ମାନବ ସମାଜର ପ୍ରଗତି ବିବିଧ ସାମାଜିକ-ଅର୍ଥନୈତିକ ତଥା ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ କ୍ରମଶଃ ଋଦ୍ଧିମନ୍ତ କରିଥିବାବେଳେ, ଏହା ଐତିହାସିକ ଭାବରେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବିନିଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି । କିନ୍ତୁ ସଭ୍ୟତାର ଅଗ୍ରଗତିର ବିପରୀତ ଦିଗରେ ପରିବେଶଜନିତ ଅବକ୍ଷୟ ଧୀରେ ଧୀରେ ଗମ୍ଭୀର ରୂପ ଧାରଣ କରୁଛି । ବିକାଶ ଏବଂ ପ୍ରକୃତି ମଧ୍ୟରେ ବୃଦ୍ଧିପାଉଥିବା ଅସନ୍ତୁଳନ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛି- ପୃଥିବୀର ପ୍ରାକୃତିକ ପରିସଂସ୍ଥା ସବୁ ଅପୂରଣୀୟ ଭାବରେ କ୍ଷତିଗ୍ରସ୍ତ ଏବଂ ପରିବେଶ ବିବିଧ ସମସ୍ୟାରେ ଜର୍ଜରିତ ହେଉଛି । ବିକାଶ ପ୍ରକ୍ରିୟା ସହନୀୟ ବା ନିରନ୍ତର ମାର୍ଗରେ ପରିଚାଳିତ ହେଉନାହିଁ, ଯାହା ସମସ୍ୟା ସୃଷ୍ଟିର ମୂଳ କାରଣ ପାଲଟିଛି ।
ସମ୍ପ୍ରତି ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି ଶକ୍ତିର ବର୍ଦ୍ଧିତ ଆବଶ୍ୟକତା, ଯାହାର ପୂରଣ ନିମନ୍ତେ ମୁଖ୍ୟତଃ ବିଦ୍ୟୁତ ଉତ୍ପାଦନ, ପରିବହନ ଏବଂ ଶିଳ୍ପ କାର୍ଯ୍ୟକଳାପ କ୍ଷେତ୍ରରେ କୋଇଲା, ପେଟ୍ରୋଲିଅମ ଏବଂ ପ୍ରାକୃତିକ ଗ୍ୟାସ୍ର ଅତ୍ୟଧିକ ବ୍ୟବହାର ଘଟୁଛି । ଏସବୁର ଦହନରୁ ବିଭିନ୍ନ ପ୍ରଦୂଷକ ପଦାର୍ଥ, ବିଶେଷ ରୂପେ ଅଙ୍ଗାରକାମ୍ଳ, ମିଥେନ ଏବଂ ନାଇଟ୍ରସ୍ ଅକ୍ସାଇଡ୍ ପରି ସବୁଜଗୃହ ବାଷ୍ପର ନିର୍ଗମନ ହେଉଛି । ସେମାନେ ବାୟୁମଣ୍ଡଳରେ ଜମିରହି ପୃଥିବୀପୃଷ୍ଠରୁ ଆକାଶକୁ ନିର୍ଗତ ହେଉଥିବା ଅତିରିକ୍ତ ଉତ୍ତାପକୁ ଶୋଷଣ କରି ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛନ୍ତି, ଯାହା ବିଶ୍ୱତାପନ ରୂପେ ଜ୍ଞାତ । ଏହାର ପରିଣାମରେ ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ଅନୁଭୂତ ହେଉଛି ଏବଂ ଭୟଙ୍କର ଗ୍ରୀଷ୍ମପ୍ରବାହ, ବାଦଲଫଟା ବର୍ଷା, ବନ୍ୟାର ପ୍ଳାବନ, ପ୍ରଳୟଙ୍କର ଭୂସ୍ଖଳନ, ଗୁରୁତର ମରୁଡ଼ି, ବିନାଶକାରୀ ଜଙ୍ଗଲାଗ୍ନି, ମେରୁ ଅଞ୍ଚଳୀୟ ବରଫ ଓ ପର୍ବତସ୍ଥ ହିମବାହ ତରଳିବା, ସମୁଦ୍ର ପତ୍ତନରେ ବୃଦ୍ଧି ଏବଂ ଅନିଶ୍ଚିତ ପାଣିପାଗ ଢାଞ୍ଚା ପରି ପ୍ରାକୃତିକ ବିପର୍ଯ୍ୟୟ ଆଜି ବିଶ୍ୱର କୋଣ ଅନୁକୋଣରେ ଦୃଶ୍ୟମାନ ହେଉଛି । ପରିଣାମରେ ଭିତ୍ତିଭୂମିର ଅବକ୍ଷୟ, ଅର୍ଥନୈତିକ ଅବନତି ଏବଂ ମନୁଷ୍ୟ ସହ ଅନ୍ୟ ଜୀବଜନ୍ତୁ ଓ ବୃକ୍ଷଲତାମାନଙ୍କର ଜୀବନହାନି ଘଟୁଛି, ଯାହା କ୍ରମଶଃ ଗମ୍ଭୀର ରୂପେ ପ୍ରକଟିତ ହେଉଛି ।
ପରିବେଶ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତିସଂଘ ଆନୁକୂଲ୍ୟରେ ୧୯୭୨ ମସିହାରେ ଷ୍ଟକ୍ହୋମ୍ରେ ‘ମାନବ ପରିବେଶ' ପ୍ରସଙ୍ଗରେ ଅନୁଷ୍ଠିତ ବିଶ୍ୱ ସମ୍ମିଳନୀ ଅବସରରେ ଜୁନ୍ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ' ଭାବରେ ଘୋଷଣା କରାଗଲା । ପ୍ରତ୍ୟେକ ବର୍ଷ ଏକ ଗମ୍ଭୀର ପରିବେଶ ପ୍ରସଙ୍ଗ ଉପରେ ପାଳିତ ହେଉଥିବା ଏହି ଦିବସ ଆଜି ସମଗ୍ର ବିଶ୍ୱରେ ଏକ ବୃହତ୍ ପରିବେଶ ଆନ୍ଦୋଳନର ରୂପ ଧାରଣ କରିଛି । ସମ୍ପ୍ରତି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ, ବାୟୁ, ଜଳ ଓ ମୃତ୍ତିକାର ପ୍ରଦୂଷଣ, ବର୍ଜ୍ୟବସ୍ତୁ ନିଷ୍କାସନ ଓ ପ୍ଲାଷ୍ଟିକ୍ ପ୍ରଦୂଷଣ, ଜଙ୍ଗଲ ଅବକ୍ଷୟ, ପ୍ରାକୃତିକ ପରିସଂସ୍ଥାରେ ମାନବୀୟ ହସ୍ତକ୍ଷେପ ଏବଂ ଜୈବ ବିବିଧତାର ହ୍ରାସନ ପରି ଗୁରୁତର ସମସ୍ୟା କେବଳ ମାନବ ଜାତି ନୁହେଁ, ସମଗ୍ର ଜୀବଜଗତ ନିମନ୍ତେ ବିଭିନ୍ନ ସଙ୍କଟର ସୂତ୍ରପାତ କରୁଛି । ଜନସଂଖ୍ୟା ବିସ୍ଫୋରଣ, ଦ୍ରୁତ ସହରୀକରଣ, ଅସହନୀୟ କୃଷିପଦ୍ଧତି, ପ୍ରାକୃତିକ ସମ୍ପଦର ଅନିୟନ୍ତ୍ରିତ ବ୍ୟବହାର ଏବଂ ପ୍ରକୃତି ପ୍ରତି ସମ୍ବେଦନଶୀଳତାରେ ଅଭାବ ମଧ୍ୟ ପରିବେଶଗତ ଅବକ୍ଷୟ ଓ ଚାପ ସୃଷ୍ଟିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି । ଏପରି ବୈଶ୍ୱିକ ଦୃଶ୍ୟପଟ୍ଟକୁ ଦୃଷ୍ଟିରେ ରଖି, ନିର୍ଦ୍ଦିଷ୍ଟ ରୂପେ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ୨୦୨୬ ମସିହା ପରିବେଶ ଦିବସ ପାଳନର ପ୍ରସଙ୍ଗ ରହିଛି ‘ଜଳବାୟୁ କାର୍ଯ୍ୟକ୍ରମ' ଏବଂ ସ୍ଳୋଗାନ ହେଉଛି ‘ଜଳବାୟୁ ନିମନ୍ତେ ବର୍ତ୍ତମାନ' । ଏହି ଉପଲକ୍ଷେ ବିଶ୍ୱସ୍ତରୀୟ ମୁଖ୍ୟ ଉତ୍ସବ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟର ସଂଯୋଗସ୍ଥଳରେ ଅବସ୍ଥିତ ଆଜରବାଇଜାନ୍ ଗଣରାଜ୍ୟ ଦ୍ୱାରା ଜୁନ୍ ୫ରେ ଏହାର ରାଜଧାନୀ ବାକୁରେ ଆୟୋଜିତ ହେଉଛି । ଏତଦ୍ ବ୍ୟତୀତ, ୧୫୦ରୁ ଅଧିକ ରାଷ୍ଟ୍ରର ପ୍ରଶାସନ ଏବଂ ଅଧିବାସୀ ବିଭିନ୍ନ ସ୍ତରରେ ବହୁବିଧ କାର୍ଯ୍ୟକ୍ରମ ଗ୍ରହଣ ମାଧ୍ୟମରେ ଏହି ଅଭିଯାନରେ ସାମିଲ ହେଉଛନ୍ତି । ଜଳବାୟୁ ପରିବର୍ତ୍ତନର କ୍ଷତିକାରକ ପ୍ରଭାବକୁ ହ୍ରାସ କରିବା ଏବଂ ଭବିଷ୍ୟତ ପିଢ଼ି ନିମନ୍ତେ ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ବ୍ୟକ୍ତି, ସମ୍ପ୍ରଦାୟ, ସଂଗଠନ ଏବଂ ସରକାର ସମସ୍ତଙ୍କ ଦ୍ୱାରା ଗୃହୀତ ପ୍ରୟାସ ହେଉଛି ଜଳବାୟୁ କାର୍ଯ୍ୟାନୁଷ୍ଠାନ । ଏକ ନିରନ୍ତର ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ଏ ଦିଗରେ ତୁରନ୍ତ ଏବଂ ସାମୂହିକ ପଦକ୍ଷେପ ଏକାନ୍ତ ଅପରିହାର୍ଯ୍ୟ ।
ଜଳବାୟୁ କାର୍ଯ୍ୟକ୍ରମ ବିଭିନ୍ନ ରଣନୀତି ମାଧ୍ୟମରେ କ୍ଷତିକାରକ ପ୍ରଭାବକୁ ପ୍ରତିହତ କରିବା ଉପରେ ଧ୍ୟାନ ପ୍ରଦାନ କରେ । ଏକ ପ୍ରମୁଖ ପଦକ୍ଷେପ ହେଉଛି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ପରିତ୍ୟାଗ କରି ସୌର, ପବନ, ଜଳବିଦ୍ୟୁତ୍, ସମୁଦ୍ର ଢେଉ, ଭୂ-ଉତ୍ତାପ, ଜୈବିକ, ଉଦ୍ଜାନ ଏବଂ ପରମାଣୁ ଶକ୍ତି ଭଳି ନବୀକରଣୀୟ ଶକ୍ତିର ଉତ୍ସକୁ ପରିବର୍ତ୍ତିତ କରିବା । ନବୀକରଣୀୟ ଶକ୍ତି ହେଉଛି ସ୍ୱଚ୍ଛ, ସବୁଜ, ନିରନ୍ତର ଏବଂ ଅଙ୍ଗାରକ ନିର୍ଗମନରେ ହ୍ରାସ ଘଟାଇବାର ଶ୍ରେଷ୍ଠ ବିକଳ୍ପ । ଅନେକ ରାଷ୍ଟ୍ର ସବୁଜ ପ୍ରଯୁକ୍ତିବିଦ୍ୟାରେ ନିବେଶ ବୃଦ୍ଧି କରୁଛନ୍ତି ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଗ୍ରହଣ କରିବାକୁ ଶିଳ୍ପମାନଙ୍କୁ ଉତ୍ସାହିତ କରୁଛନ୍ତି । ଜଳବାୟୁ କାର୍ଯ୍ୟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସଂରକ୍ଷଣ । ଜଙ୍ଗଲ, ତୃଣଭୂମି, ସମୁଦ୍ର, ନଦୀ, ହ୍ରଦ ପରି ପ୍ରାକୃତିକ ପରିସଂସ୍ଥାମାନଙ୍କରେ ଜୀବଜନ୍ତୁମାନଙ୍କୁ ସୁରକ୍ଷା ପ୍ରଦାନ ପରିବେଶୀୟ ସନ୍ତୁଳନ ବଜାୟ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ବୃକ୍ଷଲତାମାନେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରି ଅମ୍ଳଜାନ ମୁକ୍ତ କରନ୍ତି, ଯାହା ବିଶ୍ୱ ଉଷ୍ମତା ହ୍ରାସ କରିବାରେ ଜଙ୍ଗଲକୁ ଗୁରୁତ୍ୱପୂର୍ଣ୍ଣ କରିଥାଏ । ବୃକ୍ଷରୋପଣ ଏବଂ ପୁନଃବନୀକରଣ ପରି କାର୍ଯ୍ୟକ୍ରମ ପରିବେଶର ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ସାଧନ କରେ । ସେହିପରି, ବ୍ୟକ୍ତିବିଶେଷ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍ ଅପଚୟର ହ୍ରାସ, ସମ୍ବଳର ସୀମିତ ବ୍ୟବହାର, ସାମଗ୍ରୀର ପୁନଃଚକ୍ରଣ, ଜଳ ସଂରକ୍ଷଣ, ସାର୍ବଜନୀନ ପରିବହନକୁ ଗ୍ରହଣ, ସାଇକେଲ୍ ଚାଳନା, ବୃକ୍ଷରୋପଣ ଏବଂ ଶକ୍ତି ବ୍ୟବହାରକୁ ସଙ୍କୁଚିତ କରିବା ପରି କାର୍ଯ୍ୟ ସମ୍ପାଦନ ମାଧ୍ୟମରେ ସେମାନଙ୍କର ନକାରାତ୍ମକ ପ୍ରଭାବକୁ ହ୍ରାସ କରିବାରେ ସମର୍ଥ ହୋଇପାରିବେ ।
ଜଳବାୟୁ କାର୍ଯ୍ୟରେ ରାଷ୍ଟ୍ରୀୟ ସରକାର ଏବଂ ଅନ୍ତର୍ଜାତୀୟ ସଂଗଠନମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପ୍ୟାରିସ୍ ଚୁକ୍ତିନାମା (୨୦୧୫) ଭଳି ବିଶ୍ୱସ୍ତରୀୟ ବୁଝାମଣା ରାଷ୍ଟ୍ରମାନଙ୍କୁ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ସୀମିତ କରିବା ଏବଂ ସବୁଜଗୃହ ଗ୍ୟାସ୍ ନିର୍ଗମନରେ ହ୍ରାସ ଘଟାଇବା ନିମନ୍ତେ ଏକତ୍ର କାର୍ଯ୍ୟ ସାଧନ କରିବାକୁ ଉତ୍ସାହିତ କରେ । ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡି ଜି) ନଂ.୧୩ରେ ଜଳବାୟୁ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି, ଯାହା ଆମ ଗ୍ରହ ତଥା ଏହାର ଅଧିବାସୀଙ୍କ ଉପରେ ଜଳବାୟୁ ସଙ୍କଟର ବିବିଧ ବିନାଶକାରୀ ପ୍ରଭାବର ମୁକାବିଲା ନିମନ୍ତେ ବ୍ୟାପକ ଏବଂ ସାମୂହିକ ପଦକ୍ଷେପ ନେବାର ଜରୁରି ଆବଶ୍ୟକତାକୁ ସମ୍ବୋଧିତ କରେ । ଜଳବାୟୁ କାର୍ଯ୍ୟକ୍ରମ ଦୁଇଟି ପ୍ରମୁଖ ଦୃଷ୍ଟିକୋଣରୁ କାର୍ଯ୍ୟକାରୀ ହେବା ବିଧେୟ- ପ୍ରଶମନ ଏବଂ ଅନୁକୂଳନ । ପ୍ରଶମନର ଲକ୍ଷ୍ୟ ହେଉଛି ସବୁଜଗୃହ ବାଷ୍ପର ଉତ୍ସର୍ଜନରେ ହ୍ରାସ ନିମନ୍ତେ ନବୀକରଣୀୟ ଶକ୍ତିର ବ୍ୟବହାରକୁ ବ୍ୟାପକ କରିବା ଓ ଅନ୍ୟ ପକ୍ଷରେ, ଅନୁକୂଳନ ବ୍ୟକ୍ତି ଓ ସମ୍ପ୍ରଦାୟକୁ ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ସହିବାକୁ ଏବଂ ସଶକ୍ତ ହେବାକୁ ପ୍ରସ୍ତୁତ କରେ । ସ୍ୱଚ୍ଛ ଶକ୍ତିର ବ୍ୟବହାର, ସହନୀୟ ପରିବହନ ଏବଂ କଠୋର ପରିବେଶୀୟ ନିୟମକୁ ପ୍ରୋତ୍ସାହିତ କରୁଥିବା ନୀତିଗୁଡ଼ିକର କାର୍ଯ୍ୟାନ୍ୱୟନ ଦୀର୍ଘକାଳୀନ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାରେ ସମର୍ଥ ହେବ ।
ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କର ଅଂଶଗ୍ରହଣକୁ ଉତ୍ସାହିତ କରିବା ନିମନ୍ତେ ଶିକ୍ଷା ଅଭିଯାନ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ସମଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ । ଗ୍ରେଟା ଥନ୍ବର୍ଗଙ୍କ ‘ଭବିଷ୍ୟତ ନିମନ୍ତେ ଶୁକ୍ରବାର' ଅଭିଯାନର ସଫଳତା ପରେ ସମଗ୍ର ବିଶ୍ୱରେ ଏବେ ଯୁବପିଢ଼ି ଜଳବାୟୁ ଆନ୍ଦୋଳନରେ ଏକ ଦୃଢ଼ ସ୍ୱର ରୂପେ ଉଭା ହୋଇଛନ୍ତି । ପରିବେଶ କର୍ମୀ, ଛାତ୍ରସମାଜ ଏବଂ ସ୍ୱେଚ୍ଛାସେବକମାନେ ରାଜନୈତିକ ନେତୃବର୍ଗଙ୍କଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ବିଭିନ୍ନ ଅଭିଯାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ସଚେତନତା ସଭା ସବୁର ଆୟୋଜନ କରୁଛନ୍ତି । ସେମାନଙ୍କର ବର୍ଦ୍ଧିତ ଅଂଶଗ୍ରହଣ କ୍ରମଶଃ ବଢ଼ୁଥିବା ବୁଝାମଣାକୁ ଉଜ୍ଜ୍ୱଳ କରିଥାଏ ଯେ ଜଳବାୟୁ ପରିବର୍ତ୍ତନ କେବଳ ଏକ ପରିବେଶଗତ ସମସ୍ୟା ନୁହେଁ, ବରଂ ଏକ ସାମାଜିକ ଏବଂ ଆର୍ଥିକ ଆହ୍ୱାନ ଯାହା ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟ ସୁରକ୍ଷା, ଜୀବିକା ଏବଂ ବିଶ୍ୱ ସ୍ଥିରତାକୁ ପ୍ରଭାବିତ କରେ ।
ଜଳବାୟୁ କାର୍ଯ୍ୟକ୍ରମ ନବସୃଜନ ଏବଂ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ସୁଯୋଗ ସୃଷ୍ଟିର ସମ୍ଭାବନା ବହନ କରେ । ସବୁଜ ଶିଳ୍ପ, ସହନୀୟ କୃଷି, ବୈଦ୍ୟୁତିକ ଯାନବାହନ ଏବଂ ପରିବେଶ ଅନୁକୂଳ ଉତ୍ପାଦ ନୂତନ ନିଯୁକ୍ତିର ପଥ ଉନ୍ମୁକ୍ତ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ । ନିରନ୍ତର ବିକାଶ ପ୍ରକ୍ରିୟାରେ ବିନିଯୋଗ କରିବା ଦ୍ୱାରା ଉଭୟ ମଣିଷ ଏବଂ ଗ୍ରହର ପ୍ରାକୃତିକ ପରିସଂସ୍ଥା ଲାଭବାନ ହୁଅନ୍ତି । ଜଳବାୟୁ-ପ୍ରତିରୋଧୀ ଅଭ୍ୟାସ ଗ୍ରହଣ କରୁଥିବା ସମ୍ପ୍ରଦାୟମାନେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପରିବେଶୀୟ ପରିବର୍ତ୍ତନର ସମ୍ମୁଖୀନ ହେବା ନିମନ୍ତେ ଉତ୍ତମ ରୂପେ ପ୍ରସ୍ତୁତ ହୋଇଥାନ୍ତି । ତଥାପି, ଜଳବାୟୁ କାର୍ଯ୍ୟ ସାଧନ ନିମନ୍ତେ ପ୍ରତ୍ୟେକ ସ୍ତରରେ ସହଯୋଗର ଆବଶ୍ୟକତା ରହିଛି ।
