ଭୁବନେଶ୍ୱର, ୧୮/୧୨ : ରାଜଧାନୀରେ ଜମି ଅଛି । ମାଲିକାନା ଦସ୍ତାବିଜ ବି ଅଛି । ମାତ୍ର ସବୁ ଥାଇ ବି କିଛି ନାହିଁ । ନା ସେଥିରେ କୋଠାବାଡ଼ି ନିର୍ମାଣ କରିପାରୁଛନ୍ତି ନା ଦରକାର ବେଳେ ବିକି ପାରୁଛନ୍ତି । ପାର୍ଟ ପ୍ଲଟ (ବଡ଼ ପ୍ଲଟ୍‌ର କିଛି ଅଂଶ) ଉପରେ ଏମିତି ରୋକ୍‌ ଲାଗିଛି, ବିଚରା ଜମି ମାଲିକ ହାତ ବାନ୍ଧି ବସିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଞ୍ଚଳରେ ଏମିତି ହଜାର ହଜାର ପାର୍ଟ ପ୍ଲଟର ମାଲିକ କେବଳ ମାଲିକାନା କାଗଜ ଧରି ବସିଛନ୍ତି । କିଏ ଝିଅ ବାହାଘର ପାଇଁ କାନ୍ଦୁଛି, ଆଉ କିଏ ଚିକିତ୍ସା ଖର୍ଚ୍ଚ ପାଇଁ ଉପରକୁ ଚାହିଁ ରହିଛି । ସମସ୍ୟା ସମାଧାନ ନେଇ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ମାତ୍ର ସାଢ଼େ ୩ ବର୍ଷ ପରେ ବି ସ୍ଥିତି ବଦଳିନି । ସବ୍‌ ପ୍ଲଟ/ପାର୍ଟ ପ୍ଲଟ ଦୁଃଖ ସରୁନି । 

ଇତିମଧ୍ୟରେ ସରକାର ବି ବଦଳିଯାଇଛନ୍ତି, କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ । ୨୦୨୧ରେ ବିଡିଏ ଏମିତି ଏକ ଅଜବ ନିୟମ ଆଣିଲା- ସବ୍‌ ପ୍ଲଟ ବା ପାର୍ଟ ପ୍ଲଟ କିଣାବିକାରେ ଏକପ୍ରକାର ରୋକ୍‌ ଲାଗିଯାଇଛି । ରାଜସ୍ୱ ବିଭାଗକୁ ବିଡିଏ ଚିଠିରେ ଜଣାଇଲା- ଯେଉଁ ସବ୍‌ ପ୍ଲଟ/ପାର୍ଟ ପ୍ଲଟ ବିଡିଏରୁ ଲେ-ଆଉଟ ପ୍ଲାନ ଆଣି ନଥିବେ, ତାହା କିଣାବିକା ହୋଇପାରିବନି । ୨୦୨୧ ଜାନୁଆରୀ ୧୧ରେ ବିଡିଏ ଲେଖିଥିବା ଚିଠିକୁ ଆଧାର କରି ରାଜସ୍ୱ ବିଭାଗ ତତ୍କାଳ ଏହି କଟକଣା ଲାଗୁ କରିବାକୁ ସବ୍‌ରେଜିଷ୍ଟାରମାନଙ୍କୁ ନିର୍ଦ୍ଦେଶ ଦେଲେ । ସେବେଠାରୁ ଏ ଅଜବ ନିୟମ ବଳବତ୍ତର ରହିଛି । ଯଦିଓ କିଛି ଜାଗାରେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟର ଅଧିକାରୀଙ୍କୁ ମୋଟା ଅଙ୍କର ମାଲ୍‌ ଦେଇ ଗଳା ବାଟରେ ଏହାକୁ ବିକ୍ରି କରି ଦିଆଯାଉଛି । ହେଲେ ସାଧାରଣ ଲୋକଙ୍କ ପାଇଁ ଏହା ସମ୍ଭବପର ନୁହେଁ । ରାଜଧାନୀ ସମେତ ଏହାର ଉପକଣ୍ଠରେ ଥିବା ଜମି ମାଲିକ ଏବେ ପ୍ରତିଦିନ ବିଡିଏ ଓ ସବ୍‌ରେଜିଷ୍ଟ୍ରାର ଦପ୍ତର ଧାଉଁଛନ୍ତି । ଜୀବନର ସବୁ ପୁଞ୍ଜି ଲଗାଇ ଯେଉଁ ଜମି ଖଣ୍ଡିଏ (ସବ୍‌ ପ୍ଲଟ) କିଣିଥିଲେ, ତାହା ବି କାମରେ ଲାଗୁନି । ସେମିତି ପରିବାର ଭାଗ ପରେ ବି ପୈତୃକ ସମ୍ପତ୍ତି ବି ପାର୍ଟ ପ୍ଲଟ ନିୟମରେ ଫସିଛି ।

