ନୂଆଦିଲ୍ଲୀ, ୩।୪: ଦୁବାଇରେ ଓରାକଲ୍ ଡାଟା ସେଣ୍ଟର ଉପରେ ଆକ୍ରମଣ ସତ ନା ମିଛ ? ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଗୁରୁବାର ଦାବି କରିଛି ଯେ, ସେମାନେ ଦୁବାଇରେ ଅବସ୍ଥିତ ପ୍ରତିଷ୍ଠିତ ଆମେରିକୀୟ ଆଇଟି କମ୍ପାନୀ ଓରେକଲ୍‌ର ଏକ ଡାଟା ସେଣ୍ଟରକୁ ଟାର୍ଗେଟ୍ କରିଛନ୍ତି । ତେବେ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ଦୁବାଇ ମିଡିଆ ଅଫିସ୍ । ଇରାନ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଦୁବାଇ ପ୍ରଶାସନ ତୁରନ୍ତ ସ୍ପଷ୍ଟୀକରଣ ରଖିଛି । ଦୁବାଇ ମିଡିଆ ଅଫିସ ଏହାକୁ "ମିଥ୍ୟା ଖବର" ବା ଫେକ୍ ନ୍ୟୁଜ୍ ବୋଲି କହିବା ସହ ସହରରେ କୌଣସି ଅଘଟଣ ଘଟିନଥିବା ସୂଚନା ଦେଇଛି । 

ଏହା ବି ପଢ଼ନ୍ତୁ... ​​​​​​​କ୍ଲାସରୁମ୍‌ରେ ପ୍ରଫେସରଙ୍କ 'ରୋମାନ୍ସ' ପ୍ଲାନ୍ ଫେଲ୍, ମେଡିକାଲ ଛାତ୍ରୀଙ୍କୁ ପ୍ରପୋଜ୍ କରି ଚପଲ ମାଡ଼ ଖାଇଲେ

ଇରାନର ଖୋଲା ଚେତାବନୀ:

ଏହି ସପ୍ତାହ ଆରମ୍ଭରେ IRGC ପକ୍ଷରୁ ଏକ ଭୟଙ୍କର ଚେତାବନୀ ଦିଆଯାଇଥିଲା । ଇରାନ ଆମେରିକାର ପ୍ରାୟ ୧୮ଟି ବଡ଼ କମ୍ପାନୀକୁ ଟାର୍ଗେଟ୍ ଲିଷ୍ଟରେ ରଖିଛି । ଏହି କମ୍ପାନୀଗୁଡ଼ିକ ଆମେରିକା ପାଇଁ "ଗୁପ୍ତଚର" ଭାବେ କାମ କରୁଥିବା ଇରାନ ଅଭିଯୋଗ କରିଛି । ଟାର୍ଗେଟ୍ ତାଲିକାରେ ଥିବା କିଛି ପ୍ରମୁଖ କମ୍ପାନୀ ହେଲେ ଟେକ୍ ଜାଏଣ୍ଟ: ମାଇକ୍ରୋସଫ୍ଟ, ଆପଲ୍, ଗୁଗଲ୍, ମେଟା, ଆମାଜନ, ଟେସଲା, ନଭିଡିଆ, ଇଣ୍ଟେଲ, ଜେପି ମର୍ଗାନ ଏବଂ ବୋଇଂ । "ଇରାନରେ ହେଉଥିବା ପ୍ରତ୍ୟେକ ହତ୍ୟାକାଣ୍ଡର ବଦଲା ନିଆଯିବ ଏବଂ ଏହି କମ୍ପାନୀଗୁଡିକର ୟୁନିଟ୍‌ଗୁଡ଼ିକୁ ଧ୍ୱଂସ କରିଦିଆଯିବ।" ବୋଲି ଇରାନ ଚେତାବନୀ ଦେଇଛି ।

ବାହାରିନରେ ଆମାଜନ ସେଣ୍ଟର ଉପରେ ଆକ୍ରମଣ !

ବୁଧବାର ଦିନ ବାହାରିନରେ ଥିବା ଆମାଜନ କ୍ଲାଉଡ୍ କମ୍ପ୍ୟୁଟିଂ ସେଣ୍ଟର ଉପରେ ଆକ୍ରମଣ ହୋଇଥିବା IRGC ଦାବି କରିଥିଲା । ବାହାରିନର ଗୃହ ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ଏକ କମ୍ପାନୀ ପରିସରରେ ନିଆଁ ଲାଗିଥିଲା ଏବଂ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିଛନ୍ତି । ଆମାଜନ ୱେବ୍ ସର୍ଭିସେସ୍ (AWS) ମଧ୍ୟ ଯୁଦ୍ଧ ଯୋଗୁଁ ସେବା ବାଧାପ୍ରାପ୍ତ ହୋଇଥିବା ସ୍ୱୀକାର କରିଛି ।

ଶିଳ୍ପ ସଂସ୍ଥା ଉପରେ ରକେଟ୍ ମାଡ଼:

କେବଳ ଆଇଟି ସେକ୍ଟର ନୁହେଁ, ଇରାନ ଅନେକ ଶିଳ୍ପ କେନ୍ଦ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିଛି । ଆବୁଧାବିର ଆମେରିକୀୟ ଷ୍ଟିଲ୍ ଇଣ୍ଡଷ୍ଟ୍ରି, ବାହାରିନର ଆମେରିକୀୟ ଆଲୁମିନିୟମ ଇଣ୍ଡଷ୍ଟ୍ରି, ଇସ୍ରାଏଲ୍ ସମ୍ପର୍କିତ ରାଫେଲ୍ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଇରାନ ଟାର୍ଗେଟ୍ କରିଛି । ପଶ୍ଚିମ ଏସିଆରେ ଯୁଦ୍ଧ ଏବେ କେବଳ ସୀମା ମଧ୍ୟରେ ସୀମିତ ନାହିଁ, ବରଂ ଏହା ବିଶ୍ୱର ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ବିପଦ ସୃଷ୍ଟି କରିଛି । ୟୁଏଇ ଏବଂ ଅନ୍ୟ ଉପସାଗରୀୟ ଦେଶଗୁଡ଼ିକ ଏବେ ହାଇ-ଆଲର୍ଟରେ ଅଛନ୍ତି ।