କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ: ୪ ମୃତ, ଖଣ୍ଡ ଖଣ୍ଡ ହୋଇ ଦୂରରେ ପଡିଲା ଶବ

ଲକ୍ଷ୍ନୌ,୩୧।୩: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବହୁ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। କୁହାଯାଉଛି ଯେ, ଏହି ଦୁର୍ଘଟଣାରେ ମୃତ ୪ ଜଣ ବ୍ୟକ୍ତି ଫ୍ୟାକ୍ଟ୍ରିରେ ଶ୍ରମିକ ଭାବରେ କାମ କରୁଥିଲେ।

ବଡ଼ ଧରଣର ବିସ୍ଫୋରଣ କାରଣରୁ ଆଖପାଖ ଅଞ୍ଚଳରେ ଥିବା ଘରର ଝରକା କାଚ ଭାଙ୍ଗିବାର ଖବର ମିଳିଛି। ଏହି ବିସ୍ଫୋରଣ କାରଣରୁ ମୃତକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଉଡିଯାଇଥିଲା। ଶବ ଖଣ୍ଡ ଖଣ୍ଡ ହୋଇ ବହୁ ଦୂର ପର୍ଯ୍ୟନ୍ତ ପଡିଥିଲା। ଏହି ଘଟଣା ନଗର କୋତଓ୍ବାଲି ଅଞ୍ଚଳର ନୂଆ ଗାଁ ପାଖରେ ଥିବା କ୍ଷେତରେ ଥିବା ଏକ ଫ୍ୟାକ୍ଟ୍ରିରେ ଘଟିଛି। କେମିକାଲ ଫ୍ୟାକ୍ଟ୍ରିରେ ହଠାତ୍ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଶବ୍ଦ ଆଖାପଖ ଅଞ୍ଚଳକୁ ଥରାଇ ଦେଇଛି। ମୃତକଙ୍କ ନାଁ ଅଭିଷେକ, ରଇସ, ଆହଦ ଓ ବିନୋଦ।
ଉଲ୍ଲେଖନୀୟ ଯେ, ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଘଟଣାର ସୂଚନା ମିଳିବା ପରେ ଡିଏମ୍ ଚନ୍ଦ୍ର ପ୍ରକାଶ ସିଂହ ଓ ଏସଏସପି ଶ୍ଲୋକ କୁମାର ପୋଲିସ କର୍ମଚାରୀଙ୍କୁ ନେଇ ପହଞ୍ଚିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖର ଅଞ୍ଚଳର ବହୁ ଦୋକାନରେ ନିଆଁ ଲାଗି କାଚ ଭାଙ୍ଗି ଯାଇଥିଲା।