ପୁଣି ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ଫେସବୁକ ଓ ହ୍ବାଟସ୍ଆପ୍ର ପ୍ୟାରେଣ୍ଟ କମ୍ପାନୀ ମେଟା

ନୂଆଦିଲ୍ଲୀ : ଫେସବୁକ୍ ଏବଂ ହ୍ବାଟସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପୁଣିଥରେ ଛଟେଇ ପ୍ରକ୍ରିୟା ଆରମ୍ଭ କରିଛି । ମେଟା ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମରୁ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଏହାପୂର୍ବରୁ କମ୍ପାନୀ, ନଭେମ୍ବର ୨୦୨୨ ରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ।
ମେଟା ପ୍ଲାଟଫର୍ମର ଏହି ଛଟେଇ ପରେ, କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ୨୦୨୧ ମଧ୍ୟଭାଗ ସହିତ ସମାନ ହେବ । କରୋନା ଅବଧି ସମୟରେ, କମ୍ପାନୀ ୨୦୨୦ ଠାରୁ ଜବରଦସ୍ତ ନିଯୁକ୍ତି ଦେଇ ଆସୁଥିଲା । ଏହି ନିଯୁକ୍ତି ପରେ କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା । ଲିଙ୍କଡଇନ୍ ମାଧ୍ୟମରେ, କମ୍ପାନୀ ଏହି ଛଟେଇ ବିଷୟରେ କର୍ମଚାରୀମାନଙ୍କୁ ସୂଚନା ଦେଇଛି । ଏହି ଛଟେଇରେ, ବିଜ୍ଞାପନ ବିକ୍ରୟ ଦଳ, ମାର୍କେଟିଂ ଏବଂ ସହଭାଗୀତା ଦଳର କର୍ମଚାରୀ ସାମିଲ ଅଛନ୍ତି ।
ମାର୍ଚ୍ଚରେ ମେଟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ କହିଥିଲେ ଯେ, ଆସନ୍ତା କିଛି ମାସ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଛଟେଇ ତିନିଟି ପର୍ଯ୍ୟାୟରେ ଶେଷ ହେବ । ପ୍ରାୟତ ଏହି ଛଟେଇ ଗୁଡିକ ଅଣ ଇଞ୍ଜିନିୟରିଂ ପୋଷ୍ଟଗୁଡିକ ପାଇଁ । ନିକଟରେ କମ୍ପାନୀର ଟାଉନହଲରେ ମାର୍କ ଜୁକରବର୍ଗ କହିଥିଲେ ଯେ ଏପ୍ରିଲ ମାସରେ ୪ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।