ନୂଆଦିଲ୍ଲୀ ୧୦/୦୨: ନାବାଳିକା ଯୌନ ଅପରାଧୀ ଜେଫରି ଏପ୍ଷ୍ଟିନ ଆମେରିକାର ଜଣେ ଫାଇନାନ୍ସର ଥିଲା । ବିଶ୍ୱର ତମାମ ପ୍ରଭାବଶାଳୀ ବ୍ୟକ୍ତି ତା’ର ବନ୍ଧୁ ଥିଲେ, ଯେଉଁମାନଙ୍କ ପାଇଁ ସେ ଗୁପ୍ତ ପାର୍ଟି ଆୟୋଜନ କରୁଥିଲା । ଏଥିପାଇଁ ସେ ଏକ ଦ୍ୱୀପ କିଣିଥିଲା । ପ୍ରଭାବଶାଳୀ ବ୍ୟକ୍ତି ସେଠାରେ ନିଜ କୁତ୍ସିତ ଅଭିଳାଷ ପୂରଣ କରୁଥିଲେ । ଏପ୍ଷ୍ଟିନ ନିଜ ବନ୍ଧୁଙ୍କର ପ୍ରତ୍ୟେକ ଆବଶ୍ୟକତା ପୂରଣ କରୁଥିଲା । ସେମାନଙ୍କୁ ସେ ନାବାଳିକା ବି ଯୋଗାଇ ଦେଉଥିଲା । ଏହି ଦ୍ୱୀପ ତା’ କୁକର୍ମର ମୂକସାକ୍ଷୀ ଥିଲା, ଯେଉଁଠି ନୈତିକତାର ଆଦୌ ସ୍ଥାନ ନ ଥିଲା ।
ଏପ୍ଷ୍ଟିନର ଏହି ଦ୍ୱୀପ ଅନେକ ବର୍ଷ ଧରି ମସ୍ତିଖୋର ଲୋକଙ୍କ ଆଡ୍ଡା ଥିଲା । ଏପ୍ଷ୍ଟିନର ମୃତ୍ୟୁ ପରେ ତା’ର ଗୋଟିଏ ପରେ ଗୋଟିଏ କୁକର୍ମ ଉପରୁ ପରଦା ଉଠୁଛି । ଏହି କ୍ରମରେ ତା’ର କୁକର୍ମ ଦ୍ୱୀପକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଲୋକଙ୍କ ମନରେ ପ୍ରଶ୍ନ- ଏବେ ଦ୍ୱୀପର ସ୍ଥିତି କ’ଣ, ଏହାର ମାଲିକ କିଏ? ଏପ୍ଷ୍ଟିନ ବିରୋଧରେ ନାବାଳିକା ଯୌନ ଅପରାଧ ଅଭିଯୋଗ ଆସିବା ପୂର୍ବରୁ ସେ ନାବାଳିକାଙ୍କୁ ଶୋଷଣ ମାମଲାରେ ଜେଲରେ ଥିଲା । ତା’ ବିରୋଧରେ ନୂଆ ଅଭିଯୋଗର ଶୁଣାଣି ପୂର୍ବରୁ ୨୦୧୯ରେ ଜେଲ କୋଠରୀରେ ତା’ର ମୃତ୍ୟୁ ହୋଇଥିଲା । ତା’ ପରଠୁ ଏପ୍ଷ୍ଟିନ ସିକ୍ରେଟ୍ ଫାଇଲ ନାମରେ ତା’ର କାଣ୍ଡସବୁ ସାମ୍ନାକୁ ଆସୁଛି ।
ଫାଇଲରୁ ଜଣାପଡ଼ିଛି, ଏପ୍ଷ୍ଟିନ ଆମେରିକାର ଭର୍ଜିନ ଦ୍ୱୀପ ସମୂହରେ ସ୍ଥିତ ଲିଟିଲ ସେଣ୍ଟ ଜେମ୍ସ ନାମକ ଦ୍ୱୀପକୁ ୧୯୯୮ରେ କିଣିଥିଲା । ସେବେଠୁ ୨୦୧୯ରେ ମୃତ୍ୟୁ ପର୍ଯ୍ୟନ୍ତ ସେ ଦ୍ୱୀପର ମାଲିକ ଥିଲା । ଏପ୍ଷ୍ଟିନର କୁକର୍ମର ଫାଇଲ୍ ଖୋଲିବା ପରେ ଏହା ପେଡୋଫାଇଲ ଦ୍ୱୀପ ନାମରେ ପରିଚିତ ହେଲା ।
ଆହୁରି ପଢନ୍ତୁ...ଜେଫ୍ରୀ ଏପ୍ଷ୍ଟିନର ‘ୱାଇଲ୍ଡ ଡିନର’ ପାର୍ଟିରେ ସିଲିକନ୍ ଭ୍ୟାଲିର ବଡ଼ ବଡ଼ ଟେକ୍ ମହାରଥୀ, ଭାଇରାଲ୍ ହେଉଛି ଫଟୋ
୭୫ ଏକରବିଶିଷ୍ଟ ଏହି ଦ୍ୱୀପକୁ ନେଇ ବିଶ୍ୱରେ ଚର୍ଚ୍ଚା । ଏଠାରେ ଦୁଇଟି ଅତିଥି ଲଜ୍, ଗୋଟିଏ ସ୍ୱିମିଂ ପୁଲ୍, ଏକ ହେଲିପ୍ୟାଡ୍ ଓ ଅନେକ ବିଳାସପୂର୍ଣ୍ଣ ଭିଲ୍ଲା ଅଛି । ଏହା କାରିବିୟନ ଦ୍ୱୀପ ସମୂହରେ ସ୍ଥିତ ଭର୍ଜିନ ଦ୍ୱୀପ ସମୂହର ଅଂଶ, ଯାହା ସେଣ୍ଟ୍ ଥୋମାସ ତଟଠୁ ପ୍ରାୟ ୨ ମାଇଲ ଦୂର । ଏପ୍ଷ୍ଟିନର ମୃତ୍ୟୁ ପରେ ଅରବପତି ଷ୍ଟିଫନ୍ ଡେକଫ୍ ଲିଟିଲ ସେଣ୍ଟ୍ ଜେମ୍ସ ଓ ୧୬୦ ଏକରବିଶିଷ୍ଟ ପଡ଼ୋଶୀ ଗ୍ରେଟ୍ ସେଣ୍ଟ୍ ଜେମ୍ସ ଦ୍ୱୀପ ସମୂହକୁ ୬୦ ନିୟୁତ ଡଲାରରେ କିଣିଲେ । ଉଭୟ ପୂର୍ବରୁ ଏପ୍ଷ୍ଟିନନର ମାଲିକାନାରେ ଥିଲା । ୨ ବର୍ଷ ପୂର୍ବେ ଡେକଫ୍ ଏହି ଦ୍ୱୀପ କିଣିଥିଲେ । ଏହାକୁ ଅତ୍ୟାଧୁନିକ ୨୫ ବଖରାଯୁକ୍ତ ବିଳାସପୂର୍ଣ୍ଣ ପଞ୍ଚ ତାରକା ରିସର୍ଟରେ ବିକଶିତ କରିବା ଡେକଫ୍ଙ୍କର ଯୋଜନା ।