ନୂଆଦିଲ୍ଲୀ,୧୮।୩: ଇରାନ ଯୁଦ୍ଧର ଆଜି ୧୯ ତମ ଦିନ । ଇରାନ ଉପରେ ଲଗାତାର ଆମେରିକା ଓ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷେ ଇରାନ ବି ଇସ୍ରାଏଲ ଏବଂ ଉପସାଗରୀୟ ରାଷ୍ଟ୍ରରେ ଥିବା ଆମେରିକୀୟ ଆଡ୍ଡା ଉପରେ ଆକ୍ରମଣ କରୁଛି। ଏହା ଭିତରେ ଇସ୍ରାଏଲ ବଡ଼ ଦାବି କରିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ବୁଧବାର କହିଛନ୍ତି, ରାତି ସାରା ଚାଲିଥିବା ଇସ୍ରାଏଲୀ ପ୍ରତିରକ୍ଷା ବଳ(ଆଇଡିଏଫ୍)ଆକ୍ରମଣରେ ଇରାନର ଗୁଇନ୍ଦା ମନ୍ତ୍ରୀ ଇସ୍ମାଇଲ ଖତିବଙ୍କ ମୃତ୍ୟୁ ହୋଇଛି। ତେବେ ଇରାନ ଏପର୍ଯ୍ୟନ୍ତ ଖତିବଙ୍କ ମୃତ୍ୟୁ ନେଇ ଔପଚାରିକ ଘୋଷଣା କରିନି।
ଖତିବଙ୍କ ମୃତ୍ୟୁର ଘୋଷଣା କରି କାଟଜ୍ କହିଛନ୍ତି,ଆଜି ପୁରା ଦିନ ସବୁ ମୋର୍ଚ୍ଚାରୁ ସରପ୍ରାଇଜ୍ ମିଳିବାର ଆଶା ରହିଛି। ସେ କହିଛନ୍ତି, ଆମେ ଏହି ସବୁକୁ ବିଫଳ କରିବା ଓ ତାଙ୍କର ପିଛା କରିବା ଜାରି ରଖିବୁ। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯେ କୌଣସି ବରିଷ୍ଠ ଇରାନୀ ଅଧିକାରୀଙ୍କୁ ଅଧିକ ଅନୁମତି ବିନା ଟାର୍ଗେଟ କରି ହତ୍ୟା କରିବାକୁ ସେନାକୁ କ୍ଷମତା ଦେଇଛନ୍ତି। ଏହା ହେଉଛି ଦୁଇ ଦିନ ମଧ୍ୟରେ କୌଣସି ଇରାନୀ ନେତାଙ୍କ ତୃତୀୟ ହାଇ-ପ୍ରୋଫାଇଲ୍ ହତ୍ୟା।
ଇସ୍ରାଏଲ ଏହା ପୂର୍ବରୁ ଇରାନର ସୁରକ୍ଷା ମୁଖ୍ୟ ଅଲ୍ଲି ଲାରିଜାନି ଓ ଇରାନ ରିଭୋଲ୍ୟୁସନାରୀ ଗାର୍ଡସଙ୍କ ସ୍ୱେଚ୍ଛାସେବୀ ବାହିନୀ ବାସିଜର ମୁଖ୍ୟ ଗୁଲାମରେଜା ସୁଲେମାନୀଙ୍କୁ ହତ୍ୟା କରିଥିଲା। ଇସ୍ମାଇଲ ଖତିବଙ୍କ ବିଷୟରେ ଯଦି କଥା ହେବା ତେବେ ସେ ଜଣେ ଶିୟା ଧର୍ମଗୁରୁ ଥିଲେ। ସେ ଇରାନର ନ୍ୟାୟ ପାଳିକା ଓ ଗୁଇନ୍ଦା ମୁଖ୍ୟାଳୟରେ ବିଭିନ୍ନ ପଦବୀରେ କାର୍ଯ୍ୟ କରୁଥିଲେ। ସେ ୧୯୮୦ଦଶକରେ ଇରାନ-ଇରାକ ଯୁଦ୍ଧରେ କ୍ରାନ୍ତିକାରୀ ଗାର୍ଡରେ ସେବା ଦେଇଥିଲେ ଓ ଯୁଦ୍ଧରେ ଆହତ ମଧ୍ୟ ହୋଇଥିଲେ।
ଖତିବଙ୍କ ମୃତ୍ୟୁ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ନୂଆ ଭିଡିଓ ସାମନାକୁ ଆସିଛି। ଯେଉଁଥିରେ ସେ ହସି ହସି କହୁଛନ୍ତି,ମୁଁ ବଞ୍ଚିଛି। ଏହା ସହ ଧମକ ଦେଇଛନ୍ତି ‘ପଞ୍ଚ୍ କାର୍ଡ’ରେ ସାମିଲ ୩ ନାଁକୁ ଲିଭାଇ ଦେଲୁ। ଆଗକୁ ଅନ୍ୟ ଇରାନ ନେତାଙ୍କୁ ମାରିବାର ଧାରା ବଜାୟ ରଖିବେ। ନେତାନ୍ୟାହୁ ମଙ୍ଗଳବାର ଇରାନର ଶୀର୍ଷ ସୁରକ୍ଷା ଅଧିକାରୀ ଅଲ୍ଲୀ ଲାରିଜାନିଙ୍କୁ ମାରିଥିବା କଥା ମଧ୍ୟ ଦାବି କରିଥିଲେ। ସେ କହିଛନ୍ତି,ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣର ଲକ୍ଷ୍ୟ ହେଉଛି ଇରାନ ସରକାରଙ୍କୁ ଦୁର୍ବଳ କରିବା ଏବଂ ଇରାନବାସୀଙ୍କୁ ନିଜ ଭବିଷ୍ୟତ ନିଷ୍ପତ୍ତି ନେବାକୁ ସୁଯୋଗ ଦେବା।
ଆହୁରି ପଢନ୍ତୁ: ଯୁଦ୍ଧଗ୍ରସ୍ତ ଇରାନକୁ ଭାରତର ସାହାଯ୍ୟ, ପଠାଇଲା ଔଷଧ ଓ ଚିକିତ୍ସା ଉପକରଣ