ପ୍ରମେୟରେ ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ, ବାଉଁଶୁଣି ଛକରେ ଜବରଦଖଲ ଉଚ୍ଛେଦ ଆରମ୍ଭ

ବାଉଁଶୁଣୀ, ୧୭/୦୩ : ପ୍ରମେୟରେ ଖବର ପ୍ରକାଶନ ପରେ ଚେତିଲା ଜିଲ୍ଲା ପ୍ରଶାସନ। ବୌଦ୍ଧ ଜିଲ୍ଲା ବାଉଁଶୁଣି ଛକରେ ଜବରଦଖଲ ଉଚ୍ଛେଦ ଆରମ୍ଭ। ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗତ ଅକ୍ଟୋବର ୧୭ ତାରିଖରେ ଗୋଟିଏ ସପ୍ତାହ ମଧ୍ୟରେ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଦେଇଥିବା ସମୟ ମଧ୍ୟରେ ଛୋଟ ଚା ଓ ଫଳ ଦୋକାନୀ ଜାଗା ଛାଡିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟ ଅବଧିର ୪ ମାସରୁ ଉର୍ଦ୍ଧ୍ଵ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ଫୁ କଲା ଭଳି ଜାଗା ଛାଡ଼ୁନାହାନ୍ତି ବଡ଼ବଡ଼ିଆ ଲୋକେ।

ଗତ ଅକ୍ଟୋବର ୨୦ ତାରିଖରେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣି ରାଜସ୍ଵ ନିରୀକ୍ଷକ ସୁଜିତ କୁମାର ସାହୁ, ଗୁନ୍ଦୁଲିଆ ରାଜସ୍ଵ ନିରୀକ୍ଷକ ହାମିଦ୍ ମଲ୍ଲିକ ଏବଂ ବାଉଁଶୁଣି ପୋଲିସ୍ ର ଉପସ୍ଥିତିରେ ମାପ କରାଯାଇ ସରକାରୀ ସ୍ଥାନକୁ ଚିହ୍ନଟ କରି କାନ୍ଥରେ ନାଲି ଗାର ଦିଆଯାଇଥିଲା। ହେଲେ କିଛି ବଡ଼ବଡ଼ିଆ ଲୋକ ସିମେଣ୍ଟ ଘସି ଏହି ଗାର ଲିଭେଇ ଦେଇଥିବା ବେଳେ ଗତ ୧୨ ମାର୍ଚ୍ଚରେ ଜବରଦଖଲ ଉଚ୍ଛେଦକୁ ନେଇ ପ୍ରମେୟ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା । ଏହାପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦିନ ୧୧ଟାରେ ମାଜିଷ୍ଟ୍ରେଟ ପାୱାରରେ ମନୋରଞ୍ଜନ ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ତହସିଲଦାର ମହମ୍ମଦ ରଜା ରସୁଲ ଖାଁ, ବାଉଁଶୁଣି ରାଜସ୍ୱ ନିରୀକ୍ଷକ ସୁଜିତ ସାହୁ, ଗୁନ୍ଦୁଲିଆ ରଜସ୍ଵ ନିରୀକ୍ଷକ ହମିତ ମଳିକ, ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହ ମନମୁଣ୍ଡା ପୋଲିସର ମିଳିତ ସହଯୋଗରେ ପୁଣି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ସମ୍ମୁଖରେ ଥିବା ଜବରଦଖଲ ଘର ଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗା ଯାଇଛି।