ସ୍ୱାମୀ ବିବେକାନନ୍ଦ କହିଥିଲେ "ଶିକ୍ଷା ମାନେ- ମନକୁ ଚିନ୍ତା କରିବାକୁ ତାଲିମ କରିବା' । ଏହାର ଅର୍ଥ ହେଉଛି କେବଳ ପାଠ୍ୟକୁ ମନେରଖିବା ନୁହେଁ, ବରଂ ଭାବିବା ଓ ବୁଝିବାର କ୍ଷମତା ଉନ୍ନତ କରିବା । ଦୀର୍ଘସମୟ ଧରି ସାଧାରଣ ଡିଗ୍ରୀକୁ ସଫଳତାର ଚାବିକାଠି ବୋଲି ବିବେଚନା କରାଯାଉଥିଲା । ଏକବିଂଶ ଶତାବ୍ଦୀରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ବୃଦ୍ଧି ଏବଂ ଦ୍ରୁତ ବୈଷୟିକ ପ୍ରଗତି ବିଶ୍ୱ ଚାକିରି ବଜାରକୁ ପ୍ରାୟ ଆମୂଳଚୂଳ ପରିବର୍ତ୍ତନ କରିଛି । ପାରମ୍ପରିକ ଡିଗ୍ରୀ ଏକଦା ସଫଳତାର ପ୍ରାଥମିକ ପଥ ହୋଇଥିବାବେଳେ ଆଜିର ଦିନରେ କୌଶଳ ବିଶେଷକରି ଡିଜିଟାଲ ଓ ଏଆଇ ସମ୍ପର୍କିତ କୌଶଳ ଅଧିକ ଗୁରୁତ୍ୱ ପାଇଛି । ଏହି ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଏ: ପ୍ରଯୁକ୍ତି, ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ମାଧ୍ୟମର ଉଦୟ ଯୁଗରେ କ'ଣ ଡିଗ୍ରୀର ମୂଲ୍ୟ ହ୍ରାସପାଉଛି କି?
ସାମ୍ପ୍ରତିକ ତଥ୍ୟ ଏହି ପରିବର୍ତ୍ତନକୁ ସ୍ପଷ୍ଟଭାବରେ ଆଲୋକିତ କରେ । ୨୦୨୫, ପ୍ରାୟ ୩୦% ସ୍ନାତକ ଡିଗ୍ରୀଧାରୀ ନିଜ ଡିଗ୍ରୀବଳରେ ଚାକିରି ଖୋଜୁଥିବାବେଳେ ପ୍ରାୟ ୪୮% ପ୍ରାଥମିକ ସ୍ତରୀୟ ଚାକିରି ପାଇଁ ଆବେଦନ କରିବାକୁ ମଧ୍ୟ ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ । ସେହିପରି ପ୍ରାୟ ୬୦% ପେସାଦାର ବୃତ୍ତିଗତ ବିଶ୍ୱାସ କରନ୍ତି ଯେ, କୌଶଳ ଆଧାରିତ ନିଯୁକ୍ତି ଚାକିରି ବଜାରରେ ପ୍ରାଧାନ୍ୟ ବିସ୍ତାର କରିବେ । ଏହି ତଥ୍ୟ ଯାହା ଛାତ୍ରମାନେ ପଡ଼ନ୍ତି ଏବଂ ପ୍ରକୃତରେ ନିଯୁକ୍ତିଦାତାମାନେ ଯାହା ଆବଶ୍ୟକ କରନ୍ତି ତାହା ମଧ୍ୟରେ ବଢୁଥିବା ବ୍ୟବଧାନକୁ ଉଜାଗର କରେ ।
