ନୂଆଦିଲ୍ଲୀ,୩୧/୦୫: କେନ୍ଦ୍ର ସରକାରୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ଆସନ୍ତା ମାସ ଅର୍ଥାତ୍ ଜୁନ୍ ମାସରେ ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇପିଏଫ୍‌ଓ ୩.୦ ର ଡ୍ରାଫ୍ଟ ଅନୁଯାୟୀ, କର୍ମଚାରୀମାନେ ଖୁବ୍ ଶୀଘ୍ର ATM ଏବଂ UPI ରୁ ସିଧାସଳଖ ପିଏଫ୍‌ ଟଙ୍କା ଉଠାଇବାର ସୁବିଧା ପାଇପାରିବେ। ଇପିଏଫଓ ୩.୦ ଅଧୀନରେ, ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଉଠାଣ କାର୍ଡ ପ୍ରଦାନ କରାଯିବ। ଏହା ସମ୍ପୂର୍ଣ୍ଣ ଭାବରେ ଏକ ବ୍ୟାଙ୍କ ଏଟିଏମ୍‌ କାର୍ଡ ପରି ହେବ। ନୂଆ ସୁବିଧା ଅଧୀନରେ କେବଳ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଉଠାଇ ହେବ। ଏହା ଦ୍ବାରା କର୍ମଚାରୀ ଜରୁରୀକାଳୀନ ପରିସ୍ଥିତି ପାଇଁ ଟଙ୍କା ଉଠାଇପାରିବେ, କିନ୍ତୁ ଅବସର ପରେ ମଧ୍ୟ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରହିବ।

କେମିତି ଉଠାଇବେ ଇପିଏଫ୍‌ ଟଙ୍କା:

ଏହି ନୂଆ ପ୍ରକ୍ରିୟାରେ, ଇପିଏଫ୍‌ଓ ଏହାର ଗ୍ରାହକମାନଙ୍କୁ ଏକ ସ୍ୱତନ୍ତ୍ର ATM କାର୍ଡ ଜାରି କରିବ, ଯାହାକି ସେମାନଙ୍କର ପିଏପ୍‌ ଆକାଉଣ୍ଟ ସହିତ ଲିଙ୍କ୍ ହେବ। ଏହି କାର୍ଡ ବ୍ୟବହାର କରି, କର୍ମଚାରୀମାନେ ସିଧାସଳଖ ଏଟିଏମ୍‌ ମେସିନରୁ ସେମାନଙ୍କର ପିଏଫ୍‌ ଟଙ୍କା ଉଠାଇପାରିବେ। UPI ରୁ ଟଙ୍କା ଉଠାଇବା ପାଇଁ, ଆପଣଙ୍କୁ ଆପଣଙ୍କର ପିଏଫ୍‌ ଆକାଉଣ୍ଟକୁ ୟୁପିଆଇ ସହିତ ଲିଙ୍କ୍ କରିବାକୁ ପଡ଼ିବ। ଏହା ପରେ, ଗ୍ରାହକମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପିଏଫ୍‌ ଟଙ୍କା ସ୍ଥାନାନ୍ତର କରିପାରିବେ।

ଯଦି ଆପଣ ଚାକିରି ହରାଇବେ, ତେବେ ଆପଣ ଗୋଟିଏ ମାସ ପରେ ଆପଣଙ୍କର ପିଏଫ୍‌ ଟଙ୍କାର ୭୫% ଉଠାଇ ପାରିବେ। ପିଏଫ୍‌ ଉଠାଣ ନିୟମ ଅନୁଯାୟୀ, ଯଦି ଜଣେ ସଦସ୍ୟ ତାଙ୍କର ଚାକିରି ହରାଇବେ କିମ୍ବା ଚାକିରି ଛାଡ଼ନ୍ତି ତେବେ ସେ ଗୋଟିଏ ମାସ ପରେ ତାଙ୍କର ପିଏଫ୍‌ ଟଙ୍କାର ୭୫% ଉଠାଇ ପାରିବେ। ଏହା ତାଙ୍କୁ ବେରୋଜଗାରୀ ସମୟରେ ତାଙ୍କର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ। ଚାକିରି ହରାଇବାର ଦୁଇ ମାସ ପରେ ବାକି ୨୫% ପିଏଫ୍‌ ରାଶି ଉଠାଇ ପାରିବେ।

ପିଏଫ୍ ଉଠାଣ ଆୟକର ନିୟମ ଯଦି ଜଣେ କର୍ମଚାରୀ କୌଣସି କମ୍ପାନୀରେ ୫ ବର୍ଷ ଚାକିରି ପୂରଣ କରନ୍ତି ଏବଂ ପିଏଫ୍ ଉଠାଣ କରନ୍ତି, ତେବେ ତାଙ୍କ ଉପରେ କୌଣସି ଆୟକର ଦାୟିତ୍ବ ନାହିଁ। ୫ ବର୍ଷର ଅବଧି ଗୋଟିଏ କିମ୍ବା ଅଧିକ କମ୍ପାନୀ ସହିତ ମିଶିପାରିବ। ଗୋଟିଏ କମ୍ପାନୀରେ ୫ ବର୍ଷ ପୂରଣ କରିବା ଆବଶ୍ୟକ ନୁହେଁ। ମୋଟ ଅବଧି ଅତି କମରେ ୫ ବର୍ଷ ହେବା ଆବଶ୍ୟକ।

ଯଦି ଜଣେ କର୍ମଚାରୀ ୫ ବର୍ଷ ଚାକିରି ପୂରଣ କରିବା ପୂର୍ବରୁ ତାଙ୍କ ପିଏଫ୍ ଆକାଉଣ୍ଟରୁ ୫୦,୦୦୦ ଟଙ୍କାରୁ ଅଧିକ ଟଙ୍କା ଉଠାନ୍ତି, ତେବେ ତାଙ୍କୁ ୧୦% ଟିଡିଏସ୍ ଦେବାକୁ ପଡ଼ିବ। ଅନ୍ୟପକ୍ଷରେ, ଯଦି ଆପଣଙ୍କର ପ୍ୟାନ୍ କାର୍ଡ ନାହିଁ, ତେବେ ଆପଣଙ୍କୁ ୩୦% ଟିଡିଏସ୍ ଦେବାକୁ ପଡ଼ିବ। କିନ୍ତୁ, ଯଦି କର୍ମଚାରୀ ଫର୍ମ ୧୫ଜି/୧୫ଏଚ୍ ଦାଖଲ କରନ୍ତି, ତେବେ କୌଣସି ଟିଡିଏସ୍ କଟାଯାଏ ନାହିଁ।