ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତକୁ ପରାସ୍ତ କରିବା ପରେ ଇଂଲଣ୍ଡ କ୍ରିକେଟ୍ ଦଳ ଦ୍ୱିତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇଛି। ଲିଡ୍ସ ଟେଷ୍ଟରେ ବିଜୟର ୨ ଦିନ ପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଛି। ଏହି ଦଳରେ ସବୁଠାରୁ ବଡ଼ ଘୋଷଣା ହେଉଛି ଷ୍ଟାର ଫାଷ୍ଟ ବୋଲର ଜୋଫ୍ରା ଆର୍ଚରଙ୍କ ପ୍ରତ୍ୟାବର୍ତ୍ତନ । ଗତ ୪-୫ ବର୍ଷ ଧରି ବିଭିନ୍ନ ଶାରୀରିକ ସମସ୍ୟା ସହିତ ସଂଘର୍ଷ କରୁଥିବା ଷ୍ଟାର ପେସର ଆର୍ଚରଙ୍କୁ ଜୁଲାଇ ୨ରୁ ବର୍ମିଂହାମର ଏଜବାଷ୍ଟନରେ ଅନୁଷ୍ଠିତ ହେବାକୁ ଥିବା ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ସାମିଲ କରାଯାଇଛି ।
ଆର୍ଚର ୪ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଗୁରୁବାର ECB ୫ମ୍ୟାଚ ବିଶିଷ୍ଟଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ଏହାର ୧୫ ଜଣିଆ ଦଳ ଘୋଷଣା କରିଛି । ଲିଡ୍ସ ଟେଷ୍ଟରେ ଥିବା କୌଣସି ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇ ନାହିଁ । କେବଳ ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇଛି। ଆର୍ଚରଙ୍କ ପ୍ରତ୍ୟାବର୍ତ୍ତନ ଇଂଲଣ୍ଡ ଦଳକୁ ଫାଇଦା ଦେବ ।
ଡାହାଣହାତୀ ଦ୍ରୁତ ବୋଲର ଆର୍ଚର ୪ ବର୍ଷରୁ ଅଧିକ ସମୟ ପରେ ଦଳକୁ ଫେରିଛନ୍ତି । ଆର୍ଚର ୧୩ଟି ଟେଷ୍ଟ ମ୍ୟାଚରେ ୪୨ ୱିକେଟ୍ ନେଇଛନ୍ତି। ଏହି ୩୦ ବର୍ଷୀୟ ଷ୍ଟାର ପେସର ଟିମ୍ ଇଣ୍ଡିଆ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ । ଆର୍ଚର ଫେବୃଆରୀ ୨୦୨୧ରେ ଭାରତ ଗସ୍ତରେ ତାଙ୍କ କ୍ୟାରିୟରର ୧୩ତମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, କିନ୍ତୁ ଏହାର କିଛି ଦିନ ପରେ ସେ ଆହତ ହୋଇଥିଲେ । ଏହା ପରେ ବିଭିନ୍ନ ପ୍ରକାରର ଆଘାତ ଯୋଗୁଁ ଦଳରୁ ବାହାରେ ଥିଲେ । ଚଳିତ ବର୍ଷ ଆରମ୍ଭରେ ଚାମ୍ପିଅନ୍ସ ଟ୍ରଫି ଏବଂ ତା’ପରେ ଆଇପିଏଲ ୨୦୨୫ ସିଜିନରେ ଖେଳିବା ପରେ ଆର୍ଚରଙ୍କ ଟେଷ୍ଟ ଦଳକୁ ଫେରିବା ଆଶା ବଢ଼ି ଯାଇଥିଲା।
ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ
ବେନ୍ ଷ୍ଟୋକ୍ସ (ଅଧିନାୟକ), ଜୋଫ୍ରା ଆର୍ଚର, ସୋଏବ ବଶିର, ଜାକବ୍ ବେଥେଲ୍, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସେ, ସାମ୍ କୁକ୍, ଜାକ୍ କ୍ରଲି, ବେନ୍ ଡକେଟ, ଜେମି ଓଭରଟନ୍, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ୍, ଜୋଶ୍ ଟଙ୍ଗ୍, କ୍ରିସ୍ ୱକ୍ସ