ନୂଆଦିଲ୍ଲୀ, ୨୧।୩: ଚାକିରିଆଙ୍କ ପାଇଁ ଖୁସି ଖବର । ଏଣିକି ପିଏଫ୍ (PF) ଟଙ୍କା ଉଠାଇବା ପାଇଁ ଆଉ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ କିମ୍ବା ମାସ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର 'EPFO 3.0' ବ୍ୟବସ୍ଥା ଜରିଆରେ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଏବଂ ପେନସନ୍ ସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ ଓ ସରଳ କରିଦେଇଛନ୍ତି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରମ ଓ ରୋଜଗାର ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ନୂଆ ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି ।
EPFO 3.0 ର ୫ଟି ବଡ଼ ଫାଇଦା:
୫ ଲକ୍ଷ ଟଙ୍କା ଯାଏଁ ଅଟୋ-ସେଟେଲମେଣ୍ଟ: ପୂର୍ବରୁ କେବଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ୍ ସ୍ୱୟଂଚାଳିତ ଭାବେ ସେଟେଲ୍ ହେଉଥିଲା । କିନ୍ତୁ, ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଲେମ୍ ବିନା କୌଣସି ମାନବିକ ହସ୍ତକ୍ଷେପରେ ସଫ୍ଟୱେର୍ ଦ୍ୱାରା ଯାଞ୍ଚ ହୋଇ ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ ।
ମାତ୍ର ୩-୪ ଦିନରେ ମିଳିବ ଟଙ୍କା: ପୂର୍ବରୁ ପିଏଫ୍ ଟଙ୍କା ପାଇବା ପାଇଁ ୭ ରୁ ୧୫ ଦିନ କିମ୍ବା କେବେ କେବେ ମାସେ ସମୟ ଲାଗୁଥିଲା । ଏହି ନୂଆ ସିଷ୍ଟମରେ ଆପଣ କ୍ଲେମ୍ କରିବାର ମାତ୍ର ୩ ରୁ ୪ ଦିନ ମଧ୍ୟରେ ଟଙ୍କା ଆପଣଙ୍କ ପାଖରେ ପହଞ୍ଚିବ ।
ଦସ୍ତାବେଜ ମୁକ୍ତ ପ୍ରକ୍ରିୟା: ଯଦି ଆପଣଙ୍କର KYC ଅର୍ଥାତ୍ ଆଧାର, ପାନ୍ ଏବଂ ବ୍ୟାଙ୍କ ଅପଡେଟ୍ ଅଛି, ତେବେ ଚେକ୍ ବୁକ୍ କିମ୍ବା ପାସବୁକ୍ ଅପଲୋଡ୍ କରିବାର ଆବଶ୍ୟକତା ପଡ଼ିବ ନାହିଁ । ସିଷ୍ଟମ ନିଜେ ସବୁ ଯାଞ୍ଚ କରିନେବ ।
କ୍ଲେମ୍ ରିଜେକ୍ଟ ହେବାର ଭୟ ନାହିଁ: ଛୋଟ ଛୋଟ ଭୁଲ୍ ପାଇଁ ପୂର୍ବରୁ କ୍ଲେମ୍ ରିଜେକ୍ଟ ହୋଇଯାଉଥିଲା । କିନ୍ତୁ EPFO 3.0ରେ ଥିବା 'ଏରର କରେକ୍ସନ' ବ୍ୟବସ୍ଥା ଆପଣଙ୍କୁ ଫର୍ମ ପୂରଣ ସମୟରେ ହିଁ ଭୁଲ୍ ସଂଶୋଧନ କରିବାର ସୁଯୋଗ ଦେବ ।
ରିଅଲ୍-ଟାଇମ୍ ଟ୍ରାକିଂ: ସମ୍ପୂର୍ଣ୍ଣ ବ୍ୟବସ୍ଥା ଡିଜିଟାଲ୍ ହୋଇଥିବାରୁ ଆପଣ ନିଜ କ୍ଲେମ୍ର ଷ୍ଟାଟସ୍ ମୋବାଇଲ୍ ଜରିଆରେ ତୁରନ୍ତ ଦେଖିପାରିବେ ।
ଏହା ବି ପଢ଼ନ୍ତୁ... ଏପ୍ରିଲ ପହିଲାରୁ ବଦଳିଯିବ ଟ୍ୟାକ୍ସ ନିୟମ: ଦରମାଠୁ ନିବେଶ ପର୍ଯ୍ୟନ୍ତ, ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କିପରି ପଡ଼ିବ ପ୍ରଭାବ ?
କେନ୍ଦ୍ରୀୟ ପେନସନ୍ ପେମେଣ୍ଟ ସିଷ୍ଟମ (CPPS):
ସରକାର ୧ ଜାନୁଆରୀ, ୨୦୨୫ ରୁ ସାରା ଦେଶରେ 'ସେଣ୍ଟ୍ରାଲାଇଜଡ୍ ପେନସନ୍ ପେମେଣ୍ଟ ସିଷ୍ଟମ' ଲାଗୁ କରିଛନ୍ତି । ଏହାଦ୍ୱାରା ପ୍ରାୟ ୭୦ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏଣିକି ପେନସନଧାରୀ ଦେଶର ଯେକୌଣସି ବ୍ୟାଙ୍କ ଶାଖାରୁ ନିଜର ପେନସନ୍ ପାଇପାରିବେ ଏବଂ ଏଥିରେ କୌଣସି ବିଳମ୍ବ ହେବ ନାହିଁ । ବର୍ତ୍ତମାନ ପେନସନ୍ ପରିମାଣ ବୃଦ୍ଧି ନେଇ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ବର୍ତ୍ତମାନ ସୁଦ୍ଧା ସର୍ବନିମ୍ନ ପେନସନ୍ ୧୦୦୦ ଟଙ୍କା ରହିଛି । ଏହା ସହିତ 'ଏମ୍ପ୍ଲୋଇ ଏନରୋଲମେଣ୍ଟ ସ୍କିମ୍ ୨୦୨୫' ଅଧୀନରେ ହଜାର ହଜାର ସଂସ୍ଥା ପଞ୍ଜିକୃତ ହୋଇସାରିଲେଣି, ଯାହା ମାର୍ଚ୍ଚ ୨୦୨୬ରୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ ।