ବ୍ୟୁରୋ ୧୫/୦୭ : କଳ୍ପନା କରନ୍ତୁ... ଏକ ଏମିତି ଗାଁ, ଯେଉଁଠି ସୂର୍ଯ୍ୟ ପ୍ରତିଦିନ ଉଦୟ ହୁଏ, କିନ୍ତୁ ସେହି ଆଲୋକକୁ ଦେଖିବା ପାଇଁ କାହା ପାଖରେ ଆଖି ନାହିଁ । ଏଠାରେ ଜନ୍ମ ନେଉଥିବା ଶିଶୁ ଆଖି ଖୋଲି ଦୁନିଆ ଦେଖେ... କିନ୍ତୁ କିଛି ଦିନ ପରେ ତା’ର ଆଖିରୁ ଚାଲିଯାଏ ଦୃଷ୍ଟିଶକ୍ତି । ଏହା କୌଣସି କାହାଣୀ ନୁହେଁ ବରଂ ମେକ୍ସିକୋର ଏକ ରହସ୍ୟମୟ ଗାଁର ସତ୍ୟ କାହାଣୀ ।

ମେକ୍ସିକୋର ଓଆକ୍ସାକା ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ରହିଛି ଟିଲଟେପେକ୍ ଗାଁ । ଏହି ଗାଁ ଦୁନିଆରେ "ଭିଲେଜ୍ ଅଫ୍ ଦ ବ୍ଲାଇଣ୍ଡ" ବା "ଅନ୍ଧଙ୍କ ଗ୍ରାମ" ଭାବେ ଜଣାଯାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗ୍ରାମରେ ଜନ୍ମ ହେଉଥିବା ଅଧିକାଂଶ ଶିଶୁ ଜନ୍ମ ସମୟରେ ସାଧାରଣ ଭାବେ ଦେଖିପାରନ୍ତି। କିନ୍ତୁ ଜନ୍ମର କିଛି ଦିନ କିମ୍ବା ସପ୍ତାହ ପରେ ସେମାନଙ୍କର ଦୃଷ୍ଟି ଧୀରେ ଧୀରେ କମିଯାଏ ଏବଂ ଶେଷରେ ସେମାନେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାନ୍ତି । କେବଳ ମଣିଷ ନୁହେଁ... ଏହି ଗାଁର କୁକୁର, ବିଲେଇ, ଗାଈ ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ମଧ୍ୟରେ ମଧ୍ୟ ଏହି ସମସ୍ୟା ଦେଖାଯାଏ ।

ଆହୁରି ପଢନ୍ତୁ ;- Digital-Curfew: ରାତି ୧୨ଟା ବାଜିଲେ ସୋସିଆଲ ମିଡିଆ ବନ୍ଦ ! ପିଲାଙ୍କ ପାଇଁ ଲାଗିବ 'ଡିଜିଟାଲ କର୍ଫ୍ୟୁ'

ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ଏହା ଏକ ପୁରୁଣା ଅଭିଶାପର ପରିଣାମ।ଗାଁରେ ଥିବା ଏକ ରହସ୍ୟମୟ ଗଛକୁ ସେମାନେ ଏଥିପାଇଁ ଦାୟୀ କରନ୍ତି। କୁହାଯାଏ ଯିଏ ସେହି ଗଛକୁ ଦେଖୁଥିଲା, ସେ ଅନ୍ଧ ହୋଇଯାଉଥିଲା। କିନ୍ତୁ ବିଜ୍ଞାନ ଏହି କାହାଣୀକୁ ସତ ଭାବୁନଥିଲା। ବହୁ ଗବେଷଣା ପରେ ଜଣାପଡ଼ିଥିଲା ଯେ, ଏହା ପଛରେ ବଂଶଗତ ସମସ୍ୟା, ପରିବେଶଗତ କାରଣ କିମ୍ବା କିଛି ବିଶେଷ ପ୍ରକାରର କୀଟପତଙ୍ଗର ପ୍ରଭାବ ଥାଇପାରେ। ଛୋଟ ସମ୍ପ୍ରଦାୟ ମଧ୍ୟରେ ପିଢ଼ି ପରେ ପିଢ଼ି ସମାନ ପରିବାର ମଧ୍ୟରେ ବିବାହ ହେବା ଯୋଗୁଁ କିଛି ଜିନ୍ର ପ୍ରଭାବ ବଢ଼ିଥିବା ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି।

ଦୃଷ୍ଟି ନଥିଲେ ମଧ୍ୟ ଟିଲଟେପେକର ଲୋକମାନେ ହାର ମାନିନାହାନ୍ତି । ସେମାନେ ଶବ୍ଦ, ସ୍ପର୍ଶ ଓ ଗନ୍ଧ ମାଧ୍ୟମରେ ନିଜ ଦୈନନ୍ଦିନ ଜୀବନ ଅତିବାହିତ କରନ୍ତି । ସେମାନଙ୍କ ପାଇଁ ଅନ୍ଧାର ନୁହେଁ ବରଂ ଏହା ହେଉଛି ସେମାନଙ୍କର ସାଧାରଣ ଜୀବନ। ବିଶ୍ୱରେ ଏମିତି ଅନେକ ରହସ୍ୟ ରହିଛି, ଯାହାର ଉତ୍ତର ଆଜି ବି ବିଜ୍ଞାନ ଖୋଜୁଛି । ଟିଲଟେପେକ୍ ଗାଁ ମଧ୍ୟ ସେହି ରହସ୍ୟ ମଧ୍ୟରୁ ଗୋଟିଏ... ଯେଉଁଠି ସୂର୍ଯ୍ୟ ଉଦୟ ହୁଏ, କିନ୍ତୁ ଆଲୋକ ଦେଖିବାକୁ ଆଖି ନଥାଏ ।