ଲଣ୍ଡନ, ୨୭/୦୭: ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ୪ ଦିନିଆ ଅଫିସିଆଲ୍ ଟେଷ୍ଟରେ ଘରୋଇ ଦଳ ୧୪୩ ରନ୍ରେ ବିଜୟ ହାସଲ କରିଛି । କ୍ରିସ୍ ୱକ୍ସ ଓ ଷ୍ଟୁଆର୍ଟ ବ୍ରଡ୍ଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ମାତ୍ର ଅଢେଇ ଦିନରେ ବିଜୟୀ ହୋଇଥିଲା । ୧୮୨ ରନ୍ର ବିଜୟ ଲକ୍ଷ୍ୟ ଜବାବରେ ଆୟର୍ଲାଣ୍ଡ ଦ୍ୱିତୀୟ ଇନିଂସରେ ମାତ୍ର ୩୮ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୱକ୍ସ ୬ଟି ଓ ବ୍ରଡ୍ ୪ଟି ୱିକେଟ୍ ନେଇ ଆୟର୍ଲାଣ୍ଡ ବ୍ୟାଟିଂ ବିଭାଗ ଧ୍ୱଂସ କରିଦେଇଥିଲେ । ଦ୍ୱିତୀୟ ଇନିଂସରେ ୯୨ ରନ୍ର ଲଢୁଆ ଇନିଂସ ଖେଳିଥିବା ଇଂଲଣ୍ଡ ଓପନର ଜ୍ୟାକ୍ ଲଚ୍ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ତୃତୀୟ ଦିବସରେ ମାତ୍ର ୧୫.୫ ଓଭର ଖେଳ ହୋଇଥିବାବେଳେ ୧୧ଟି ଯାକ ୱିକେଟ୍ର ପତନ ଘଟିଥିଲା । ଇଂଲଣ୍ଡ ୯/୩୦୩ରୁ ଖେଳ ଆରମ୍ଭ କରି ଗୋଟିଏ ବଲରେ ଅନ୍ତିମ ୱିକେଟ୍ ହରାଇଥିଲା । ବାକି ଆୟର୍ଲାଣ୍ଡର ଦ୍ୱିତୀୟ ଇନିଂସ ୧୫.୪ ଓଭର ମଧ୍ୟରେ ଶେଷ ହୋଇ ଯାଇଥିଲା ।ଅସମାପ୍ତ ଦ୍ୱିତୀୟ ଇନିଂସ ୯/୩୦୩ରୁ ଇଂଲଣ୍ଡ ଆଜି ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ଓଲି ଷ୍ଟୋନ ଓ ବ୍ରଡ୍ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଷ୍ଟୁଆର୍ଟ ଥମ୍ପସନଙ୍କ ଓଭରର ପଞ୍ଚମ ବଲ୍ରେ ସେ ବୋଲ୍ଡ ହୋଇଥିଲେ । ଇଂଲଣ୍ଡର ଦ୍ୱିତୀୟ ଇନିଂସ ୩୦୩ରେ ଅଟକି ଯାଇଥିଲା । ଆୟର୍ଲାଣ୍ଡ ପକ୍ଷରୁ ଥମ୍ପସନ୍ ଓ ମାର୍କ ଆଡେୟାର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

୧୮୨ ରନ୍ର ବିଜୟ ଲକ୍ଷ୍ୟ ନେଇ ଆୟର୍ଲାଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର ୱିଲିୟମ ପୋଟରଫିଲ୍ଡ ଓ ଜେମ୍ସ ମ୍ୟାକ୍କଲମ୍ ୧୧ ରନ୍ ସଂଗ୍ରହ କରିଥିଲେ । ବ୍ୟକ୍ତିଗତ ୨ ରନ କରିଥିବାବେଳେ ପୋଟରଫିଲ୍ଡ ଆଉଟ୍ ହୋଇଥିଲେ । ଏହାପରେ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ପ୍ରଥମ ଇନିଂସରେ ଲଢୁଆ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ବ୍ରଡ୍ ଓ ୱକ୍ସଙ୍କ ସୁଇଂ ବୋଲିଂର ମୁକାବିଲା କରିପାରି ନଥିଲେ । ୧୫.୪ ଓଭର ମଧ୍ୟରେ ଆୟର୍ଲାଣ୍ଡ ୩୮ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ମ୍ୟାକ୍କଲମ୍ ସର୍ବାଧିକ ୧୧ ରନ୍ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଇଂଲଣ୍ଡକୁ ତୃତୀୟ ବୋଲର ପ୍ରୟୋଗ କରିବାକୁ ପଡ଼ି ନଥିଲା ।
ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୮୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଏହାର ଜବାବରେ ଆୟର୍ଲାଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୨୦୭ ରନ୍ ସଂଗ୍ରହ କରିଥିଲା । ୧୨୨ ରନ୍ରେ ପ୍ରଥମ ଇନିଂସ ପଛୁଆ ରହିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ କରି ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା । ଲିଚ୍ ୯୨, ଜାସନ ରୟ ୭୨, ସାମ କୁରାନ ୩୭ ଓ ଜୋ ରୁଟ୍ ୩୧ ରନ୍ କରିବା ଫଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୦୩ ରନ୍ କରିବାକୁ ସକ୍ଷମ ହୋଇଥିଲା ।