ଭୁବନେଶ୍ୱର,୨୭/୧୨: ବାହାର ରାଜ୍ୟ ଧାନ ଗାଡ଼ିକୁ ଅଟକାଇବ ଏନଫୋର୍ସମେଣ୍ଟ୍ ଟିମ୍ । ସେଥିପାଇଁ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ସୀମାବର୍ତ୍ତୀ ଜିଲ୍ଲାରେ ଏନଫୋର୍ସମେଣ୍ଟ୍ ଟିମ୍ ମୁତୟନ କରାଯାଇଛି । ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏଭଳି କଡ଼ାକଡ଼ି ବ୍ୟବସ୍ଥା କରିଛନ୍ତି । ସୀମା ଜିଲ୍ଲାଗୁଡ଼ିକରେ ଜିଲ୍ଲା ସ୍କ୍ୱାଡ୍ ସମେତ ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ୍ ନିଯୁକ୍ତ କରାଯାଇଛି । ବିଶେଷ କରି ନୂଆପଡ଼ା ଜିଲ୍ଲାରେ କ୍ୟାମେରା ଖଞ୍ଜା ହୋଇଥିବା ଏନଫୋର୍ସମେଣ୍ଟ୍ ଗାଡ଼ିଗୁଡିକ ଖଡ଼ିଆଳରୋଡ୍ ଏବଂ ସିନାପାଲିରେ ମୁତୟନ ହୋଇଛି । ପଡ଼ୋଶୀ ଛତିଶଗଡ଼ରୁ ଓଡ଼ିଶା କିମ୍ୱା ଆମ ରାଜ୍ୟରୁ ଛତିଶଗଡକୁ ଧାନ ନେଇ ଯାଉଥିବା ଗାଡି ଉପରେ ନଜର ରଖାଯାଉଛି । ସେହିଭଳି ସମ୍ପୃକ୍ତ ଥାନା ଆଇଆଇସିମାନେ ମଧ୍ୟ ଟିମ୍ ରଖି ୨୪ ଘଣ୍ଟିଆ ନଜର ରଖୁଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡ଼ିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀମାନେ ଏଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ଜିଲ୍ଲାପାଳମାନେ ମଧ୍ୟ ଏହି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ।

ସେହିପରି ରାଜ୍ୟର ଆଉ ୪ଟି ଜିଲ୍ଲା ବାଲେଶ୍ୱର, ନୟାଗଡ଼, ଗଜପତି ଓ କନ୍ଧମାଳର ଚାଷୀଙ୍କ ପାଇଁ ଆଗୁଆ ଟୋକନ ଦିଆଯାଇଥିବା ବେଳେ ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୯ ତାରିଖରୁ ଧାନସଂଗ୍ରହ ଆରମ୍ଭ ହେବ । ସେହିପରି ଗଜପତିରେ ୩୦ରୁ ଏବଂ କନ୍ଧମାଳରେ ୩୧ରୁ ଧାନସଂଗ୍ରହ ଆରମ୍ଭ କରାଯିବ । ବାଲେଶ୍ୱର ଜିଲ୍ଲାରେ ୬୫ ହଜାର ୨୭୩ ଜଣ, ନୟାଗଡ଼ରେ ୨୮ ହଜାର ୭୨୩, ଗଜପତିରେ ୧୦ ହଜାର ୧୧୨, କନ୍ଧମାଳରେ ୩୧୭୬ ଚାଷୀଙ୍କୁ ଟୋକନ ଦିଆଯାଇଛି । ଏହା ପରେ ବର୍ତ୍ତମାନ ରାଜ୍ୟର ୧୨ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ୱଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଧାନସଂଗ୍ରହ ଜାରି ରହିଛି । ଏହି ସବୁ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪୧ ହଜାର ୩୮୧ ଜଣ ଚାଷୀଙ୍କଠାରୁ ୬ ଲକ୍ଷ ୩୦ ହଜାର ୪୩୮ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଏହା ସହ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୯୧୯ କୋଟି ୧୩ ଲକ୍ଷ ଟଙ୍କା ଦିଆଯାଇଛି । ଇନପୁଟ୍ ସହାୟତା ବାବଦକୁ ୨୮୩ କୋଟି ୬୧ ଲକ୍ଷ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।