​​​​​​​ନୂଆଦିଲ୍ଲୀ, ୨୧।୩: ଦେଶର ଆୟକର ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ର ସରକାର 'ଇନକମ୍ ଟ୍ୟାକ୍ସ ନିୟମ, ୨୦୨୬'କୁ ନୋଟିଫାଇ କରିଛନ୍ତି, ଯାହା ଆସନ୍ତା ୧ ଏପ୍ରିଲରୁ ସାରା ଦେଶରେ ଲାଗୁ ହେବ । ୧୯୬୧ ମସିହାର ପୁରୁଣା ଆଇନ ବଦଳରେ 'ଇନକମ୍ ଟ୍ୟାକ୍ସ ଆକ୍ଟ, ୨୦୨୫' ଏବେ ଅଧିକ ସରଳ ଓ ଡିଜିଟାଲ୍ ବ୍ୟବସ୍ଥା ଅନୁଯାୟୀ କାମ କରିବ । ଏହି ନୂଆ ନିୟମ ଆପଣଙ୍କ ଟେକ୍-ହୋମ୍ ସାଲାରୀ ଠାରୁ ଆରମ୍ଭ କରି ସେୟାର ବଜାର ନିବେଶ ପର୍ଯ୍ୟନ୍ତ ସବୁକିଛିକୁ ପ୍ରଭାବିତ କରିବ ।

ଆସନ୍ତୁ ଜାଣିବା ସେହି ୧୦ଟି ବଡ଼ ପରିବର୍ତ୍ତନ ବିଷୟରେ, ଯାହା ଆପଣଙ୍କ ଆର୍ଥିକ ଯୋଜନାକୁ ବଦଳାଇ ଦେଇପାରେ:

୧. ଡିଜିଟାଲ୍ ବ୍ୟବସାୟ ଉପରେ ଟ୍ୟାକ୍ସ ଜାଲ

ବିଦେଶୀ ଡିଜିଟାଲ୍ କମ୍ପାନୀଗୁଡିକ ଏବେ ଭାରତୀୟ ଟ୍ୟାକ୍ସ ପରିସରଭୁକ୍ତ ହେବେ । ଯଦି କୌଣସି ନନ୍ ରେସିଡେଣ୍ଟ ସଂସ୍ଥା ଭାରତୀୟ ୟୁଜର୍ସଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ପାଉଛନ୍ତି କିମ୍ବା ତାଙ୍କର ୩ ଲକ୍ଷରୁ ଅଧିକ ୟୁଜର୍ସ ଅଛନ୍ତି, ତେବେ ସେମାନଙ୍କୁ ଭାରତରେ ଟ୍ୟାକ୍ସ ଦେବାକୁ ପଡ଼ିବ ।

୨. ଟ୍ୟାକ୍ସ ଅଫିସରଙ୍କୁ ଅଧିକ କ୍ଷମତା

ଯଦି ଆୟର ସଠିକ୍ ତଥ୍ୟ ମିଳିବ ନାହିଁ, ତେବେ ଆସେସିଂ ଅଫିସର ନିଜ ବିବେକ ଅନୁସାରେ ଟର୍ଣ୍ଣଓଭରର ଏକ ନିଶ୍ଚିତ ପ୍ରତିଶତକୁ ଆୟ ଭାବେ ଗ୍ରହଣ କରି ଟ୍ୟାକ୍ସ ଲଗାଇପାରିବେ । ଏହାଦ୍ୱାରା ବିବାଦ ବଢିବାର ସମ୍ଭାବନା ମଧ୍ୟ ରହିଛି ।

୩. ସେୟାର ବଜାର କାରବାର ଉପରେ କଡ଼ା ନଜର

ସେୟାର ବଜାରରେ ହେଉଥିବା ପ୍ରତିଟି କାରବାରର ଅଡିଟ୍ ରେକର୍ଡ ଏବେ ୭ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ପଡ଼ିବ । ଏହାଦ୍ୱାରା କଳାଧନ କାରବାର ଓ ସନ୍ଦିଗ୍ଧ କାରବାର ଉପରେ ରୋକ୍ ଲଗାଯାଇପାରିବ ।

୪. ବିଦେଶୀ ସୌଦା ପାଇଁ ସ୍ପଷ୍ଟ ଫର୍ମୁଲା

ଯେଉଁ ବିଦେଶୀ ସେୟାର ଟ୍ରାନ୍ସଫରର ମୂଲ୍ୟ ଭାରତୀୟ ସମ୍ପତ୍ତି ସହ ଜଡ଼ିତ, ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମୁଲା ଅଣାଯାଇଛି । ଏହାଫଳରେ ପୂର୍ବରୁ ହେଉଥିବା ଟ୍ୟାକ୍ସ ବିବାଦ ହ୍ରାସ ପାଇବ ।

