ଆଜିର ସହରୀ ସବୁଜୀକରଣ, ଜଳବାୟୁ ପ୍ରତିରୋଧ ଭିତ୍ତିଭୂମି ଏବଂ ପ୍ରକୃତିଭିତ୍ତିକ ପରିଯୋଜନା ଯେତେବେଳେ ଆମେ କରିବସୁ, ଆଉ ଆମେ ଭାବୁ ଏହିସବୁ ହେଉଛି ଆଧୁନିକୀକରଣର ପରିଚୟ ଏବଂ ଆମେ ଆଗକୁ ଅତି ଉନ୍ନତ ମାନବ ସଭ୍ୟତା ଆଡ଼କୁ ହିଁ ଅଗ୍ରସର ହେଉଅଛୁ । ଏହି ଚିନ୍ତାଧାରା ମନ ଭିତରେ ଆସିଲାବେଳେ ଆମେ ଆମର ନିଜର ମୂଳକୁ ଭୁଲିବସୁ କେଉଁଠାରୁ ଆମର ଅଗ୍ରଗତି ଆରମ୍ଭ ଏବଂ ତାହାର ବୈଜ୍ଞାନିକ ଭିତ୍ତିଭୂମି କ'ଣ ଥିଲା? ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ପ୍ରମାଣ ମିଳେ ଯେ ସହର ପରିବେଶ ଯୋଜନା ସହ ସବୁଜୀକରଣ ଆଜିର ନୁହଁ, ବରଂ ପ୍ରାଗ୍-ଐତିହାସିକ ଯୁଗର । ବୋଧହୁଏ ଆମେ ବାଟହୁଡ଼ି ପୁନରାୟ ତାକୁ ଖୋଜି ବାହାରିଛୁ । ଆଜିର "ଚିରନ୍ତନତା’ ଶବ୍ଦାର୍ଥ ଯଥେଷ୍ଟ ପୂର୍ବରୁ ପୁରାତନ ସହରୀ ସଭ୍ୟତା ଜନବସତି ସହ ଜଳ, ଜମି, ଜଙ୍ଗଲ, ଜନ୍ତୁ ସହ ଜନମାନଙ୍କ ସହାବସ୍ଥାନକୁ ବୁଝି ଗୁରୁତ୍ୱ ଦେଇସାରିଥିଲେ । ତନ୍ମଧ୍ୟରୁ ହରପ୍ପା ସଭ୍ୟତା ଅନ୍ୟତମ, ଯାହା ପାରିପାଶ୍ୱିର୍କ ଦୂରଦୃଷ୍ଟିକୁ ସହରର ଉନ୍ନତି ସହ ଯୋଡ଼ିଥିଲା ।

ହରପ୍‌ପା ସଭ୍ୟତା, ଯାହା ଖ୍ରୀଷ୍ଟପୂର୍ବ ୩୩୦୦ରୁ ଖ୍ରୀଷ୍ଟପୂର୍ବ ୧୩୦୦ ମଧ୍ୟରେ ପ୍ରସିଦ୍ଧି ଲାଭ କରିଥିଲା । ଧାଡ଼ିରେ ଘର ନିର୍ମାଣ, ଅତ୍ୟାଧୁନିକ ନିଷ୍କାସନ ଓ ଉଚିତ ଜଳ ସଂରକ୍ଷଣ ପଦ୍ଧତି ସହ ମାନକୀକୃତ ସ୍ଥାପତ୍ୟର ପରାକାଷ୍ଠା ପୃଥିବୀର ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ସମଭାବରେ ଉଲ୍ଲେଖନୀୟ, ପରିସଂସ୍ଥାନୀୟ ପରିଚାଳନା ସହ ସବୁଜୀକରଣ ଯୋଜନା କେବେ ଆଲୋଚନା ପରିସର ମଧ୍ୟରେ ଆସିନାହିଁ । ପ୍ରତ୍ନତତ୍ତ୍ୱ, ଉଦ୍ଭିଦ ଜୀବାଶ୍ମ ତଥା ସେତେବେଳର ପାରିପାଶ୍ୱିର୍କ ପ୍ରମାଣକୁ ଅନୁଧ୍ୟାନ କରିଲେ ଜଣାଯାଏ ଯେ ନଗର ପରିଯୋଜନା ସଦା ସବୁଜୀକରଣ ଯୋଜନା ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିଲା ।

