ପ୍ରମୂଖ ଖବର

ଜୁଲାଇ ୮ରୁ ଇସ୍ପୋର୍ଟ୍ସ ବିଶ୍ୱକପ୍‌: ଟିମ୍‌ ଲିକ୍ୱିଡ୍‌ରେ ପ୍ରଜ୍ଞାନନ୍ଦା, ଭାଗ ନେବେ ୪ ଭାରତୀୟ

Published By : Prameya | June 30, 2025 1:02 PM

ନୂଆଦିଲ୍ଲୀ, ୩୦/୦୬: ସାଉଦି ଆରବର ରିୟାଧ ଠାରେ ଆଗାମୀ  ଜୁଲାଇ ୮ରୁ ଅଗଷ୍ଟ ୨୪ତାରିଖ ମଧ୍ୟରେ ଇସ୍ପୋର୍ଟ୍ସ ବିଶ୍ୱକପ୍‌ ଅନୁଷ୍ଠିତ ହେବ । ଏଥିରେ ପ୍ରଥମ ଥର ଚେସ୍‌ କ୍ରୀଡ଼ା ସାମିଲ ହୋଇଛି । ଚେସ୍‌ କ୍ରୀଡ଼ା  ଜୁଲାଇ ୨୯ରୁ ଆରମ୍ଭ ହୋଇ ଅଗଷ୍ଟ ୧ ତାରିଖରେ ଶେଷ ହେବ । ଭାରତୀୟ  ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦା ଟିମ୍‌  ଲିକ୍ୱିଡ୍‌ ସହ ଚୁକ୍ତିବଦ୍ଧ ହୋଇଛନ୍ତି ।  ଏହି ଦଳରେ ୫ଥର ବିଶ୍ୱ ଚାମ୍ପିଅନ  ନରୱେର ମାଗନସ୍‌ କାର୍ଲସେନ  ଏବଂ ଆମେରିକାର ଫାବିଆନୋ  କାରୁଆନାଙ୍କ ଭଳି ତାରକା ଖେଳାଳି ରହିଛନ୍ତି । କାର୍ଲସେନ ବିଶ୍ୱର ଏକ ନମ୍ବର ଖେଳାଳି । ସେହିପରି କାରୁଆନା ମାନ୍ୟତା ତାଲିକାରେ ୩ନଂ ଏବଂ ପ୍ରଜ୍ଞାନନ୍ଦା ୪ନଂ  ସ୍ଥାନରେ ରହିଛନ୍ତି । ଏହି ୩ ଖେଳାଳିଙ୍କ ଉପସ୍ଥିତି ଟିମ୍‌ ଲିକ୍ୱିଡ୍‌କୁ ସୁଦୃଢ଼ କରିଛି । 

ଇସ୍ପୋର୍ଟ୍ସ ବିଶ୍ୱକପ୍‌ରେ ପ୍ରଜ୍ଞାନନ୍ଦାଙ୍କ ସମେତ ମୋଟ ୪ଜଣ ଭାରତୀୟ  ଭାଗ ନେବେ । ଅନ୍ୟ ଖେଳାଳିମାନେ ହେଲେ ଅର୍ଜୁନ ଏରିଗାଇସି, ଅରବିନ୍ଦ  ଚିତାମ୍ବରମ ଏବଂ ନିହାଲ ସାରିନ । ଏରିଗାଇସି ଜେନ୍‌.ଜି ଇସ୍ପୋର୍ଟ୍ସ, ଅରବିନ୍ଦ  ଓ ନିହାଲ ଏସ୍‌୮ୟୁଏଲ୍‌ ଇସ୍ପୋର୍ଟ୍ସ ଦଳର ସଦସ୍ୟ ରହିଛନ୍ତି । ଇସ୍ପୋର୍ଟ୍ସ  ବିଶ୍ୱକପ୍‌ରେ ମୋଟ ୧୬ଜଣ ଚେସ୍‌ ଖେଳାଳି ଭାଗ ନେବେ । ବିଶ୍ୱର ୨ନଂ  ଖେଳାଳି ଆମେରିକାର ହିକାରୁ ନାକାମୁରା, ଫ୍ରାନ୍ସର ଅଲିରେଜା ଫିରୌଜା,  ଇଆନ ନେପୋମନିଆଚି, ପୂର୍ବତନ ବିଶ୍ୱ ଚେସ୍‌ ଚାମ୍ପିଅନ୍‌ ଡିଙ୍ଗ୍‌ ଲିରେନ,  ନେଦରଲାଣ୍ଡ୍‌ସ ଅନିଶ ଗିରିଙ୍କ ଭଳି ଷ୍ଟାର୍‌ ଖେଳାଳି ମଧ୍ୟ ଅଂଶଗ୍ରହଣ କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.