୫. ସେୟାର ଭାଲ୍ୟୁଏସନ୍ ନିୟମରେ ପରିବର୍ତ୍ତନ

ଲିଷ୍ଟେଡ୍ ଶେୟାର ପାଇଁ ବଜାର ମୂଲ୍ୟ ଏବଂ ଅନଲିଷ୍ଟେଡ୍ ସେୟାର ପାଇଁ ମର୍ଚ୍ଚାଣ୍ଟ ବ୍ୟାଙ୍କରଙ୍କ ଦ୍ୱାରା ଭାଲ୍ୟୁଏସନ୍ କରିବା ବାଧ୍ୟତାମୂଳକ ହେବ ।

୬. କମିପାରେ 'ଟେକ୍-ହୋମ୍' ସାଲାରୀ

କର୍ମଚାରୀଙ୍କୁ ମିଳୁଥିବା ସୁବିଧା ଉପରେ ଏବେ ଅଧିକ ଟ୍ୟାକ୍ସ ଲାଗିବ

ମାଗଣା ଖାଦ୍ୟ: ପ୍ରତି ମିଲ୍ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଫ୍ରି

ଉପହାର: ୧୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଗିଫ୍ଟ ଉପରେ ଟ୍ୟାକ୍ସ ଲାଗିବ

ଘର ଭଡ଼ା: ସହରର ଜନସଂଖ୍ୟା ଆଧାରରେ ଏହାର ମୂଲ୍ୟାୟନ ହେବ

୭. ଅଫିସ୍ ଲୋନ୍ ହେବ ମହଙ୍ଗା

ଯଦି ଆପଣ ନିଜ କମ୍ପାନୀରୁ ଶସ୍ତା ସୁଧରେ ବା ସୁଧମୁକ୍ତ ଋଣ ନେଉଛନ୍ତି, ତେବେ ଷ୍ଟେଟ୍ ବ୍ୟାଙ୍କର ସୁଧ ହାର ଆଧାରରେ ସେହି ଲାଭ ଉପରେ ଟ୍ୟାକ୍ସ ଗଣନା କରାଯାଇ କାଟିଦିଆଯିବ ।

୮. ESOP ନିୟମରେ ସ୍ପଷ୍ଟତା

ଷ୍ଟାର୍ଟଅପ୍ କର୍ମଚାରୀଙ୍କ ପାଇଁ ଷ୍ଟକ୍ ଅପସନ୍ (ESOP)ର ମୂଲ୍ୟ କିଭଳି ନିର୍ଦ୍ଧାରଣ ହେବ, ସେ ନେଇ ନୂଆ ନିୟମରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ।

୯. ଖର୍ଚ୍ଚ କାଟ୍ ଉପରେ କଟକଣା

ଟ୍ୟାକ୍ସ ଫ୍ରି ଇନକମ୍ ପାଇଁ କରାଯାଉଥିବା ଖର୍ଚ୍ଚରେ ଏବେ କେବଳ ପ୍ରତ୍ୟକ୍ଷ ଖର୍ଚ୍ଚ ଏବଂ ହାରାହାରି ନିବେଶ ମୂଲ୍ୟର ୧% ପର୍ଯ୍ୟନ୍ତ ହିଁ ରିହାତି ମିଳିବ ।

୧୦. ଜିରୋ କୁପନ ବଣ୍ଡ (Zero Coupon Bonds)

ଏହି ବଣ୍ଡ୍ ପାଇଁ ସର୍ତ୍ତାବଳୀ କଠୋର କରାଯାଇଛି । ଏହାର ଅବଧି ୧୦ ରୁ ୨୦ ବର୍ଷ ହେବା ଆବଶ୍ୟକ ଏବଂ ଏଥିରେ ଇନଭେଷ୍ଟମେଣ୍ଟ ଗ୍ରେଡ୍ ରେଟିଂ ରହିବା ଜରୁରୀ । ସରକାରଙ୍କ ଏହି ପଦକ୍ଷେପ ଟ୍ୟାକ୍ସ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ସହ ଡାଟା ଟ୍ରାକିଂକୁ ମଜବୁତ କରିବ । ତେବେ ସାଧାରଣ ଚାକିରିଆ ଓ ନିବେଶକଙ୍କ ପାଇଁ କମ୍ପ୍ଲାଏନ୍ସ ବୋଝ ସାମାନ୍ୟ ବଢ଼ିପାରେ ।