ହରପ୍‌ପା ସଭ୍ୟତା କେବଳ ସହର ଆଉ ଗ୍ରାମୀଣ ମଧ୍ୟରେ ଅନ୍ତର ନକରି ବରଂ ଦୁହିଁଙ୍କୁ ସାଥିରେ ଯୋଡ଼ିଥିଲା । ମହେଞ୍ଜୋଦାରୋ, ହରପ୍ପା, ଧୋଲାବୀରା ଏବଂ ଲୋଥଲ ଆଦି ସହର ଆଭ୍ୟନ୍ତରୀଣ ଅଞ୍ଚଳରେ କୃଷିକୁ ମଧ୍ୟ ସମର୍ଥନ ଦେଇଥିଲେ ଯେଉଁଠି ଗହମ, ବାର୍ଲି, ଡାଲି, ତିଳ ତଥା କପା ଆଦି ଶସ୍ୟ ପଦ୍ଧତିଗତ ଭାବରେ ଚାଷ କରାଯାଉଥିଲା । ସୁତରାଂ, ଏହା ଗୋଟିଏ ସଂଗଠିତ ଭୂମି ବ୍ୟବହାର ଯୋଜନାକୁ ପ୍ରମାଣ ଦେଇଥିଲା । କୃଷି ସମ୍ଭବତଃ କେବଳ ବିଲ ଚାଷ ବ୍ୟତୀତ କୃଷି ସହ ବନୀକରଣ ପର୍ଯ୍ୟନ୍ତ ବିସ୍ତାର କରିଥିଲା, ଯେହେତୁ ଅନେକ ପ୍ରମୁଖ ବସତି ସବୁ ଅର୍ଦ୍ଧ-ଶୁଷ୍କରୁ ଶୁଷ୍କ ପରିବେଶରେ ବିକଶିତ ହୋଇଥିଲା । ପ୍ରତ୍ନତାତ୍ତ୍ୱିକ ଉଦ୍ଭିଦ ଅବଶେଷରୁ ଜଣାଯାଏ ଯେ ଖଜୁରି, ବାବୁଲ ଏବଂ ନଦୀକୂଳିଆ ଉଦ୍ଭିଦ ଲଗାଯାଇଥିଲା ଯାହା ଖାଦ୍ୟ ସହ ଛାଇ, ଜାଳେଣି, ବିଭିନ୍ନ ଆବଶ୍ୟକତା ନିମନ୍ତେ କାଠ, ଘୂର୍ଣ୍ଣିଝଡ଼ରୁ ସୁରକ୍ଷା ଏବଂ ମାଟିକୁ ବାନ୍ଧି ରଖିବା ଭଳି ଭଳି ବହୁବିଧ କାର୍ଯ୍ୟ ସାଧନ ହୋଇଥିଲା । ଶୁଷ୍କ ତଥା ଅର୍ଦ୍ଧଶୁଷ୍କ ପରିବେଶରେ ଏପରି ବହୁବିଧ ବୃକ୍ଷରୋପଣ ଗୁରୁତ୍ୱପୂର୍ଣ୍ଣ ମନେ ହୋଇଥିଲା । ଯେପରି ଓଡ଼ିଶା ତଥା ଉପକୂଳ ଅଞ୍ଚଳରେ ହେନ୍ତାଳ ବଣ ଘୂର୍ଣ୍ଣିଝଡ଼ରୁ ରକ୍ଷା କରୁଛି, ବୋଧହୁଏ ସେହିପରି ବୃକ୍ଷରୋପଣ ପ୍ରକାରାନ୍ତରେ ସେହି କାର୍ଯ୍ୟ ସହର ଭିତରେ ମଧ୍ୟ ତୁଲେଇଥିଲା ।

