବଂ କିଛିଦିନ ଅନ୍ତରରେ ତାକୁ ପରିବର୍ତ୍ତନ କରନ୍ତୁ । ଜଣେ ନିଜର ଇ-ମେଲ ସୁରକ୍ଷିତ ଅଛି କି ନାହିଁ ତାହା ଜାଣିବା ପାଇଁ ‘ହାଭ୍ ଆଇ ବିନ ପନ୍ଡ’ୱେବସାଇଟ୍କୁ ଯାଇ ସେଥିରେ ଥିବା ବାର୍କୋଡ୍ କିମ୍ବା ଲିଙ୍କ୍ ମାଧ୍ୟମରେ ଜାଣି ହେବ । ଏହି ୱେବସାଇଟ୍ ତଥ୍ୟ ଲିକ୍ର ଆଧାର ଉପରେ ସୂଚନା ପ୍ରଦାନ କରିଥାଏ ।
ବର୍ତ୍ତମାନ ସାଇବର ଠକମାନେ ଲୋକମାନଙ୍କୁ ଠକିବା ଲାଗି ନୂଆ ନୂଆ କୌଶଳ ଆପଣାଉଛନ୍ତି । ସେମାନେ ଡିଜିଟାଲ ଆରେଷ୍ଟ, ଡିଜିଟାଲ ଲୋନ୍ ଆପ୍, ଡିଜିଟାଲ ଠକେଇ, ଜାଲ୍ ଲିଙ୍କ୍, ଗିଫ୍ଟ ପ୍ରସ୍ତାବ, ଡକ୍ୟୁମେଣ୍ଟ ଅପଡେଟ୍, ଅନ୍ଲାଇନ ଟ୍ରେଡିଂ, ଜାଲ୍ ନିଯୁକ୍ତି, ଘରେ ବସି କାମ, ପାର୍ସଲ ସ୍କାମ ଓ ମୋବାଇଲ ହ୍ୟାକିଂ ଆଦି ବିଭିନ୍ନ ଉପାୟରେ ପ୍ରତିଦିନ ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । କେତେକ କ୍ଷେତ୍ରରେ ବିନା ଓଟିପି ଯାଞ୍ଚରେ ସାଇବର ଠକମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଥିବାର ଅଭିଯୋଗ ମଧ୍ୟ ହୋଇଛି । ତେଣୁ ଏଭଳି ଠକେଇରୁ ବର୍ତ୍ତିବାକୁ ହେଲେ ପାସୱାର୍ଡରେ ଅତିକମ୍ରେ ୧୦ରୁ ୧୫ଟି ନମ୍ବର ରଖିବାକୁ ହେବ । ଆଲ୍ଫାବେଟ ସହ ନମ୍ବର ରଖିବା ଉଚିତ ନୁହେଁ । ପାସୱାର୍ଡରେ ଗୋଟିଏ ବଡ ଅକ୍ଷର ରହିବା ଉଚିତ । ସ୍ୱତନ୍ତ୍ର କ୍ୟାରେକ୍ଟର ବ୍ୟବହାର କରିବା ସବୁଠାରୁ ନିରାପଦ । ସମୟ ସମୟରେ ପାସୱାର୍ଡ ବଦଳାଇବା ଉଚିତ ଏବଂ ପାସ୍ୱାର୍ଡକୁ ଓଟିପି ଠାରୁ ସୁରକ୍ଷିତ ରଖିବା ଉଚିତ।