ପାର୍ଟ ପ୍ଲଟରେ ଲେ-ଆଉଟ ପ୍ଲାନ ପାଇବା କାଠିକର ପାଠ ହେଉଛି । କାରଣ ମୂଳ ପ୍ଲଟ ଯେବେ ଫାଙ୍କା ଥିଲା, ସେତେବେଳେ ବିଲ୍‌ଡର ରାସ୍ତା, ଡ୍ରେନ ଆଦି ଭିତ୍ତିଭୂମି ପାଇଁ ଜାଗା ଦେଖାଇ ଲେ-ଆଉଟ ପ୍ଲାନ ହାତେଇଥିଲା । ମାତ୍ର ମୂଳ ପ୍ଲଟ ଭାଗ ଭାଗ ହେବା ପରେ ସବ୍‌ ପ୍ଲଟ/ପାର୍ଟ ପ୍ଲଟ କିଣିଥିବା ଲୋକେ ଏବେ ରାସ୍ତା ପାଇଁ ପର୍ଯ୍ୟାପ୍ତ ଜାଗା ଛାଡ଼ିବେ କେମିତି? ବିଚରା ଲୋକେ କେବଳ ଦହଗଞ୍ଜ ହେଉଛନ୍ତି । ଏ ନେଇ ବହୁବାର ଦାବି ଉଠିବା ପରେ ଚାଷ ଜମି ପାଇଁ ଉଦ୍ଦିଷ୍ଟ କଟକଣା ଉଠିଯାଇଛି । ମାତ୍ର ଘରବାଡ଼ି କିସମ ସବ୍‌/ପାର୍ଟ ପ୍ଲଟ ଉପରୁ କଟକଣା ହଟୁନି । ପ୍ରତିଦିନ ବିଡିଏ ଅଫିସର ଚକ୍କର କାଟୁଛନ୍ତି ଅନେକ ଲୋକେ । ବେଳେବେଳେ ଦଲାଲଙ୍କ ହାବୁଡ଼ରେ ପଡ଼ି ଠକେଇର ଶିକାର ବି ହେଉଛନ୍ତି । ଏସବୁ ସମସ୍ୟା ଗତ ସରକାର ସମୟରୁ ଚାଲି ଆସିଛି । 

ବର୍ତ୍ତମାନ ନଗର ଉନ୍ନୟନ ବିଭାଗ ଏହା ଉପରେ ତର୍ଜମା ଚଳାଇଛି । ନିକଟରେ ନଗର ଉନ୍ନୟନ ବିଭାଗ ଓ ରାଜସ୍ୱ ବିଭାଗ ଏକାଠି ବସି ସମସ୍ୟାର ସମାଧାନ ବାଟ ବାହାର କରିବାକୁ ଆଲୋଚନା କରିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏ ସମସ୍ୟା ଦୀର୍ଘଦିନର । ସମାଧାନ ପାଇଁ ନଗର ଉନ୍ନୟନ ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ଭାବେ କାମ କରୁଛନ୍ତି । ଶୀଘ୍ର ସମସ୍ୟାର ସମାଧାନ ହେବ । ସେହିପରି ଆପାର୍ଟମେଣ୍ଟ ହସ୍ତାନ୍ତର ସମସ୍ୟାର ବି ସମାଧାନ କରାଯିବ । ଏନେଇ ଏସ୍‌ଓପି ପ୍ରସ୍ତୁତ ହେଉଛି । ଲୋକଙ୍କ ସୁବିଧାକୁ ଦେଖି ପଦକ୍ଷେପ ନିଆଯାଉଛି । ନୂଆବର୍ଷ ପୂର୍ବରୁ ମାର୍ଗଦର୍ଶିକା (ଏସ୍‌ଓପି) ଆସିବା ନେଇ ସେ ଆଶା ବ୍ୟକ୍ତ କରିଛନ୍ତି।