ପ୍ରାଚୀନ ସହର ଯୋଜନାରେ ଉଦ୍ଭିଦ ଏବଂ ଜଳ ପରିଚାଳନା ଘନିଷ୍ଠ ଭାବରେ ଜଡ଼ିତ ଥିଲେ । ଧୋଲାବୀରା, ଯାହା ହରପ୍ପା ସଭ୍ୟତାର ଏକ ଅତ୍ୟନ୍ତ ଉନ୍ନତ ସହର ମଧ୍ୟ ଥିଲା, ସେଠାରେ ଜଳାଶୟଗୁଡ଼ିକ ଚତୁଃପାଶ୍ୱର୍ରେ ବୃକ୍ଷଦ୍ୱାରା ଆଚ୍ଛାଦିତ ଥିଲା, ଶୁଷ୍କ ଅଞ୍ଚଳରେ ମଧ୍ୟ ସଦା ଜଳାଶୟରେ ଜଳ ଭରି ରଖିବା ସହ ମୃତ୍ତିକା କ୍ଷୟ ରୋକୁଥିଲା ଏବଂ ଜଳବାୟୁକୁ ସୂକ୍ଷ୍ମସ୍ତରରେ ମଧ୍ୟ ଉଚିତ ଭାବରେ ସମ୍ଭାଳି ନେଉଥିଲା ।

ପ୍ରାଚୀନ ବୃକ୍ଷରୋପଣ ଯୋଜନା ମଧ୍ୟ ଜଳବାୟୁ ଅନୁକୂଳନ ସହିତ ଜଡ଼ିତ ଥିଲା । ଗରମ, ଧୂଳିମୟ ପରିବେଶରେ ଯେଉଁଠାରେ ଅନେକ ହରପ୍ପା ସହର ଡହଳ ବିକଳ ହୋଇଥିଲା, ସେତେବେଳେ ବୃକ୍ଷ ଆଚ୍ଛାଦନ ପବନ ଦ୍ୱାରା ମୃତ୍ତିକା କ୍ଷୟ, ବାଲି ଉଡ଼ିବା ଗତି ସହ ପାରିପାଶ୍ୱିର୍କ ତାପମାତ୍ରାକୁ ମଧ୍ୟ ହ୍ରାସ କରିଥିଲା । ପ୍ରକାରାନ୍ତରେ, ଉଦ୍ଭିଦ ସମୁଦାୟ ପରିବେଶଗତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରୁଥିଲା ।

ରାଜସ୍ତାନର କାଲିବଙ୍ଗା ପୁରାତନ ସଭ୍ୟତାର ସହର ଚତୁଃପାଶ୍ୱର୍ରୁ ମିଳିଥିବା ପ୍ରମାଣ ମଧ୍ୟ କହେ ଯେ, ସହର ଚାରିପଟେ ଉଦ୍ଦେଶ୍ୟମୂଳକ ଭାବରେ ଚାଷ କରାଯାଉଥିଲା ଏବଂ ଚାଷର ଖାଲ ସବୁ ଛନ୍ଦାଛନ୍ଦି ହୋଇ ରହୁଥିଲେ । ଏହାର ଅର୍ଥ, ଚାଷ ସହ ବୃକ୍ଷରୋପଣ ମଧ୍ୟ ନିହିତ ଥିଲା, ଯାହା ପ୍ରାରମ୍ଭିକ କୃଷି-ବନ ସମାହାରକୁ ସୂଚାଏ । ଏହି ସହରରେ ଯଦିଓ ସିଧାସଳଖ ରାସ୍ତାକଡ଼ ବୃକ୍ଷରୋପଣର ପ୍ରମାଣ ମିଳିନାହିଁ, ତଥାପି ସହର ଯୋଜନା କହେ ଯେ ଆବଶ୍ୟକ ଅନୁଯାୟୀ ରାସ୍ତାକଡ଼ ବୃକ୍ଷରୋପଣ ହୋଇଥିଲା ।

ହରପ୍ପାର ମୋହର ମଧ୍ୟ ସୂଚାଏ ଯେ ସେତେବେଳଠାରୁ ଅଶ୍ୱତ୍ଥ ଗଛ ପବିତ୍ର ହୋଇ ଆଜିପର୍ଯ୍ୟନ୍ତ ରହିଛି । ଆଜିର ପରିସଂସ୍ଥାନୀୟ ବିଜ୍ଞାନ କହେ ଯେ ଅଶ୍ୱତ୍ଥ ଗଛ ନିଜେ ଏକ ପରିସଂସ୍ଥାନ ରୂପେ କାର୍ଯ୍ୟ କରେ । ଯେପରିକି ବିଭିନ୍ନ ପ୍ରକାର ପକ୍ଷୀ, ବାଦୁଡ଼ି, ଗୁଣ୍ଡୁଚିମୂଷା, ମାଙ୍କଡ଼ ତଥା କୀଟପତଙ୍ଗ ଆଦିଙ୍କ ବାସଘର ସହ ଏଠାରେ ସହାବସ୍ଥାନରେ ରହିଥାନ୍ତି । ତା' ସହ ମୃତ୍ତିକାର ସୁରକ୍ଷା, ସୂକ୍ଷ୍ମସ୍ତରରେ ଜଳବାୟୁର ନିୟନ୍ତ୍ରଣ ଏବଂ ବିଚଳିତ ଜଳବାୟୁର ପୁନରୁଦ୍ଧାର ଆଦିକୁ ମଧ୍ୟ ସହାୟତା କରିଥାଏ ।

ଅନ୍ୟତ୍ର ସଭ୍ୟତାର ଅନୁରୂପ ଖୋଜିବାକୁ ଗଲେ, ମେସୋପୋଟାମିଆ ସଭ୍ୟତାରେ ସହରୀ ସମାଜଗୁଡ଼ିକ ଖଜୁରି ଆଧାରିତ କୃଷିବନ ଉପରେ ବହୁତ ନିର୍ଭର କରୁଥିଲେ । ତାଳଗଛ, ଫଳଗଛ ଏବଂ ଫସଲକୁ ମିଶ୍ରଣ କରୁଥିବା ବହୁସ୍ତରୀୟ ଚାଷ ପ୍ରଣାଳୀ କିଛି ପ୍ରାରମ୍ଭିକ ସଂରଚିତ ବୃକ୍ଷରୋପଣ ପ୍ରଣାଳୀକୁ ମଧ୍ୟ ପ୍ରତିନିଧିତ୍ୱ କରୁଥିଲା । ପ୍ରାଚୀନ ମିଶରରେ ବୃକ୍ଷରୋପଣ ଯୋଜନା ସହରାଞ୍ଚଳ ଯୋଜନାର ରୀତିମତ ଭାବେ ଅବିଚ୍ଛେଦ୍ୟ ଥିଲା । ଖଜୁରି ଏବଂ ଅଲିଭ ବୃକ୍ଷଗୁଡ଼ିକ ଆର୍ଥିକ ଏବଂ ପରିବେଶଗତ କାର୍ଯ୍ୟ କରୁଥିଲେ । ଚୀନ୍ ସଭ୍ୟତା ମଧ୍ୟ ସହର ଯୋଜନା ସହ ସମନ୍ୱିତ ଉଦ୍ଭିଦ ଯୋଜନା ବିକଶିତ କରିଥିଲା । ବିଶେଷକରି ତୁତ ଚାଷ, ବାଉଁଶ ରୋପଣ ଓ ପରିଚାଳନା ଆଦିକୁ ବସତି ଚାରିପାଖରେ କରିଥିଲା ।

ଏବେ ଫେରିବା ଆମ ନିଜ ମାଟିକୁ । ପ୍ରାଚୀନ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡିକ ସହରୀ ଯୋଜନା ସବୁ ଜଙ୍ଗଲ, ଜଳ, ହେନ୍ତାଳବଣ ଆଦିକୁ ଭିତ୍ତିକରି ତିଆରି ହୋଇଥିଲା । ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ତାଳଚେର, ନୟାଗଡ଼ ଆଦି ମୁଖ୍ୟତଃ ଜଙ୍ଗଲ, ପାହାଡ଼ିଆ ତଥା ବଉଦ, ସୋନପୁର ଏବଂ ବାରବାଟୀ ଦୁର୍ଗ ସବୁ ନଦୀକୂଳିଆ ପରିବେଶରେ ବିକଶିତ ହୋଇଥିଲେ । ଗଡ଼ଜାତ ଜନବସତିଗୁଡ଼ିକ ଜଙ୍ଗଲରୁ ପୃଥକ ହେବା ପରିବର୍ତ୍ତେ ଆଖପାଖ ଜଙ୍ଗଲ ମଧ୍ୟରେ ସ୍ଥାପିତ ହୋଇଥିଲା । ଏହା ପ୍ରାକୃତିକ ପରିବେଶ ସହ ପ୍ରତିରକ୍ଷାମୂଳକ ପଦକ୍ଷେପ ସବୁ ଥିଲା । ଗଡ଼ଜାତରେ ଜଳ ପରିଚାଳନା ଯୋଜନା ଗଡ଼ର ଜଳାଶୟ, ମନ୍ଦିର ଜଳାଶୟ, ଜନବସତି ପାଖରେ ଜଳସେଚନ ପୋଖରୀ ଆଦିର ନିର୍ମାଣ ଏହାର ଅନ୍ତର୍ଭୁକ୍ତ ଥିଲା । ହୁଏତ ସହରାଞ୍ଚଳ ସବୁଜୀକରଣରେ ଗଡ଼ଜାତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ଜଙ୍ଗଲ ମଝିରେ ମନ୍ଦିର, ଯେପରି ଜାହିରା, ମନ୍ଦିର ନିକଟର ଜଙ୍ଗଲ, ଗ୍ରାମଦେବୀ ପୀଠ ଆଦି ପବିତ୍ର ଦେବସ୍ଥାନ ଜଙ୍ଗଲ । ସେହିପରି ଅନେକ ଗଡ଼ଜାତ ରାଜ୍ୟ ପ୍ରାସାଦ ଉଦ୍ୟାନ, ଫଳ ଉଦ୍ୟାନ, ଔଷଧୀୟ ଉଦ୍ୟାନ ତଥା ଶିକାର ନିମନ୍ତେ ଜଙ୍ଗଲର ରକ୍ଷଣାବେକ୍ଷଣ କରିଥିଲେ । ଗଡ଼ଜାତ ରାଜ୍ୟ ଜନବସତିର ପ୍ରତିରକ୍ଷା ଏବଂ ପରିବେଶଗତ ସୁରକ୍ଷା ନିମନ୍ତେ ବାଉଁଶ ବଳୟ, କଣ୍ଟାଘେରା ଜଙ୍ଗଲ ଓ ଦୁର୍ଗ ନିକଟରେ ନଦୀକୂଳିଆ ଉଦ୍ଭିଦକୁ ସବୁଜ ଭିତ୍ତିଭୂମି ଭାବରେ ବ୍ୟବହାର କରୁଥିଲେ । ତା'ସହ ସମ୍ପ୍ରଦାୟ ଚାରଣଭୂମି, କୃଷି ବନୀକରଣ କ୍ଷେତ୍ର, ପୋଖରୀପୋଷିତ ଚାଷକ୍ଷେତ୍ର ତଥା ସମୁଦାୟ ପାଇଁ ସାଧାରଣ ସମ୍ପତ୍ତି ଆଦି ମଧ୍ୟ ଯୋଜନାଭୁକ୍ତ ଥିଲା ।

ଓଡ଼ିଶାରେ ବିଭିନ୍ନ ପ୍ରାନ୍ତରେ ଜଉଗଡ଼, ଯାଜପୁର, ଖିଚିଂ, କଟକ, ତାଳଚେର-ଢେଙ୍କାନାଳ, ବଣେଇ, କନିକା ଏପରି ଅନେକ ଗଡ଼ଜାତ ଅଞ୍ଚଳ ପ୍ରକୃତି ସହ ତାଳଦେଇ ଗଢ଼ି ଉଠିଥିଲେ । ଭୁବନେଶ୍ୱରର ଶିଶୁପାଳଗଡ଼ ମଧ୍ୟ ତନ୍ମଧ୍ୟରୁ ଅନ୍ୟତମ । ଶିଶୁପାଳଗଡ଼ ପ୍ରାଗୈତିହାସିକ ନୁହେଁ ବରଂ ପ୍ରାରମ୍ଭିକ ଐତିହାସିକ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ମଧ୍ୟରେ ବିବେଚନା କରାଯାଏ, କିନ୍ତୁ ଏହା ନିଶ୍ଚିତ ଭାବରେ ପ୍ରାଚୀନ ଏବଂ ଅନେକ ଶାସ୍ତ୍ରୀୟ ସହରୀ ପରମ୍ପରାର ଅନୁଗାମୀ । ଶିଶୁପାଳଗଡ଼କୁ ପ୍ରାୟତଃ ଭାରତର ପ୍ରାରମ୍ଭିକ ସୁଦୃଢ଼ ଯୋଜନାବଦ୍ଧ ସହର ମଧ୍ୟରୁ ଗୋଟିଏ ଭାବରେ ବର୍ଣ୍ଣନା କରାଯାଏ । ଦୁର୍ଗ ଚାରିପାଖରେ ଖାତ, ପଥର-ରେଖାଯୁକ୍ତ ଜଳାଶୟ, ଜଳ ପରିଚାଳନାର ସଂରଚନା ସହ ଶିଶୁପାଳଗଡ଼ ମଧ୍ୟରେ ଚାରଣଭୂମି, ଚାଷ, ବଗିଚା କିମ୍ବା ନିୟନ୍ତ୍ରିତ ବୃକ୍ଷରୋପଣ ସ୍ଥାନ ସହ ନଗରର ଖୋଲା ପଡ଼ିଆ ମଧ୍ୟ ଥିଲା, ତେଣୁ ଏକ ପରିବେଶ ଅନୁକୂଳ ନଗରର ସୁଯୋଜନା ବୋଲି ଅଭିହିତ କରିହେବ ।

ହରପ୍ପାରେ କୃଷି-ସହରୀ ଯୋଜନାର ସମନ୍ୱୟ ଯଦି ଥିଲା, ଗଡ଼ଜାତରେ ପ୍ରାୟତଃ ଜଙ୍ଗଲ-ସହରୀ ସମନ୍ୱୟ ଯୋଜନା ପ୍ରତିପାଦିତ ହୋଇଥିଲା । ଏହି ପରମ୍ପରାଗୁଡ଼ିକ ଯଥେଷ୍ଟ ଗୁରୁତ୍ୱାରୋପ କରେ ଯେ ଜଳ, ଜମି, ବୃକ୍ଷରୋପଣ ବା ଜଙ୍ଗଲ ଯୋଜନା ପ୍ରାରମ୍ଭିକ ସହରୀକରଣ ପାଇଁ ଆକସ୍ମିକ ନଥିଲା, ପ୍ରାୟତଃ ଏହାର ମୂଳଦୁଆ ଥିଲା । ଆଜି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ-କୋଣାର୍କ ଆଦି ସହରର ବ୍ୟାପକ ବିକାଶ ଯୋଜନା- ୨୦୩୦ କିମ୍ବା ୨୦୩୧ ମସିହା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ସୀମା ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ବାହାରର ଯେକୌଣସି ପ୍ରସିଦ୍ଧ ସଂସ୍ଥା ଆମରି ପରିସଂସ୍ଥାନ ସହ ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାରେ ଅସମର୍ଥ ହେବ । ସେମାନେ ଯେପରି ଯୋଜନା ଦେବେ ତାହା ବେଦବାକ୍ୟ ମନେହେବ ଏବଂ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଯାଆନ୍ତେ, ଆମେ ମୂଳଠାରୁ ଅନେକ ଦୂରେଇ ଯିବା, ଯାହାର ପରିଣାମ ହୁଏତ ଭବିଷ୍ୟତ ପରିପ୍ରେକ୍ଷୀରେ ଅରୁଚିକର ମନେହେବ । ପୂର୍ବ-ସଭ୍ୟତାର ଗୌରବମୟ ଯୋଜନା ସହ ଆମର ଅଧୁନା ସହରୀ ଯୋଜନା ସମାନ୍ତରାଳ ଭାବରେ ଚାଲିପାରିଲେ ଏକ ଚିରନ୍ତନମୟ ବିକାଶ ଆଡ଼କୁ ଅଗ୍ରଗତି ସମ୍ଭବ ହେବ ନିଶ୍ଚୟ ।