ନାଗରିକ, ବିବିଧ ଅନୁଷ୍ଠାନ, ଶିଳ୍ପକ୍ଷେତ୍ର ଏବଂ ବ୍ୟବସାୟର ସମର୍ଥନ ବିନା କେବଳ ସରକାର ଏହି ସଙ୍କଟର ସମାଧାନରେ ସକ୍ଷମ ହୋଇପାରିବେ ନାହିଁ । ବ୍ୟକ୍ତିବିଶେଷଙ୍କୁ ସାର୍ବଜନୀନ ପରିବହନର ବ୍ୟବହାର, ବିଦ୍ୟୁତ ସଞ୍ଚୟ, ସମ୍ବଳ ବ୍ୟବହାରରେ ସଂଯମତା ଅବଲମ୍ବନ, ଅପଚୟ ହ୍ରାସ ଏବଂ ପରିବେଶ ଅନୁକୂଳ ଉତ୍ପାଦଗୁଡ଼ିକୁ ସମର୍ଥନ କରିବା ଭଳି ଦାୟିତ୍ୱପୂର୍ଣ୍ଣ ଅଭ୍ୟାସ ଗ୍ରହଣ କରିବାକୁ ପଡିବ । ଏଥିସହ ଯୁବପିଢ଼ି ଓ ଛାତ୍ରସମାଜ ପରିବେଶ ସଚେତନତା ବୃଦ୍ଧିରେ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିପାରିବେ । ସେମାନେ ଆଲୋଚନାଚକ୍ର, ସାମାଜିକ ଗଣମାଧ୍ୟମ ଓ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିପାରିବେ । ଛୋଟ ଛୋଟ ସକାରାତ୍ମକ କାର୍ଯ୍ୟ ଯେତେବେଳେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ବହୁଗୁଣିତ ହୁଏ, ତାହା ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବାରେ ସକ୍ଷମ ହୁଏ ।
ବାସ୍ତବତା ହେଉଛି, ପୃଥିବୀର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର କଲ୍ୟାଣ ସୁନିଶ୍ଚିତ କରିବା ନିମନ୍ତେ ଜଳବାୟୁ ପଦକ୍ଷେପ ଅତ୍ୟନ୍ତ ଜରୁରି । ଏହି ସଙ୍କଟ ଏକ ବିଶ୍ୱସ୍ତରୀୟ ସମସ୍ୟା ଯାହାର ସମାଧାନର ପନ୍ଥା ତୁରନ୍ତ ଧ୍ୟାନ, ଦୃଢ଼ ନୀତି, ବୈଜ୍ଞାନିକ ଉଦ୍ଭାବନ, ଜନସାଧାରଣଙ୍କ ଅଂଶଗ୍ରହଣ ଏବଂ ସର୍ବୋପରି ରାଜନୈତିକ ପ୍ରତିବଦ୍ଧତା ମାଧ୍ୟମରେ ସମ୍ଭବପର ହେବ । ଦୈନନ୍ଦିନ ଜୀବନରେ ସୁସଂଗତ ଅଭ୍ୟାସ ସବୁକୁ ଗ୍ରହଣ କରି ଏବଂ ସମ୍ମିଳିତ ପ୍ରୟାସ ମାଧ୍ୟମରେ, ମାନବ ଜାତି ପରିବେଶଜନିତ କ୍ଷୟକ୍ଷତିକୁ ହ୍ରାସ କରିବାରେ ସକ୍ଷମ ହେବ ଏବଂ ଏକ ସ୍ୱଚ୍ଛ, ସୁରକ୍ଷିତ ଏବଂ ଅଧିକ ସ୍ଥାୟୀ ବିଶ୍ୱ ଗଠନକୁ ବାସ୍ତବତାରେ ରୂପାନ୍ତରିତ କରିପାରିବ । ଅତଏବ, ଆମ ଗ୍ରହର ଭବିଷ୍ୟତ ସମ୍ପ୍ରତି ଆମେ ନିର୍ଣ୍ଣୟ କରୁଥିବା ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ।