ଆମେ ଯେତେବେଳେ "ସୁଖ' ବିଷୟରେ ଆଲୋଚନା କରୁଛୁ, ସେତେବେଳେ ପ୍ରଥମେ ଏକ ପ୍ରଶ୍ନ ମନକୁ ଆସେ- ଏହାର ପ୍ରକୃତ ଅର୍ଥ କ'ଣ? ସୁଖ କ'ଣ କେବଳ ଏକ ମାନସିକ ଅବସ୍ଥା ନା ଏହା ଭୌତିକ ସଫଳତାର ଏକ ପରିଣାମ? ଆଧୁନିକ ଯୁଗରେ ସୁଖକୁ ବୁଝିବା ସହଜ ମନେହେଲେ ମଧ୍ୟ ଏହା ଅତ୍ୟନ୍ତ ଜଟିଳ । ଆଜିର ଭୋଗବାଦୀ ଏବଂ ଉପଭୋକ୍ତାବାଦୀ ସମାଜରେ ସୁଖକୁ ସାଧାରଣତଃ ଆନନ୍ଦ, ସନ୍ତୋଷ କିମ୍ବା ଆର୍ଥିକ ସ୍ୱଚ୍ଛଳତା, ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ସହିତ ତୁଳନା କରାଯାଉଛି ଏବଂ ସୋସିଆଲ ମିଡିଆରେ ଦେଖାଯାଉଥିବା ସୁନ୍ଦର ଛବି ସହିତ ଯୋଡ଼ାଯାଉଛି ।

ସୁଖ ଉପରେ ଅପସଂସ୍କୃତି ଓ ପ୍ରଯୁକ୍ତିବିଦ୍ୟାର ଭାରି ପ୍ରଭାବ ପଡ଼ୁଛି । କିନ୍ତୁ ସୁଖର ପରିଭାଷାକୁ ଯଦି କିଛି ଶବ୍ଦରେ ସୀମିତ କରିବା, ତେବେ ତାହା ତ୍ରୁଟିପୂର୍ଣ୍ଣ ଓ ଭାବହୀନ ହେବ । ସୁଖ ଏକ ଆପେକ୍ଷିକ ଶବ୍ଦ । ଏମିତି ଗୋଟିଏ ଠିକ୍ ମାନଦଣ୍ଡ ବା ମାପକାଠି ବା ସୂଚକାଙ୍କ ନାହିଁ, ଯାହାଦ୍ୱାରା ଜଣେ ସୁଖୀ କି ନୁହେଁ ମାପିହେବ । ଆମେ ସୁଖକୁ ଧାର୍ମିକ ଭାବରେ ଅନୁସରଣ କରୁଛୁ । ଦୈନନ୍ଦିନ ଜୀବନକୁ ସୁସଂଗଠିତ କରୁଛୁ, ସମ୍ପର୍କକୁ ଚୟନ କରୁଛୁ, ସୁବିଧା କିଣୁଛୁ ଏବଂ ନିଜର ଭାବନାକୁ ମାପୁଛୁ । ଆମେ ସୁଖକୁ ଏକ ନୈତିକ କର୍ତ୍ତବ୍ୟ ରୂପେ ମଧ୍ୟ ଦେଖୁଛୁ- ସଦା ସକାରାତ୍ମକ ରୁହ, କୃତଜ୍ଞ ରୁହ, ଖୁସି ରୁହ । କିନ୍ତୁ ଜର୍ଜ ଜନ୍‌ଙ୍କ ଅନୁସାରେ ବେଳେବେଳେ ଅତ୍ୟଧିକ ସୁଖ ମଧ୍ୟ ଭ୍ରମିତ କରେ ଏବଂ ଭଲ ଜୀବନ କେବେ ମଧ୍ୟ ଏକ ଅବିରତ ହସ ନୁହେଁ । ସୁଖ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲେ ମଧ୍ୟ, ସେହି ଜୀବନର ସମଗ୍ରତା ନୁହେଁ । ସୁଖ ସେତେବେଳେ ଆସେ, ଯେତେବେଳେ ଆମେ ଅର୍ଥପୂର୍ଣ୍ଣ କାମ, ଗଭୀର ସମ୍ପର୍କ ଓ ନିଷ୍ଠାପୂର୍ଣ୍ଣ ଜୀବନରେ ଲୀନ ହେଉ । ଯେତେବେଳେ ଆମେ ପଚାରୁ- ମୁଁ ଏବେ ସୁଖୀ କି? ସେତେବେଳେ ମନରେ ଏକ ଆଭ୍ୟନ୍ତରୀଣ ନିରୀକ୍ଷକ ଜନ୍ମ ନିଏ, ଯେଉଁଥିରୁ ଆନନ୍ଦ ନୁହେଁ, ଚିନ୍ତା ଜନ୍ମ ନିଏ । ସାଧାରଣତଃ ଆମେ ଭାବୁଛୁ ଯେ ଅଧିକ ଧନ, ଅଧିକ ସଫଳତା, ଅଧିକ ପରିଚୟ ପାଇଲେ ଆମେ ସୁଖୀ ହେବୁ । କିନ୍ତୁ ବାସ୍ତବତା ଏହାଠାରୁ ଅଲଗା । "ଟଙ୍କା ସୁଖ କିଣିପାରେ ନାହିଁ'- ଏହି କଥା ଆଂଶିକ ଭାବେ ସତ୍ୟ । ଟଙ୍କା ନଥିଲେ କେହି ପଚାରିବେ ନାହିଁ । ଟଙ୍କା ନିରାପତ୍ତା, ସ୍ୱାସ୍ଥ୍ୟ, ସୁଯୋଗ ଆଦିକୁ ନିୟନ୍ତ୍ରଣ କରିଥାଏ । ଆର୍ଥିକ ଚାପ ଦୂର ହେଲେ ମନ ଶାନ୍ତି ପାଏ । ଅବଶ୍ୟ ଗବେଷଣା କୁହେ ଯେ ଆୟ ବୃଦ୍ଧି ସହିତ ସୁଖ ବୃଦ୍ଧିପାଏ, କିନ୍ତୁ ଏକ ସ୍ତର ପରେ ତାହାର ପ୍ରଭାବ କମିଯାଏ । ସେଥିରେ ସମ୍ପର୍କ, ସ୍ୱାସ୍ଥ୍ୟ, ଉଦ୍ଦେଶ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୁଏ । ଅଧିକ ସମ୍ପତ୍ତି ସହିତ ମଧ୍ୟ କିଛି ଚ୍ୟାଲେଞ୍ଜ ଆସେ- ଆଡମ୍ବର ସାଧାରଣ ଲାଗିବା ଆରମ୍ଭ କରେ । ଧନୀମାନେ ଆଉ ବଡ଼ ଧନୀଙ୍କ ସହ ତୁଳନା କରନ୍ତି । ସଫଳତା ସତ୍ତେ୍ୱ ମନ ଅଶାନ୍ତ ରହିପାରେ । ସଦା ସୁଖୀ ରହିବାର ଚାପ ତିନିଟି କ୍ଷତି କରେ- ସତ୍ୟକୁ ଦମନ କରେ, ନୈତିକତାକୁ କ୍ଷୀଣ କରେ, ନ୍ୟାୟ ପ୍ରତି ଅସହନଶୀଳତା ବଢ଼େ, ମନୋବଳକୁ ଦୁର୍ବଳ କରେ, ଦୁଃଖ ସହିବାର କ୍ଷମତା କମେ । ଏହା ସୁଖ ବିରୋଧୀ ଯୁକ୍ତି ନୁହେଁ, ବରଂ ସୁଖ ପଛରେ ଧାଇଁବା ବିରୋଧରେ ସତର୍କତା ।

ମନୋବିଜ୍ଞାନରେ "ହେଡୋନିକ୍ ଆଡାପ୍ଟେସନ୍' ବୋଲି ଗୋଟିଏ ପ୍ରକ୍ରିୟା ଅଛି । ହେଡୋନିକ୍ ଟ୍ରେଡମିଲ୍ କିମ୍ବା ହେଡୋନିକ୍ ଆଡେପ୍ସନ ହେଉଛି ମଣିଷର ପ୍ରମୁଖ ସକାରାତ୍ମକ କିମ୍ବା ନକାରାତ୍ମକ ଜୀବନ ପରିବର୍ତ୍ତନ କିମ୍ବା ଘଟଣା ସତ୍ତେ୍ୱ ଶୀଘ୍ର ଏକ ସ୍ଥିର ମୂଳ ସୁଖ ସ୍ତରକୁ ଫେରିଯିବାର ପରିଲକ୍ଷିତ ପ୍ରବୃତ୍ତି । ଠିକ୍ ଯେମିତି ଟ୍ରେଡମିଲ୍ରେ ଚାଲିବାବେଳେ ରକ୍ତଚାପ, ହୃଦୟ ସ୍ପନ୍ଦନ ହାର ବୃଦ୍ଧିପାଏ, କିନ୍ତୁ କିଛି ସମୟ ପରେ ପୂର୍ବ ସ୍ଥିତିକୁ ଫେରିଆସେ । ଏହାର ଅର୍ଥ, ଆମେ ନୂତନ ସଫଳତା ବା ସମ୍ପଦକୁ ଶୀଘ୍ର ଅଭ୍ୟସ୍ତ ହୋଇଯାଉ । ଏହାଫଳରେ ଆମର ସନ୍ତୋଷ ଅସ୍ଥାୟୀ ହୋଇଯାଏ ଓ ଆମେ ପୁନଃ ନୂତନ କିଛି ପାଇବାକୁ ଚାହୁଁଥାଉ । ଏଭଳି ଭାବରେ ଏକ ଚକ୍ର ଚାଲିଥାଏ- ପାଇବା, ଅଭ୍ୟସ୍ତ ହେବା, ଆଉ ଅଧିକ ଆଶା କରିବା । ତେଣୁ ‘ଅଧିକ' କେବେ ବି ପର୍ଯ୍ୟାପ୍ତ ହୁଏନାହିଁ । ପରେ ମୂଳତଃ, ଲୋକମାନେ ନୂତନ ପରିସ୍ଥିତି ସହିତ ଖାପ ଖୁଆଇ ନିଅନ୍ତି, ଯାହାଫଳରେ ସନ୍ତୁଷ୍ଟ ଅନୁଭବ କରିବା ପାଇଁ ପରବର୍ତ୍ତୀ "ଉଚ୍ଚ’ ପାଇଁ ନିରନ୍ତର ଅନୁସନ୍ଧାନ ହୁଏ । ଏକ ଅପ୍ରତ୍ୟାଶିତ ଘଟଣା (ଯଥା- ଲଟେରୀ ଜିତିବା) କିମ୍ବା ଏକ ନକାରାତ୍ମକ ଘଟଣା ଅନୁଭବ ହେଉ, ବ୍ୟକ୍ତିମାନେ ସାଧାରଣତଃ ସମୟ ସହିତ ସେମାନଙ୍କର ବ୍ୟକ୍ତିଗତ "ସେଟ୍ ବିନ୍ଦୁ’ ଖୁସିକୁ ଫେରିଯାଆନ୍ତି ।

୧୯୭୧ରେ ବ୍ରିକମ୍ୟାନ୍ ଏବଂ କ୍ୟାମ୍ପବେଲ୍ ଦ୍ୱାରା ପ୍ରସ୍ତୁତ ଏହି ଧାରଣା ବ୍ୟାଖ୍ୟା କରେ ଯେ, କାହିଁକି ଭୌତିକ ଲାଭ କିମ୍ବା କ୍ଷଣସ୍ଥାୟୀ ସଫଳତା ମାଧ୍ୟମରେ ଦୀର୍ଘକାଳୀନ ସନ୍ତୋଷ ବଜାୟ ରଖିବା କଷ୍ଟକର । ହେଡୋନିକ୍ ଟ୍ରେଡମିଲ୍ର ମୁକାବିଲା କରିବା ପାଇଁ କୃତଜ୍ଞତା ଜ୍ଞାପନ କରିବା ଆବଶ୍ୟକ । ଅନ୍ୟର ଅବଦାନ ଓ ସହାୟତା ବଦଳରେ କୃତଜ୍ଞତା ଜଣାଇବା ଯୋଗୁଁ ଖୁସିର ଉଚ୍ଚ ମୂଳଦୁଆ ବଜାୟ ରହିପାରେ । ଭୌତିକ ସମ୍ପତ୍ତି ଅପେକ୍ଷା ବ୍ୟକ୍ତିଗତ ବିକାଶ, ସମ୍ପର୍କ ଏବଂ ଅର୍ଥପୂର୍ଣ୍ଣ ଅଭିଜ୍ଞତା ଭଳି ଆନ୍ତରିକ ଲକ୍ଷ୍ୟ ଉପରେ ଧ୍ୟାନଦେବା ଉଚିତ । ସକାରାତ୍ମକ ପରିବର୍ତ୍ତନର ଉପଭୋଗକୁ ବିସ୍ତାର କରିବା ପାଇଁ ଏକ ଉଚ୍ଚ ଜୀବନଶୈଳୀ ଗ୍ରହଣକୁ ଧୀର କରନ୍ତୁ (ଯଥାଏକାଥରେ ସମସ୍ତ ବିଳାସପୂର୍ଣ୍ଣ ଜିନିଷଗୁଡ଼ିକୁ ଅପଗ୍ରେଡ୍ କରନ୍ତୁ ନାହିଁ) ।

ୟୁଡାଇମୋନିଆ (Eudaimonia) ଏକ ଚିରନ୍ତନ ଦାର୍ଶନିକ ଧାରଣା, ଯାହା ସତ୍ୟ ସାର୍ଥକତା ଓ ପୂର୍ଣ୍ଣତାର ଅର୍ଥକୁ ବ୍ୟାଖ୍ୟା କରେ । ଏହା ଜୀବନକୁ ଉଦ୍ଦେଶ୍ୟ, ମୂଲ୍ୟବୋଧ ଓ ବ୍ୟକ୍ତିଗତ ବିକାଶ ସହିତ ଜୀବନ୍ତ କରିବାକୁ ପ୍ରେରିତ କରେ, ଅସ୍ଥାୟୀ ସୁଖକୁ ଅତିକ୍ରମ କରି ଦୀର୍ଘସ୍ଥାୟୀ ଆତ୍ମସନ୍ତୋଷ ଦେଇଥାଏ । ପ୍ରାଚୀନ ଗ୍ରୀକ ଦାର୍ଶନିକତାରୁ ସୃଷ୍ଟ ଏହି ଶବ୍ଦଟି ଦାର୍ଶନିକ ଆରିଷ୍ଟଟଲ୍‌ଡଙ୍କ ସହ ଘନିଷ୍ଠ ଭାବରେ ସମ୍ବନ୍ଧିତ । ଏହାର ସାଧାରଣ ଅର୍ଥ "ମାନବ ସମୃଦ୍ଧି' ବା "ଶ୍ରେଷ୍ଠ ଜୀବନ ଯାପନ' । ସାଧାରଣ ଖୁସିରୁ ଭିନ୍ନଭାବେ ୟୁଡାଇମୋନିଆ ନୈତିକତା, ସତ୍ୟନିଷ୍ଠା ଓ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନକୁ ଗୁରୁତ୍ୱ ଦିଏ । ୟୁଡାଇମୋନିଆ ଓ ସୁଖ ମଧ୍ୟରେ ପାର୍ଥକ୍ୟ ରହିଛି । ସୁଖ ସାଧାରଣତଃ ଭାବନାମୂଳକ ଓ ଅସ୍ଥାୟୀ, ଯାହା ବାହ୍ୟ ପରିସ୍ଥିତିରୁ ପ୍ରଭାବିତ ହୁଏ । ଅନ୍ୟପଟେ ୟୁଡାଇମୋନିଆ ଦୀର୍ଘସ୍ଥାୟୀ ଓ ସ୍ଥିର । ଏହା ଉଦ୍ଦେଶ୍ୟମୟ ଜୀବନ, ନୈତିକ ଚରିତ୍ର ଓ ମୂଲ୍ୟବୋଧରୁ ଉତ୍ପନ୍ନ ହୁଏ । ୟୁଡାଇମୋନିଆ ଦୈନନ୍ଦିନ ଜୀବନର ସେହି କାର୍ଯ୍ୟରେ ପ୍ରକାଶ ପାଏ, ଯାହା ଉଦ୍ଦେଶ୍ୟ ଓ ସତ୍ୟନିଷ୍ଠାକୁ ପ୍ରତିଫଳିତ କରେ । ଉଦାହରଣ ସ୍ୱରୂପ, ଏକ ଶିକ୍ଷକ ଯିଏ ନିଷ୍ଠାର ସହିତ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳନ୍ତି । ଏକ ସ୍ୱାସ୍ଥ୍ୟକର୍ମୀ, ଯିଏ କଷ୍ଟସାଧ୍ୟ ପରିସ୍ଥିତିରେ ମଧ୍ୟ ସେବା କରନ୍ତି । କୌଣସି ବ୍ୟକ୍ତି ଯିଏ ସୁବିଧାରୁ ଅଧିକ ସତ୍ୟନିଷ୍ଠାକୁ ବାଛନ୍ତି । ଏହି କାର୍ଯ୍ୟଗୁଡ଼ିକ ସବୁବେଳେ ତୁରନ୍ତ ଖୁସି ଓ ଆନନ୍ଦ ଦେଇନପାରେ, କିନ୍ତୁ ଗଭୀର ସନ୍ତୋଷ ଓ ଆନ୍ତରିକ ସମନ୍ୱୟ ସୃଷ୍ଟିକରେ ।

ଆଧୁନିକ ଜୀବନରେ ତ୍ୱରିତ ସଫଳତା ଓ ତୁରନ୍ତ ଖୁସି, ସନ୍ତୋଷକୁ କେନ୍ଦ୍ର କରିଥିବା ଆଧୁନିକ ଜୀବନଶୈଳୀରେ, ୟୁଡାଇମୋନିଆ ଏକ ସ୍ଥାୟୀ ଓ ସମତୁଳିତ ମାର୍ଗ ପ୍ରଦର୍ଶନ କରେ । ଏହା ଆମକୁ ବାହ୍ୟ ସଫଳତାଠାରୁ ଅଧିକ ଆମ କାର୍ଯ୍ୟ ଓ ଉଦ୍ଦେଶ୍ୟର ଗୁଣବତ୍ତାକୁ ମୂଲ୍ୟାଙ୍କନ କରିବାକୁ ଶିଖାଏ । ଦୈନନ୍ଦିନ ଜୀବନରେ ୟୁଡାଇମୋନିଆକୁ ଅର୍ଜନ କରିବା ଓ ଏକ ସାର୍ଥକ ଜୀବନ ଗଢ଼ିବା ପାଇଁ କିଛି ସରଳ ପଦକ୍ଷେପ ଯଥା- ଉଦ୍ଦେଶ୍ୟମୟ କାର୍ଯ୍ୟ ବାଛିବା, ସତ୍ୟନିଷ୍ଠ ସମ୍ପର୍କ ଗଢ଼ିବା, ଅସଫଳତାରୁ ଶିଖିବା, ନିରନ୍ତର ଆତ୍ମବିକାଶରେ ଲାଗିରହିବା, ଆତ୍ମଜ୍ଞାନ ଓ ନୈତିକତାକୁ ଅନୁସରଣ କରିବା ଆବଶ୍ୟକ । ୟୁଡାଇମୋନିଆ ଆମକୁ ଶିଖାଏ ଯେ ସତ୍ୟ ସଫଳତା କେବଳ ସାଧନାରେ ନୁହେଁ, ବରଂ ଆମ ଉଦ୍ଦେଶ୍ୟ, ଆଚରଣ ଓ ମୂଲ୍ୟବୋଧରେ ନିହିତ । କ୍ଷଣିକ ସୁଖକୁ ଗୁରୁତ୍ୱ ନଦେଇ ଅର୍ଥ ଓ ସମ୍ପଦକୁ ପ୍ରାଧ୍ୟାନ୍ୟ ନଦେଇ, ଆମେ ଏକ ସମ୍ପୂର୍ଣ୍ଣ ଓ ସ୍ଥାୟୀ ଜୀବନ ଗଢ଼ିପାରିବା । ଆଧୁନିକ ବଜାର ବ୍ୟବସ୍ଥା ଲୋକମାନଙ୍କୁ ଅସନ୍ତୁଷ୍ଟ ରଖି ଲାଭ କରେ । ଯଦି ଆମେ ସନ୍ତୁଷ୍ଟ ହେବୁ, ତେବେ ଆମେ କମ୍ କିଣିବୁ । ତେଣୁ ଆମକୁ ସଦା ଅପୂର୍ଣ୍ଣ ବୋଲି ବୋଧ କରାଯାଏ । ସାମାଜିକ ତୁଳନା ମଧ୍ୟ ଆମର ଅସନ୍ତୋଷର ଏକ ବଡ଼ କାରଣ । ମଣିଷ ସ୍ୱଭାବତଃ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରେ । ଆଜିର ସୋସିଆଲ୍ ମିଡିଆ ଯୁଗରେ ଏହି ପ୍ରବୃତ୍ତି ବହୁତ ତୀବ୍ର ହୋଇଯାଇଛି ।

ଆମେ ଅନ୍ୟମାନଙ୍କ ଜୀବନର କେବଳ ସୁନ୍ଦର ଅଂଶକୁ ଦେଖୁ- ସଫଳତା, ଆନନ୍ଦ, ଆଡମ୍ବର । କିନ୍ତୁ ତାଙ୍କର ସଂଘର୍ଷ, ବିଫଳତା ଓ ଦୁଃଖ ଆମେ ଦେଖିପାରୁନାହୁଁ । ଏହା ଆମର ନିଜ ଜୀବନକୁ ଅପୂର୍ଣ୍ଣ ବୋଲି ଅନୁଭବ କରାଏ ଈର୍ଷା, ଅସନ୍ତୋଷ ଓ ଚିନ୍ତାକୁ ବଢ଼ାଏ । ନର୍ଥ-ୱେଷ୍ଟ ୟୁନିଭରସିଟି ଆନ୍ନେ ଏଚ୍. ଭର୍ହୋଫ୍ଙ୍କ ଅନୁସାରେ, ସୁଖ ଓ ଦୁଃଖ ଏକାଠି ଜଡ଼ିତ । ମାନବ ଜୀବନ ଆନନ୍ଦ ଓ କଷ୍ଟ ଉଭୟର ମିଶ୍ରଣ । ଏକକୁ ଅପସାରଣ କରି ଅନ୍ୟକୁ ପାଇବା ଅସମ୍ଭବ । ଏହିପରି ଦୃଷ୍ଟିକୋଣ ଆମକୁ ସୁଖକୁ ଏକ ସ୍ଥାୟୀ ଅବସ୍ଥା ଭାବେ ନୁହେଁ, ବରଂ ଜୀବନର ଚଞ୍ଚଳ ପ୍ରବାହ ମଧ୍ୟରୁ ଉତ୍ପନ୍ନ ହେଉଥିବା ଅନୁଭୂତି ଭାବେ ବୁଝିବାକୁ ଶିଖାଏ । ଆମର କାର୍ଯ୍ୟ, ସମ୍ପର୍କ ଓ ମୂଲ୍ୟବୋଧ ଦ୍ୱାରା ଆମେ ସୁଖକୁ ଖୋଜୁଥାଉ, କିନ୍ତୁ ସେଥିରେ ଅନିଶ୍ଚିତତାର ଭୂମିକାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼େ । ଆମେ ଭଲ ଜୀବନ ପାଇଁ ଚେଷ୍ଟା କରିବା ଉଚିତ, କିନ୍ତୁ ଏହା ସହିତ ଅନିଶ୍ଚିତତାକୁ ମଧ୍ୟ ଗ୍ରହଣ କରିବା ଦରକାର ।

ସୁଖର ସତ୍ୟ ଅର୍ଥ ଅଧିକ ବିସ୍ତୃତ ଓ ଗଭୀର । ଏହା କେବଳ ବ୍ୟକ୍ତିଗତ ଆନନ୍ଦ କିମ୍ବା ସଫଳତା ନୁହେଁ, ଏହା ଆମର ସମ୍ପର୍କ, ନ୍ୟାୟବୋଧ ଓ ସମାଜ ପ୍ରତି ଦାୟିତ୍ୱ ସହିତ ଜଡ଼ିତ । ଆଜିର ଦିନରେ ଯେତେବେଳେ ସୁଖର ଧାରଣା ବଜାର, ମାପ ଓ ମିଡିଆ ଦ୍ୱାରା ପ୍ରଭାବିତ, ତାହାକୁ ପୁନଃବିଚାର କରିବା ଅତ୍ୟନ୍ତ ଆବଶ୍ୟକ । ବାହ୍ୟ ଚାପକୁ ଅନୁସରଣ କରିବା ପରିବର୍ତ୍ତେ ଆମେ ଏମିତି ଏକ ସୁଖକୁ ଖୋଜିବା ଉଚିତ୍, ଯାହା ଆମର ଅନୁଭୂତି ଉପରେ ପର୍ଯ୍ୟବସିତ, ଯାହା ଜଟିଳତାକୁ ଗ୍ରହଣ କରେ, ଅପୂର୍ଣ୍ଣତାକୁ ସ୍ୱୀକାର କରେ ଓ ମାନବ ଜୀବନର ସତ୍ୟ ସହିତ ଜଡ଼ିତ । ଜର୍ଜ ଜନ୍ ଲଣ୍ଡନର ଏକ ପ୍ରସିଦ୍ଧ ଅବସରପ୍ରାପ୍ତ ମନୋଚିକିତ୍ସକ । ତାଙ୍କର ରୁଚି ମାନବ ସମୃଦ୍ଧି, ଆନ୍ତରିକ ସଂଘର୍ଷ ଓ ମନୋଚିକିତ୍ସା ଦର୍ଶନରେ ରହିଛି । ମୁଖ୍ୟ ସାରକଥା: "ସୁଖକୁ ଧାଉନି, ଅର୍ଥପୂର୍ଣ୍ଣ ଜୀବନ ଜିଅଁନ୍ତୁ ସୁଖ ନିଜେ ଆସିବ । ବିଶ୍ୱ ସୁଖ ରିପୋର୍ଟ ଅନୁଯାୟୀ, ଏକ ସୁଖୀ ଜୀବନର ମୂଳ ଉପାଦାନ ହେଲା- ସାମାଜିକ ସମର୍ଥନ, ଆସ୍ଥା ଓ ସ୍ୱାଧୀନତା, ଉଦାରତା, ସୁଦୃଢ଼ ସଂସ୍ଥା, ଅର୍ଥପୂର୍ଣ୍ଣ ସମ୍ପର୍କ । ସୁରକ୍ଷା, ଅର୍ଥ, ପ୍ରେମ, ସତ୍ୟନିଷ୍ଠା ଓ ବିଶ୍ରାମ ଥିଲେ ସୁଖ ସ୍ୱତଃ ଆସେ । ଭଲ ଜୀବନ, ସଦା ସୁଖୀ ଜୀବନ ସମାନ ନୁହେଁ । ସେଥିପାଇଁ ସଦା ସୁଖୀ ରହିବାର ଆକାଂକ୍ଷା କମାନ୍ତୁ । କିନ୍ତୁ ସତ୍ୟ, ନୀତି, କର୍ତ୍ତବ୍ୟ, ଉଦାରତା, ମହାନତା, ଦୟା, କରୁଣା, ବିସ୍ତୃତ ମନୋଭାବ ଓ ଆଦର୍ଶ ଉପରେ ପ୍ରାଧ୍ୟାନ୍ୟ ଦିଅନ୍ତୁ ।