ଏହାର ଏକ ମୁଖ୍ୟ କାରଣ ହେଉଛି ପ୍ରଯୁକ୍ତିବିଦ୍ୟାର ଦ୍ରୁତଗତିରେ ପରିବର୍ତ୍ତନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସେକ୍ୟୁରିଟି ଓ ଡିଜିଟାଲ ମାର୍କେଟିଙ୍ଗ ପରି କ୍ଷେତ୍ରଗୁଡ଼ିକ ଏତେ ଦ୍ରୁତଗତିରେ ବଦଳୁଛି ଯେ ପାରମ୍ପରିକ ଡିଗ୍ରୀ ଏହା ସହିତ ମେଳ ରଖିପାରୁନାହିଁ । ଆଜିକାଲି ନିଯୁକ୍ତିଦାତାମାନେ ଏକ ଭିନ୍ନ ପ୍ରଶ୍ନ ପଚାରୁଛନ୍ତିତୁମେ କ'ଣ କରିପାରିବ? ତୁମର ଡିଗ୍ରୀ କ'ଣ ପଚାରୁ ନାହାନ୍ତି । ବ୍ୟାବହାରିକ ଦକ୍ଷତା, ସମସ୍ୟା ସମାଧାନ ଦକ୍ଷତା ଏବଂ ବାସ୍ତବ ଦୁନିଆର ଅଭିଜ୍ଞତା କେବଳ ତତ୍ତ୍ୱଗତ ଜ୍ଞାନ ଅପେକ୍ଷା ଅଧିକ ମୂଲ୍ୟବାନ ହୋଇପଡ଼ିଛି ।
ଆମେ ଯଦି ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଇଞ୍ଜିନିୟରିଂ ପଢ଼ୁଥିବା ପିଲାଙ୍କର ୨୦୧୪-୨୫ର ପ୍ଲେସମେଣ୍ଟ ତଥ୍ୟ ବିଶ୍ଳେଷଣ କରିବା ତେବେ ଜାଣିବା ଯେ, ଭାରତରେ ୧୪.୯ଲକ୍ଷ ଅନୁମୋଦିତ ସିଟ୍ ମଧ୍ୟରୁ ୧୨.୫ଲକ୍ଷ (୮୩.୮%) ସିଟ୍ ପୂରଣ ହୋଇଛି । ତାମିଳନାଡୁ ରାଜ୍ୟ ପ୍ଲେସମେଣ୍ଟରେ ପ୍ରଥମ ସ୍ଥାନରେ ଅଛି । ସେହି ରାଜ୍ୟରେ ଶୀର୍ଷ କଲେଜଗୁଡ଼ିକରେ ୮୦-୯୫% ପ୍ଲେସମେଣ୍ଟ ହୋଇଥିବାବେଳେ ଏବଂ ସାଧାରଣ କଲେଜଗୁଡ଼ିକରେ ୫୦-୭୦% ପ୍ଲେସମେଣ୍ଟ ହୋଇଥିବାର ତଥ୍ୟ ଅଛି । ଚେନ୍ନାଇ ଏବଂ କୋଏମ୍ବାଟୁରର ଶକ୍ତିଶାଳୀ ଆଇଟି ପରିବେଶ (ଇକୋସିଷ୍ଟମ୍) ଏହାକୁ ସମ୍ଭବ କରିପାରିଛି । ସେହିପରି କର୍ଣ୍ଣାଟକର ବାଙ୍ଗାଲୋର ସୂଚନା ପ୍ରଯୁକ୍ତିର କେନ୍ଦ୍ରଭାବରେ ଗଢ଼ିଉଠି ଏବଂ ଶକ୍ତିଶାଳୀ ଶିଳ୍ପ-ଏକାଡେମୀ ସଂଯୋଗ ଉନ୍ନତ କରି ଭଲ କଲେଜରେ ୭୦-୯୦% ଏବଂ ସାଧାରଣ କଲେଜରେ ୫୦-୬୫% ପ୍ଲେସମେଣ୍ଟ ସହିତ ଏହି ରାଜ୍ୟକୁ ଦ୍ୱିତୀୟ ସ୍ଥାନରେ ରଖିଛି ।
ଏହି କ୍ରମରେ ଆଇଟି ଏବଂ ସଫ୍ଟୱେର ପ୍ରାଧାନ୍ୟ କାରଣରୁ ଶୀର୍ଷ କଲେଜଗୁଡିକରେ ୭୫-୯୦% ଏବଂ ଅନ୍ୟ କଲେଜରେ ୪୦-୬୦% ପ୍ଲେସମେଣ୍ଟ କରାଯାଇ ତେଲେଙ୍ଗାନାକୁ ତୃତୀୟ ସ୍ଥାନରେ ରଖିଛି । ମଧ୍ୟମ ପ୍ରଦର୍ଶନ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଓ ଦିଲ୍ଲୀ । ମହାରାଷ୍ଟ୍ରର ଶୀର୍ଷ କଲେଜଗୁଡ଼ିକରେ ୮୦-୯୫% ପର୍ଯ୍ୟନ୍ତ ପ୍ଲେସମେଣ୍ଟ ହୋଇଥିବାବେଳେ, ଅନ୍ୟାନ୍ୟ କଲେଜରେ ୪୫-୬୫% ପର୍ଯ୍ୟନ୍ତ ପ୍ଲେସମେଣ୍ଟ ହୋଇଥିବାର ତଥ୍ୟ ମିଳେ । ଦିଲ୍ଲୀ/ଏନ୍ସିଆରରେ ଭଲ କଲେଜମାନଙ୍କରେ ୭୦-୯୦% ପର୍ଯ୍ୟନ୍ତ ପ୍ଲେସମେଣ୍ଟ ହୋଇଥିବାବେଳେ, ଅନ୍ୟାନ୍ୟ କଲେଜମାନେ ୫୦-୭୦% ପର୍ଯ୍ୟନ୍ତ ପ୍ଲେସମେଣ୍ଟ ହାସଲ କରୁଛନ୍ତି ।
ଉତ୍ତର ପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶ ପରି ରାଜ୍ୟଗୁଡିକୁ କମ୍ ପ୍ଲେସମେଣ୍ଟ ଥିବା ରାଜ୍ୟମାନେ ବୋଲି ଗଣାଯାଏ, କାରଣ ଏଠାରେ ବହୁସଂଖ୍ୟକ ବେସରକାରୀ କଲେଜ ଥିବା ସହ ଶିଳ୍ପ-ଶିକ୍ଷା ସଂଯୋଗ ଦୁର୍ବଳ ଅଟେ । ଏହାର ପରିଣାମରେ ସାଧାରଣ କଲେଜମାନଙ୍କର ପ୍ଲେସମେଣ୍ଟ ମାତ୍ର ୨୦-୪୦% ରହେ ଏବଂ ଅନେକ ଛାତ୍ରଛାତ୍ରୀଙ୍କର ପ୍ଲେସମେଣ୍ଟ ହୁଏନାହିଁ । ଅନ୍ୟପଟେ ଓଡ଼ିଶା ଓ ପଶ୍ଚିମବଙ୍ଗ ପରି ରାଜ୍ୟରେ ପ୍ଲେସମେଣ୍ଟ ପରିବେଶ ଧୀରେ ଧୀରେ ବିକାଶ ପାଉଛି, ଯଦିଓ ଏହା ଏପର୍ଯ୍ୟନ୍ତ ମଧ୍ୟମ ମାନର ରହିଛି । ଏଠାରେ ଶୀର୍ଷ କଲେଜମାନେ ୭୦-୯୦% ପର୍ଯ୍ୟନ୍ତ ପ୍ଲେସମେଣ୍ଟ ପାଉଥିବାବେଳେ ସାଧାରଣ କଲେଜମାନେ ୪୦-୬୦% ପର୍ଯ୍ୟନ୍ତ ପ୍ଲେସମେଣ୍ଟ ହାସଲ କରୁଛନ୍ତି । ସେହିପରି ଭାରତରେ ସାଧାରଣ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ସ୍ନାତକୋତ୍ତର ସମାପ୍ତ କରିବା ପରେ ସମସ୍ତେ ତୁରନ୍ତ ଚାକିରି ପାଇପାରନ୍ତି ନାହିଁ । ବିଭିନ୍ନ ରିପୋର୍ଟ ଅନୁଯାୟୀ, ସ୍ନାତକୋତ୍ତରର ପ୍ରାୟ ୫୦- ୬୦% ନିଯୁକ୍ତିଯୋଗ୍ୟ ବୋଲି ବିବେଚନା କରାଯାଏ ।
ଆଗକାଳରେ ସାଧାରଣ କଲେଜରୁ ପାଠପଢି ବାହାରିଥିବା ପିଲାଙ୍କ ତୁଳନାରେ ସରକାରୀ ଚାକିରି ଯଥେଷ୍ଟ ଥିଲା, ଯାହାଫଳରେ ଚାକିରି ପାଇବା ସହଜ ହେଉଥିଲା । କିନ୍ତୁ ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ପରିସ୍ଥିତି ବଦଳିଲା ଏବଂ ସରକାରୀ ଖର୍ଚ୍ଚ କମ୍ କରିବାପାଇଁ ଆଉଟ୍ସୋର୍ସିଂ ପ୍ରଣାଳୀ ବଢ଼ିଲା । ଫଳରେ ସରକାରୀ ନିଯୁକ୍ତି ଧୀରେ ଧୀରେ ହ୍ରାସପାଇଲା । ସରକାରୀ କାମରେ ମଧ୍ୟ ଆଉଟସୋର୍ସିଂ ମାଧ୍ୟମରେ କୌଶଳସମ୍ପନ୍ନ ଲୋକଙ୍କୁ ନିଯୁକ୍ତି ଦିଆଯିବାରୁ ବିଶେଷ କୌଶଳ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଆଉ କମିଗଲା । ଏହି ପରିବର୍ତ୍ତନ ସାର୍ବଜନୀନ କ୍ଷେତ୍ର ମଧ୍ୟରେ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗକୁ ଯଥେଷ୍ଟ ହ୍ରାସକରିଛି । ଏହାର ପରିଣାମରେ ଚାକିରି ବଜାର ଅଧିକ ପ୍ରତିଯୋଗିତାମୂଳକ ହୋଇପଡ଼ିଲା ଏବଂ ସାଧାରଣ ଶିକ୍ଷାରୁ ସ୍ଥାୟୀ ଚାକିରି ପାଇବାର ପାରମ୍ପରିକ ପଥ ଦୁର୍ବଳ ହୋଇଗଲା ।
ତଥାପି, ଯେଉଁ ଛାତ୍ରମାନେ ତୁରନ୍ତ ଚାକିରି ପାଆନ୍ତିନାହିଁ କିମ୍ବା ତାଙ୍କର ପ୍ଲେସମେଣ୍ଟ ହୁଏନାହିଁ ସେମାନେ ସମସ୍ତେ ବେକାର ରହନ୍ତି ନାହିଁ । ବାସ୍ତବରେ ସେମାନେ ବିକଳ୍ପ ଉପାୟ ଅନୁସରଣ କରନ୍ତି । ସେମାନେ କୋଡିଂ, ଡାଟା ଆନାଲିସିସ, ଡିଜିଟାଲ ମାର୍କେଟିଂ ଓ ଯୋଗାଯୋଗ କୌଶଳ ଭଳି ଦକ୍ଷତା ଅର୍ଜନ କରନ୍ତି । ଅନେକେ ଇଣ୍ଟର୍ନଶିପ୍, ଫ୍ରିଲାନ୍ସିଂ ଓ ଅଫ୍-କ୍ୟାମ୍ପସ୍ ଚାକିରି ମାଧ୍ୟମରେ ଅଭିଜ୍ଞତା ସଂଗ୍ରହ କରନ୍ତି । ଅନେକ ଛାତ୍ର ସରକାରୀ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରନ୍ତି କିମ୍ବା ସେମାନଙ୍କର ଯୋଗ୍ୟତା ବୃଦ୍ଧିକରିବା ପାଇଁ ଉଚ୍ଚ ଅଧ୍ୟୟନ କରି ଦେଶବିଦେଶର ଶିକ୍ଷା ଅନୁଷ୍ଠାନମାନଙ୍କରେ ନିଜର ଉନ୍ନତ ନିଯୁକ୍ତି ସୁନିଶ୍ଚିତ କରନ୍ତି ।
ଏହା ଅତ୍ୟନ୍ତ ଦୁଃଖର ବିଷୟ, ଅନେକ ପିଲା ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ଯେତେବେଳେ ଚାକିରି ପାଇବାରେ ବିଫଳ ହେଲାପରେ ଦକ୍ଷତା ଏବଂ ଉଦ୍ୟୋଗ ବିକାଶ ତାଲିମ ହାସଲ କରି ସ୍ୱରୋଜଗାରୀ ହୁଅନ୍ତି । କିନ୍ତୁ ଯେଉଁମାନେ ସଫଳ ହୁଅନ୍ତି ସେମାନେ ବେତନଭୁକ୍ତ ଚାକିରିଆଙ୍କଠାରୁ ଢେର୍ ଅଧିକ ରୋଜଗାର କରନ୍ତି ଏବଂ ଜ୍ଞାନ ଓ ମାନରେ ଭୂଷିତ କରନ୍ତି । ଫୋର୍ବସ୍ ବିଲିୟନେୟାର ତାଲିକା ଏବଂ ଧନ ସମ୍ପର୍କୀୟ ଅନ୍ୟ ଉତ୍ସ ସୂଚିତ କରେ ଯେ, ପୃଥିବୀର ପ୍ରାୟ ୩୦% ବିଲିୟନେୟାର କଲେଜ ପାଠ ସଂପୂର୍ଣ୍ଣ କରିନାହାଁନ୍ତି, ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ ଓ ରିଚାର୍ଡ ବ୍ରାନସନ୍ଙ୍କ ପରି ଅନେକ ଏହି ତାଲିକାରେ ଅଛନ୍ତି । ସେମାନଙ୍କୁ କମ୍ ଜ୍ଞାନୀ ମନେକରିବା ଭୁଲ୍ ହେବ, ସେମାନେ ପ୍ରକୃତରେ ମହାଜ୍ଞାନୀ । ସେମାନେ ତାଙ୍କ ଉଦ୍ୟୋଗ ଆରମ୍ଭ କଲାବେଳେ ଆତ୍ମ-ଶିକ୍ଷା ମାଧ୍ୟମରେ, ସେ ସମୟର ବ୍ୟାବହାରିକ ଅଭିଜ୍ଞତା ଏବଂ ସମସ୍ୟା ସମାଧାନ ମାଧ୍ୟମରେ ପାରଦର୍ଶିତା ଲାଭ କରିଥିଲେ ଏବଂ ସମୟ ଗଡ଼ିଚାଲିବା ସହିତ ସେମାନେ ତାଙ୍କର ବ୍ୟାବହାରିକ ଜ୍ଞାନ ଏବଂ କୌଶଳକୁ ବର୍ଦ୍ଧିତ କରିଚାଲିଲେ । କମ୍ ପାଠ ପଢ଼ି ସଫଳ ଉଦ୍ୟୋଗୀ ହୋଇଥିବା ଉଦ୍ୟୋଗପତି କହନ୍ତି ଆତ୍ମଶିକ୍ଷା ହେଉଛି ସର୍ବୋତ୍ତମ ଶିକ୍ଷା ଏବଂ ଉଦ୍ୟମିତା ଏହି ସୁଯୋଗ ପ୍ରଦାନ କରେ । ଆସ୍ତେ ଆସ୍ତେ ପରିସ୍ଥିତି ବଦଳିଲାଣି, ଶୀର୍ଷ ଅନୁଷ୍ଠାନରୁ ଶିକ୍ଷା ସମାପ୍ତ କରିବା ପରେ ବହୁ ଇଞ୍ଜିନିଅର ଏବଂ ମ୍ୟାନେଜମେଣ୍ଟ ଛାତ୍ର ସ୍ୱରୋଜଗାରୀ ହେବାକୁ ମନ ବଳାଇଲେଣି ।
ଆଜିର ଯୁଗରେ କେବଳ ପୁସ୍ତକୀୟ ଜ୍ଞାନ ପର୍ଯ୍ୟାପ୍ତ ନୁହେଁ, ପ୍ରାୟୋଗିକ ଦକ୍ଷତା ଅତ୍ୟାବଶ୍ୟକ । ଏହା ଆମର ଆତ୍ମବିଶ୍ୱାସ ବଢ଼ାଏ ଓ ଚାକିରି ପାଇଁ ଯୋଗ୍ୟ ହେବାକୁ ମଣିଷକୁ ଗଢ଼ିତୋଳେ । ଯେମିତି ବିଦ୍ୟୁତ୍ ବ୍ୟବହାର କରାଯାଇନଥିଲେ ତାହାର କୌଣସି ମୂଲ୍ୟ ନଥାଏ, ସେପରି ଶିକ୍ଷା ମଧ୍ୟ ଜୀବନରେ ପ୍ରୟୋଗ କରାଯାଇନଥିଲେ ନିରର୍ଥକ ହୋଇଯାଏ । ଜ୍ଞାନକୁ କାମରେ ଲଗାଇବାର କ୍ଷମତା, ଅର୍ଥାତ୍ ପ୍ରୟାଗ କରିବାର ଦକ୍ଷତା ଆଜିର ଦିନରେ ସଫଳତାର ମାପକାଠି ।
ତେବେ ଡିଗ୍ରୀ ଅଦରକାରୀ ହୋଇଗଲା ବୋଲି କହିବା ଭୁଲ୍ ହେବ । ଡିଗ୍ରୀ ତଥାପି ଜ୍ଞାନ, ଶୃଙ୍ଖଳା, ଶିଷ୍ଟାଚାର ଏବଂ ବିଶ୍ୱସନୀୟତାର ଏକ ମଜବୁତ ମୂଳଦୁଆ ପ୍ରଦାନ କରେ । ଚିକିତ୍ସା, ଆଇନ ଏବଂ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ଆନୁଷ୍ଠାନିକ ଶିକ୍ଷା ଜରୁରି । ବିଶେଷଜ୍ଞମାନଙ୍କ ମତରେ, ଡିଗ୍ରୀ ଆଉ ଅନ୍ତିମ ଗନ୍ତବ୍ୟସ୍ଥଳ ନୁହେଁ ବରଂ ଏକ ଜୀବନଭରି ଶିଖିବାର ଯାତ୍ରାର ଆରମ୍ଭ ବିନ୍ଦୁ । କଥାରେ ଅଛି "ଜ୍ଞାନ ହେଉଛି ଶକ୍ତି, କିନ୍ତୁ ଦକ୍ଷତା ହେଉଛି ସେହି ଶକ୍ତି ବ୍ୟବହାର କରିବାର କ୍ଷମତା' । ଏହା ଆଧୁନିକ ବାସ୍ତବତାକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କରେ । ଜଣେ ଛାତ୍ର ଏକ ସମ୍ମାନଜନକ ଡିଗ୍ରୀ ଧରିପାରେ, କିନ୍ତୁ ବ୍ୟାବହାରିକ ଅନୁଭବ କିମ୍ବା ପ୍ରାସଙ୍ଗିକ କୌଶଳ ବିନା ନିଯୁକ୍ତି ଲାଭ କରିବା କଠିନ ହୋଇପଡ଼େ ।
ଶେଷରେ, ଡିଗ୍ରୀର ମୂଲ୍ୟ କମିଯାଉନାହିଁ, କିନ୍ତୁ ଏକାକୀ ଏହା ପର୍ଯ୍ୟାପ୍ତ ନୁହେଁ । କୌଶଳର ଏହି ଯୁଗରେ, ସଫଳତା ସେହିମାନଙ୍କର ଯେଉଁମାନେ ଜ୍ଞାନ ଓ ପ୍ରୟୋଗର ସମନ୍ୱୟ ରକ୍ଷାକରନ୍ତି । ଭବିଷ୍ୟତ ସେମାନଙ୍କର ନୁହେଁ ଯେଉଁମାନେ କାଗଜରେ ସର୍ବାଧିକ ଯୋଗ୍ୟ, ବରଂ ସେମାନଙ୍କର ଯେଉଁମାନେ ପ୍ରୟୋଗରେ ସବୁଠାରୁ ଦକ୍ଷ ଅଟନ୍ତି । ତେଣୁ ଡିଗ୍ରୀ ଏବଂ ଦକ୍ଷତା ମଧ୍ୟରୁ ଗୋଟିଏ ବାଛିବା ପରିବର୍ତ୍ତେ, ଆମେ ଉଭୟକୁ ପ୍ରଭାବଶାଳୀ ଭାବରେ ମିଶ୍ରଣ ଉପରେ ଗୁରୁତ୍ୱ ଦେବା ଉଚିତ୍ । ଡିଗ୍ରୀ ଜ୍ଞାନ ବିଶ୍ୱସନୀୟତାର ଏକ ମଜବୁତ ମୂଳଦୁଆ ପ୍ରଦାନ କରିଥାଏ ଏବଂ ଦକ୍ଷତା ଆମକୁ ସେହି ଜ୍ଞାନକୁ ବାସ୍ତବ ଜୀବନ ପରିସ୍ଥିତିରେ ପ୍ରୟୋଗ କରିବାକୁ ସକ୍ଷମ କରିଥାଏ । ଏକାଡେମିକ୍ ଯୋଗ୍ୟତାକୁ ବ୍ୟାବହାରିକ ଦକ୍ଷତା ସହିତ ମିଶ୍ରଣ କରି ଜଣେ ବ୍ୟକ୍ତି ଆଧୁନିକ ଚାକିରି ବଜାରର ଆବଶ୍ୟକତାକୁ ଭଲଭାବେ ପୂରଣ କରିପାରେ । ଏହି ସନ୍ତୁଳିତ ଆଭିମୁଖ୍ୟ କେବଳ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରୁନାହିଁ, ବରଂ ଏକ ସ୍ଥିର ଏବଂ ସମ୍ମାନଜନକ କ୍ୟାରିୟର ଗଢ଼ିବାରେ ମଧ୍ୟ ସାହାଯ୍ୟ କରେ ।