ନୂଆଦିଲ୍ଲୀ, ୩୦/୦୬: ସାଉଦି ଆରବର ରିୟାଧ ଠାରେ ଆଗାମୀ  ଜୁଲାଇ ୮ରୁ ଅଗଷ୍ଟ ୨୪ତାରିଖ ମଧ୍ୟରେ ଇସ୍ପୋର୍ଟ୍ସ ବିଶ୍ୱକପ୍‌ ଅନୁଷ୍ଠିତ ହେବ । ଏଥିରେ ପ୍ରଥମ ଥର ଚେସ୍‌ କ୍ରୀଡ଼ା ସାମିଲ ହୋଇଛି । ଚେସ୍‌ କ୍ରୀଡ଼ା  ଜୁଲାଇ ୨୯ରୁ ଆରମ୍ଭ ହୋଇ ଅଗଷ୍ଟ ୧ ତାରିଖରେ ଶେଷ ହେବ । ଭାରତୀୟ  ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦା ଟିମ୍‌  ଲିକ୍ୱିଡ୍‌ ସହ ଚୁକ୍ତିବଦ୍ଧ ହୋଇଛନ୍ତି ।  ଏହି ଦଳରେ ୫ଥର ବିଶ୍ୱ ଚାମ୍ପିଅନ  ନରୱେର ମାଗନସ୍‌ କାର୍ଲସେନ  ଏବଂ ଆମେରିକାର ଫାବିଆନୋ  କାରୁଆନାଙ୍କ ଭଳି ତାରକା ଖେଳାଳି ରହିଛନ୍ତି । କାର୍ଲସେନ ବିଶ୍ୱର ଏକ ନମ୍ବର ଖେଳାଳି । ସେହିପରି କାରୁଆନା ମାନ୍ୟତା ତାଲିକାରେ ୩ନଂ ଏବଂ ପ୍ରଜ୍ଞାନନ୍ଦା ୪ନଂ  ସ୍ଥାନରେ ରହିଛନ୍ତି । ଏହି ୩ ଖେଳାଳିଙ୍କ ଉପସ୍ଥିତି ଟିମ୍‌ ଲିକ୍ୱିଡ୍‌କୁ ସୁଦୃଢ଼ କରିଛି । 

ଇସ୍ପୋର୍ଟ୍ସ ବିଶ୍ୱକପ୍‌ରେ ପ୍ରଜ୍ଞାନନ୍ଦାଙ୍କ ସମେତ ମୋଟ ୪ଜଣ ଭାରତୀୟ  ଭାଗ ନେବେ । ଅନ୍ୟ ଖେଳାଳିମାନେ ହେଲେ ଅର୍ଜୁନ ଏରିଗାଇସି, ଅରବିନ୍ଦ  ଚିତାମ୍ବରମ ଏବଂ ନିହାଲ ସାରିନ । ଏରିଗାଇସି ଜେନ୍‌.ଜି ଇସ୍ପୋର୍ଟ୍ସ, ଅରବିନ୍ଦ  ଓ ନିହାଲ ଏସ୍‌୮ୟୁଏଲ୍‌ ଇସ୍ପୋର୍ଟ୍ସ ଦଳର ସଦସ୍ୟ ରହିଛନ୍ତି । ଇସ୍ପୋର୍ଟ୍ସ  ବିଶ୍ୱକପ୍‌ରେ ମୋଟ ୧୬ଜଣ ଚେସ୍‌ ଖେଳାଳି ଭାଗ ନେବେ । ବିଶ୍ୱର ୨ନଂ  ଖେଳାଳି ଆମେରିକାର ହିକାରୁ ନାକାମୁରା, ଫ୍ରାନ୍ସର ଅଲିରେଜା ଫିରୌଜା,  ଇଆନ ନେପୋମନିଆଚି, ପୂର୍ବତନ ବିଶ୍ୱ ଚେସ୍‌ ଚାମ୍ପିଅନ୍‌ ଡିଙ୍ଗ୍‌ ଲିରେନ,  ନେଦରଲାଣ୍ଡ୍‌ସ ଅନିଶ ଗିରିଙ୍କ ଭଳି ଷ୍ଟାର୍‌ ଖେଳାଳି ମଧ୍ୟ ଅଂଶଗ୍ରହଣ କରୁଛନ୍ତି।