ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିଟ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ସ୍ପେଶାଲ ନ୍ୟୁ ବର୍ଣ୍ଣ ୟୁନିଟ(ଏସଏନସିୟୁ)ରେ ଚିକିତ୍ସିତ ହେଉଥିବା ଜଣେ ନବଜାତକଙ୍କୁ ଏକ୍ସପାୟର୍ଡ ଗ୍ଲୁକୋଜ ଦେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହି ଦୁର୍ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିବା ବେଳେ ନିଜ କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ମହିଳା ନର୍ସଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।
ସୂଚନା ମୁତାବକ, ରାଧା ସିଂ ନାମକ ଜଣେ ମହିଳା ଗତ ଜାନୁଆରୀ ୨୭ ତାରିଖରେ ନିଜ ଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସେହିଦିନ ଶିଶୁଟି ହଠାତ ସ୍ତନ୍ୟପାନ କରିବା ବନ୍ଦ କରିଦେଇଥିଲା। ଏଣୁ ରାଧା ଓ ତାଙ୍କ ପରିବାର ଲୋକ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଡାକ୍ତର ତାକୁ ଏସଏନସିୟୁରେ ଆଡମିଟ କରାଇଥିଲେ। କିଛି ସମୟ ପରେ ଶିଶୁଟି ଗୁରୁତର ହୋଇପଡିବାରୁ ତାକୁ ସଙ୍ଗେସଙ୍ଗେ ଲକ୍ଷ୍ନୋକୁ ସ୍ତାନାନ୍ତର କରାଯାଇଥିଲା। ତେବେ ତାକୁ ଲକ୍ଷ୍ନୋକୁ ନବା ବାଟରେ ସେ ଆମ୍ବୁଲାନ୍ସରେ ହିଁ ଶେଷ ନିଶ୍ନାସ ତ୍ୟାଗ କରିଥିଲା।
ନବଜାତକର ମୃତ୍ୟୁ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ପାଇଁ ହୋଇଛି ବୋଲି ପରିବାର ଲୋକ ଦୋଷାରପ କରିଛନ୍ତି। ଏସଏନସିୟୁରେ ଚିକିତ୍ସା କରାଯାଉଥିବା ବେଳେ ନବଜାତକଙ୍କୁ ଏକ୍ସପାୟର୍ଡ ଗ୍ଲୁକୋଜ ଦେବାକାରଣରୁ ତାର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଦାବି କରି ଡାକ୍ତରଖାନା ଆଗରେ ଧାରଣା ଦେଇଥିଲେ। ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନିୟ ଲୋକମାନେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଗରେ ଆସି ହଙ୍ଗାମା ଆରମ୍ଭ କରିଦେଇଥିଲେ।
ତେବେ ମୃତକ ନବଜାତ ଶିଶୁର ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତ ଶରୀରକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଶବକୁ ଡାକ୍ତରଖାନାକୁ ପଠାଇଛି। ଅନ୍ୟପଟେ ପିଲିଭିଟର ମୁଖ୍ୟ ଚିକିତ୍ସା ଅଧିକାରୀ ଆଲୋକ କୁମାର ଏହି ଘଟଣା ପାଇଁ ପ୍ରୀତି ଜସୱାଲ ଓ ପୁଷ୍ପା ମିଶ୍ରା ନାମକ ଦୁଇଜଣ ଷ୍ଟାଫ ନର୍ସଙ୍କୁ ବରଖାସ୍ତ କରାଯାଇଥିବା ସୂଚନା ଦେଇଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦୁଇଜଣକୁ ନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି ବୋଲି ଆଲୋକ କହିଛନ୍ତି।