ଖୁଣ୍ଟା (ଆପ୍ର): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକ ନିକଟରେ ଥିବା ଏକ ପୂଜା ଦେକାନରେ ଆଜି ସକାଳେ ବିସ୍ଫୋରଣ ଘଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଡୁକୁରା ଛକ ନିକଟରେ ଥିବା ମା ମଙ୍ଗଳା ପୂଜା ଷ୍ଟୋର ଦୋକାନର ପଛପଟ ରୁମର ଉପର ପାର୍ଶ୍ୱରେ ଆଜବେଷ୍ଟସ ଛାଉଣି ଲାଗି ଦୁଇଜଣ ଶ୍ରମିକ ଲୁହା ପାଇପ୍ ଓଲଡିଂ କରୁଥିଲେ। କୌଣସି କାରଣରୁ ରୁମ୍ ଭିତରେ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ କାମ କରୁଥିବା ଦୁଇ ଜଣ ଶ୍ରମିକ ବିସ୍ଫୋରଣର ଶିକାର ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରେ ଦୁଇ ଆହତଙ୍କୁ ଡୁକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବଡ଼ସାହି ଥାନା ଅଧିନସ୍ଥ ଅସ୍ତଝରଣ ଗ୍ରାମର ବୈଦ୍ୟ କୁମାର ସିଂ (୩୫) ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା। ଲୋକେ ଭୟଭୀତ ହୋଇପଡିଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ି ଘଟଣାସ୍ଥଳରେ ଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।