ନୂଆଦିଲ୍ଲୀ ୨୦/୦୮: ଉତ୍ତରପ୍ରଦେଶର ବସ୍ତୀ ସ୍ଥିତ ଜିଲ୍ଲା ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ ଆସିଛି । ହସ୍ପିଟାଲର ୱାର୍ଡରେ ଜଣେ ନକଲି ଡାକ୍ତର ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଧରାପଡ଼ିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ରାଜ କୁମାର ନାମକ ଜଣେ ବ୍ୟକ୍ତି ଡାକ୍ତରଙ୍କ ଭଳି ପୋଷାକ ପିନ୍ଧି ଆପାତକାଳ ୱାର୍ଡରେ ପ୍ରବେଶ କଲେ । ସେ ମାସ୍କ ପିନ୍ଧିଥିଲେ ଏବଂ ଷ୍ଟେଥୋସ୍କୋପ୍‌ ବି ପକାଇଥିଲେ । ସେ ନିଜକୁ ବରିଷ୍ଠ ଡାକ୍ତର ବୋଲି ପରିଚୟ ଦେଲେ । ତା’ପରେ ରୋଗୀଙ୍କୁ ଦେଖିବା ଆରମ୍ଭ କଲେ ।

ଖାଲି ଏତିକି ନୁହେଁ ଗୁରୁତର ରୋଗୀଙ୍କୁ ମଧ୍ୟ ଦେଖିଲେ । ଜଣେ ଗୁରୁତର ରୋଗୀଙ୍କ ପରିବାର ସଦସ୍ୟ ଡାକ୍ତରଙ୍କୁ ଔଷଧ ପରାମର୍ଶ ଦେବାକୁ କହିବା ପରେ ତାଙ୍କ ଉପରେ ଲୋକଙ୍କ ସନ୍ଦେହ ହେଲା । ଡାକ୍ତର କହିଲେ, ୱାର୍ଡନ୍‌ଙ୍କୁ ପଚାରି କହିବେ । ଏହା ଦେଖି ତାଙ୍କର ଡାକ୍ତରୀ ପେସା ଉପରେ ଲୋକଙ୍କର ସନ୍ଦେହ ବଢ଼ିଲା । ଏହାପରେ ସେଠାରେ ଉପସ୍ଥିତ ରୋଗୀଙ୍କ ପରିଜନମାନେ ଜାଣିପାରିଲେ ଯେ ସେ ଜଣେ ଭଣ୍ଡ । ଲୋକେ ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କଲେ । 

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉକ୍ତ ହସ୍ପିଟାଲକୁ ନେଇଥିଲେ । ତାଙ୍କ ପରିବାର ଅଭିଯୋଗ କଲେ ଯେ ପ୍ରାୟ ୨ ଘଣ୍ଟା ଧରି ଚିକିତ୍ସା ନ ହେବାରୁ ସେ ପ୍ରାଣ ହରାଇଲେ । ଏହି ସମୟରେ ସେହି ନକଲି ଡାକ୍ତରଙ୍କୁ ହସ୍ପିଟାଲର ଆପାତକାଳ ୱାର୍ଡରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ୍‌ରୁ ଜଣାପଡ଼ିଲା, ବ୍ୟକ୍ତି ଜଣକ ବସ୍ତୀ ମେଡିକାଲ କଲେଜର ୨ୟ ବର୍ଷ ଓଟି ଟେକ୍ନିସିଆନ୍‌ ଛାତ୍ର ଥିଲେ । ଲିଖିତ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।