ସାହୁ କଲୋନୀରେ ବୁଲିଲା ବୁଲ୍ଡୋଜର, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର

ସମ୍ବଲପୁର, ୨୦/୦୩ : କୋରେକ୍ସ ଗଡ଼ ନାଁରେ କୁଖ୍ୟାତ ଅର୍ଜନ କରିଥିବା ସମ୍ବଲପୁର ସାହୁ କଲୋନୀରେ ବୁଲିଲା ବୁଲ୍ଡୋଜର। ବେଆଇନ ଜବରଦଖଲ ଉଚ୍ଛେଦ ଆରମ୍ଭ। କୋରେକ୍ସ ମାଫିଆଙ୍କ ଘର ଭଙ୍ଗା ଚାଲିଛି। ବାରମ୍ଵାର ଅଭିଯୋଗ ପରେ ସମ୍ବଲପୁର ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାନୁଯାୟୀ, ସମ୍ବଲପୁର ସହର ମଝିରେ ଥିବା ସାହୁ କଲୋନୀ ଝୁପୁଡ଼ି ପଡାରେ ବେଆଇନ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଏହି ଝୁପୁଡ଼ି ପଡାରେ ରହିଆସୁଥିବା ସବୁ ଅପରାଧୀଙ୍କ ଘର ଭଙ୍ଗା ଚାଲିଛି। ବସ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଜବରଦଖଲକାରୀଙ୍କ ବିରୋଧ ସତ୍ତ୍ଵେ ଉଚ୍ଛେଦ ଜାରି ରହିଛି। ଘଟଣା ସ୍ଥଳରେ ସଦର ଏଡିପିଓ, ଟାଉନ ଥାନା ଆଇଆଇସି, ସମ୍ବଲପୁର ମହାନଗର ନିଗମ ପ୍ରବର୍ତ୍ତନ ଅଧିକାରୀଙ୍କ ସହ ୩ ପ୍ଲାଟୁନ ପୁଲିସ ଉପସ୍ଥିତ ଅଛନ୍ତି। ଏହି ପଡ଼ାରେ କୋରେକ୍ସ, ଦେଶୀ ଓ ବିଦେଶୀ ମଦ, ଗଞ୍ଜେଇ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି । ଏହାସହ ଏଠାରେ ଦେହ ବେପାର ଚାଲିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।