ଲଣ୍ଡନ,୧୦/୦୨: ଏପ୍ଷ୍ଟିନ୍ ସେକ୍ସ ଫାଇଲ୍ରେ ଟେସ୍ଲା ସିଇଓ ଏଲନ୍ ମସ୍କ ଓ ମେଟା ସିଇଓ ମାର୍କ ଜୁକ୍କରବର୍ଗଙ୍କ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ସିଲିକନ୍ ଭ୍ୟାଲିର ବଡ଼ ବଡ଼ ଟେକ୍ ମହାରଥୀଙ୍କ ସହ ସେମାନେ ଡିନର୍ କରୁଥିବା ଦେଖିବାକୁ ମିଳିଛି । ପେ-ପାଲ ସହପ୍ରତିଷ୍ଠାତା ପିଟର ଥୀଲ୍ ଏବଂ ଏମ୍ଆଇଟି ମିଡିଆ ଲ୍ୟାବର ପୂର୍ବତନ ନିର୍ଦ୍ଦେଶକ ଜୋଈ ଇତୋ ଏମାନଙ୍କ ସହ ଡିନର କରୁଛନ୍ତି । ଏହି ଫଟୋ ୨୦୧୫ର ବୋଲି ଜଣାପଡ଼ିଛି ।
ରିପୋର୍ଟ ମୁତାବକ, ଏହା ସେହି ଡିନର ପାର୍ଟି ଥିଲା ଯାହାକୁ ଯୌନ ଅପରାଧୀ ଜେଫ୍ରୀ ଏପ୍ଷ୍ଟନ୍ ‘ୱାଇଲଡ୍ ଡିନର’ କହିଥିଲା । ଏପ୍ଷ୍ଟିନ୍ ଏହି ଫଟୋକୁ ୨୦୧୫ ଅଗଷ୍ଟରେ ନିଜକୁ ଇମେଲ୍ କରିଥିଲା ଏବଂ ପରେ ଏହାକୁ ଫ୍ରେମ୍ କରାଇ ନ୍ୟୁୟର୍କସ୍ଥିତ ନିଜ ଆପାର୍ଟମେଣ୍ଟରେ ଲଗାଇଥିଲା ।
ଉଲ୍ଲେଖଯୋଗ୍ୟ, ଆମେରିକାର ନ୍ୟାୟ ବିଭାଗ ଜାନୁଆରୀ ୩୦ରେ ଏପ୍ଷ୍ଟିନ୍ ସେକ୍ସ ଫାଇଲ୍ର ୩୦ ଲକ୍ଷ ଦସ୍ତାବିଜ ସାର୍ବଜନୀନ କରିଥିଲା । ଏହାପରେ ଏହି ମାମଲାରେ ଲଗାତର ନୂଆ ଖୁଲାସା ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ମସ୍କଙ୍କ ନାମ ଏପ୍ଷ୍ଟିନ୍ ଫାଇଲ୍ରେ ଆସିଥିଲା । ୨୦୧୨ର ଏକ ଇମେଲ୍ରେ ମସ୍କ ଏପ୍ଷ୍ଟିନ୍ଙ୍କ ପଚାରିଥିଲା କି ତା’ର ଦ୍ୱୀପରେ ସବୁଠୁ ‘ୱାଇଲଡ୍ ପାର୍ଟି’ କେଉଁଦିନ ହେବ ।
ଆହୁରି ପଢ଼ନ୍ତୁ :- ରୁଷ୍ର ୧ କୋଟିରୁ ଅଧିକ ୱାର୍କର ଆବଶ୍ୟକ ! ଭାରତୀୟଙ୍କୁ ଚାକିରି ଦେବାକୁ ରୁଷିଆର ଖୁବ୍ ଆଗ୍ରହ
ଅନ୍ୟପକ୍ଷରେ ଏପ୍ଷ୍ଟିନ୍ ଫାଇଲ୍ ଯୋଗୁ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମରଙ୍କ ସରକାରର ଅଡୁଆ ବି ବଢ଼ିଯାଇଛି । ଏପ୍ଷ୍ଟିନ୍ ଫାଇଲ୍ ସହ ଜଡ଼ିତ ବିବାଦ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଷ୍ଟାର୍ମରଙ୍କ ସବୁଠୁ ବିଶ୍ୱସ୍ତ ସହଯୋଗୀ ତଥା ଡାଉନିଂ ଷ୍ଟ୍ରିଟ୍ର ଚିଫ୍ ଅଫ୍ ଷ୍ଟାଫ୍ ମାର୍ଗନ୍ ମ୍ୟାକ୍ସ୍ବିନିଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ମ୍ୟାକ୍ସ୍ବିନିଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଯୌନ ଅପରାଧୀ ଏପ୍ଷ୍ଟିନର ସମର୍ଥନ କରିଥିବା ପିଟର ମଣ୍ଡେଲସନଙ୍କୁ ଆମେରିକାରେ ବ୍ରିଟେନ୍ର ରାଷ୍ଟ୍ରଦୂତ କରାଯାଇ ପଠାଇଥିଲେ ।